ଗୋପାଳପୁର ବେଳାଭୁମିରେ ଲଜ୍ଜାଜନକ ଘଟଣା, ଯୁବତୀଙ୍କୁ ଗଣଦୁଷ୍କର୍ମ କରି ୭ ଅଟକ, ୩ ଚମ୍ପଟ୍

Published: Jun 17, 2025, 12:12 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷ ବନ୍ଧୁମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ଜନୈକା ଯୁବତୀକୁ କିଛି କାମାନ୍ଧ ଯୁବକ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ସୁଚନା ଅନୁଯାୟୀ, କୌଣସି ଏକ ଶିକ୍ଷାନୁଷ୍ଠାନର କିଛି ଛାତ୍ର ମିଶି ବେଳାଭୂମି ବୁଲିବାକୁ ଯାଇଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ମୋଟରସାଇକେଲରେ ଆସି ବେଳାଭୂମିର ନିର୍ଜ୍ଜନ ସ୍ଥାନକୁ ଯାଇ ମଦ୍ୟପାନ କରି ପାନ୍ଥନିବାସ ପଟେ ବୁଲିବାକୁ ଯାଇଥିଲେ ଓ ନିଜ ବନ୍ଧୁମାନଙ୍କ ଠାରୁ ଦୂରେ ବସିଥିବା ପୀଡିତା ଯୁବତୀକୁ ଅସାଦାଚରଣ କରିଥିଲେ।

ଏହି ଭଳି ପରିସ୍ଥିତିରେ ଯୁବତୀର ଜଣେ ପୁରୁଷ ବନ୍ଧୁ ଆସି ପ୍ରତିବାଦ କରିବାରୁ ମଦ୍ୟପ ଯୁବକ ମାନେ ଯୁବକକୁ ମାଡ଼ ମାରି ଯୁବତୀ ଜଣକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତତ୍କାଳ ଜଣେ ଯୁବକକୁ କାବୁ କରି ଥାନାରେ ରଖି ଜେରା କରିବା ପରେ ଅନ୍ୟ ଯୁବକ ମାନଙ୍କ ବିଷୟରେ ପୋଲିସ ଜାଣି ପାରି ଆଉ ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣିଥିଲେ। ଆହୁରି ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।

ପରବର୍ତ୍ତୀ ସମୟରେ ଖବର ପାଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଗୋପାଳପୁର ଥାନା ରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି।

Related posts