ଚିଲିକା ମଝିରେ ଗୁଳି ମାଡ଼: ଜଣେ ଗୁରୁତର, ଡଙ୍ଗାରୁ ଡେଇଁ ଜୀବନ ବଞ୍ଚାଇଲେ ଦୁଇ ମତ୍ସଜୀବୀ

Published: Jun 26, 2025, 4:45 pm IST

ବାଲୁଗାଁ: ବୁଧବାର ରାତିରେ ଚିଲିକାରେ ମାଛ ମାରୁଥିବା ସମୟରେ ମତ୍ସ୍ୟଜୀବୀ ଉପରକୁ ଗୁଳି ମାଡ଼ରେ ଜଣେ ଗୁରୁତର ହେଇଥିବା ବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ମୁତାବକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ତିନି ଜଣ ମତ୍ସ୍ୟଜୀବୀ ଗତକାଲି ରାତିରେ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଚିଲିକାରେ ମାଛ ଧରୁଥିବା ସମୟରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ତ୍ରିଛଣ ସିପିଆ ନିକଟରେ କିଛି ଅଣମତ୍ସ୍ୟଜୀବୀ ଅଚାନକ ସେମାନଙ୍କ ଉପରକୁ ଦେଶୀ ବନ୍ଧୁକରେ ଗୁଳି ମାଡ଼ କରିଥିବା ଅଭିଯୋଗ କରିଛନ୍ତି।

ଦୁଇ ଜଣ ଜୀବନ ବିକଳରେ ଡଙ୍ଗାରୁ ଚିଲିକାକୁ ଡେଇଁ ପଡିଥିବା ବେଳେ ଜଣଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ଅନ୍ୟ ସହଯୋଗୀଙ୍କ ସହାୟତାରେ ଆହତ ମତ୍ସ୍ୟଜୀବୀକୁ ରକ୍ତାକ୍ତ ଅବସ୍ଥାରେ ସେହି ଡ଼ଙ୍ଗାରେ ଆଣି ଆଜି ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଜଣକ ଚନ୍ଦ୍ରାପୁଟ ଗ୍ରାମର ବୁଦ୍ଧିଆ ଜାଲିଙ୍କ ପୁଅ ବୀର ଜାଲି(୪୫) ବୋଲି ଜଣାପଡିଛି।

ଉକ୍ତ ଘଟଣା ନେଇ ପରିବାର ପକ୍ଷରୁ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।

Related posts