
ଭୁବନେଶ୍ଵର: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମଠାରେ ଅନୁଷ୍ଠିତ ବିଶ୍ବ ପୁଲିସ ଓ ଅଗ୍ନିଶମ କ୍ରୀଡ଼ା-୨୦୨୫ରେ ଓଡ଼ିଶା ପୁଲିସର କ୍ରୀଡ଼ାବିତମାନେ ନିରନ୍ତର ସଫଳତା ହାସଲ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୪ଜଣ ଯୁବ କ୍ରୀଡ଼ାବିତ ସ୍ବର୍ଣ୍ଣପଦକ ବିଜୟୀ ହୋଇ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। କନେଷ୍ଟବଳ ଅଶୋକ ଦଣ୍ଡସେନା ଏବଂ କନେଷ୍ଟବଳ ସୁସ୍ମିତା ଟିଗୋ ଉଭୟ ୧୫ଶହ ମିଟର ପୁରୁଷ ଓ ମହିଳାବର୍ଗ ଦୌଡ଼ରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।
ସେହିପରି କନେଷ୍ଟବଳ ଭଗବାନ ରେଡ୍ଡୀ ଓ କନେଷ୍ଟବଳ ସୁମନ ଶେଖର ଦାସ କରାଟେରେ ସ୍ବର୍ଣ୍ଣପଦକ ପାଇଛନ୍ତି। ଏହି ୪ଜଣ କ୍ରୀଡ଼ାବିତଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଶୁଭକାମନା ଜଣାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏହି ବିରଳ ସଫଳତା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।