ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ

Published: Jul 1, 2025, 8:07 am IST

ପୁରୀ: ଗତକାଲିଠାରୁ ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହୋଇଛି ଆଡ଼ପ ଦର୍ଶନ। ପ୍ରଥମ ଦିନରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲମ୍ବା ବ୍ୟାରିକେଡ଼ରେ ଭକ୍ତମାନେ ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ।

ଗତକାଲି ଆଡପ ମଣ୍ଡପରେ ଶ୍ରୀବିଗ୍ରହଙ୍କ ମଇଲମ, ତଡପ ଲାଗି, ଅବକାଶ ପୂଜା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା। ପରେ ଗୋପାଳ ବଲ୍ଲଭ ଭୋଗ କରାଯାଇଥିଲା। ଏହା ପରେ ସକାଳ ଧୂପରେ ପ୍ରଥମ ଆଡପ ଅଭଡ଼ା ବାହାରିଥିଲା। ଆଡପ ମଣ୍ଡପରେ ଆଡପ ପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରିଥିଲେ ଭକ୍ତଗଣ।

ଚଳିତ ବର୍ଷ ପ୍ରଥମକରି ଜୈବିକ ଚାଉଳରେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ତେଣୁ  ରାତି ପ୍ରାୟ ୯ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Related posts