ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବାଲିପାଟଣାଠାରେ କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ ଅଚାନକ ଧସିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଆତଙ୍କ ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଞ୍ଚାୟତର ତରେଇ ସାହି ନିକଟରେ ପାଟୁଳିରୁ ବାଲିପାଟଣାକୁ ସଂଯୋଗ କରୁଥିବା କୋଚିଳା ପୋଲ ମୁଣ୍ଡରେ ଏହି ନଦୀବନ୍ଧ ଧସିଯାଇଛି।
ଅନ୍ୟପକ୍ଷରେ ଆଗକୁ ଲଘୁଚାପଜନିତ ବର୍ଷାର ସମ୍ଭାବନା ଥିବାରୁ ନଦୀବନ୍ଧର ଏଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ବନ୍ଧର ଏହି ଦୁର୍ବଳ ଓ ଭଙ୍ଗା ସ୍ଥାନ ଦେଇ ଅଧିକ ବର୍ଷା ହେଲେ ଏବଂ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ବଡ଼ଧରଣର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ନେଇ ତରେଇ ସାହି, ବାଲିପାଟଣା, ଶୈଲ, ମମାଦୁଲା, ଅସ୍ତକ, ହସନାବାଦ, ମଠସାହି ଓ ଅନଲଡିହ ଆଦି ବିଭିନ୍ନ ଅଞ୍ଚଳର ଅନେକ ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଏବଂ ନଦୀବନ୍ଧ ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।
ଆଗକୁ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ଗାନ୍ଧିଘାଟ ଜଳସେଚନ ସେକ୍ସନର କର୍ତ୍ତୃପକ୍ଷ ତଥା ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ନଦୀବନ୍ଧର କ୍ଷତିଗ୍ରସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ଷା ଆସିବା ପୂର୍ବରୁ ଯଥାଶୀଘ୍ର ନଦୀବନ୍ଧର ସୁରକ୍ଷା ପାଇଁ ଆବଶ୍ୟକୀୟ ମରାମତି ଓ ସ୍ଥାୟୀ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିବା ସହ ତୁରନ୍ତ ଏହାର ମରାମତି ପାଇଁ ଦୃଢ଼ ଦାବି କରିଛନ୍ତି।


