ରାଜ୍ୟରେ କମିଛି ଭୂତଳ ଜଳ, ସ୍ବୀକାର କଲେ ଜଳସମ୍ପଦ ମନ୍ତ୍ରୀ

Published: Jul 25, 2019, 1:50 pm IST
ground water level has goes down

କମୁଛି ଭୂ-ତଳ ଜଳସ୍ତର। ଏନେଇ ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି ଖୋଦ୍‌ ଜଳସମ୍ପଦ ମନ୍ତ୍ରୀ। ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣ ପରେ ଏବେ ମହାନଦୀ ଶୁଖିଲା ପଡ଼ିବା ସହ ଓଡ଼ିଶାକୁ ଏକ ପ୍ରକାର ଜଳ ସଙ୍କଟ ଦେଖା ଦେଲାଣି। ଛତିଶଗଡ଼ ଉପର ମୁଣ୍ଡରେ ବନ୍ଧ ନିର୍ମାଣ କରି ଓଡ଼ିଶାର ପାଣିକୁ ଅଟାଇ ରଖିଥିବାରୁ ମହାନଦୀ ଶୁଖିଲା ପଡ଼ିଛି। ଅନ୍ୟପଟେ ମହାନଦୀ ଶୁଖିଲା ପଡ଼ିବାରୁ ଓଡ଼ିଶାରେ ଭୂ-ତଳ ଜଳସ୍ତର କମୁଥିବା କୁହାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ସମୁଦାୟ ୯୫ ହଜାର ୬୪୦ ମିଲିୟନ୍‌ ଘନମିଟର ଭୂପୃଷ୍ଠରେ ଜଳ ପ୍ରବାହିତ ହେଉଥିବା ବେଳେ ସେଥିମଧ୍ୟରୁ ଆମ ରାଜ୍ୟରେ ୫୦ ହଜାର ୫୪୦ମିଲିୟନ ଘନମିଟର ଜଳ ସମୁଦ୍ରକୁ ବୋହି ଯାଉଛି ବୋଲି ସୂଚନା ଦେଇଛନ୍ତି ଖୋଦ୍‌ ମନ୍ତ୍ରୀ। ତେଣୁ ଏହି ଜଳକୁ ସଂରକ୍ଷଣ କରିବା ଦିଗରେ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଏହି ଜଳକୁ ସଂରକ୍ଷଣ କରାଯିବ। ଜଳ ସଂରକ୍ଷଣ ପାଇଁ ରାଜ୍ୟରେ ୧୪,୫୮୮ଟି ଆଡ଼ିବନ୍ଧ, ୭ଟି ମଧ୍ୟମ, ୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୫୫ଟି ଡାଇଭର୍ସନ ଓୟାର କରାଯାଇଛି। ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତର ରଖିଛନ୍ତି। ୨୦୦୯ରେ ରାଜ୍ୟରେ ଭୂତଳ ଜଳ ଥିଲା ୧୬.୬୯ବିଲିୟନ ଘନ ମିଟର। ୨୦୧୭ରେ ଭୂତଳ ଜଳ ପରିମାଣ ଥିଲା ୧୫.୫୭ ବିଲିୟନ ଘନ ମିଟର। ୨୦୦୯ରୁ ୧୭ ମଧ୍ୟେର ଭୂତଳ ଜଳ ପରିମାଣ ୧.୧୨ ବିଲିୟନ ଘନମିଟର କମିଛି  ବୋଲି କହିଛନ୍ତି ମନ୍ତ୍ରୀ।

Related posts