ନୂଆଦିଲ୍ଲୀ: ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ଘିଅ ଅପମିଶ୍ରଣ ମାମଲାର ବିଚାର ପ୍ରକ୍ରିୟାକୁ ଆନ୍ଧ୍ର ପ୍ରଦେଶ ବାହାରକୁ ସ୍ଥାନାନ୍ତର କରିବା ପାଇଁ ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାହାର କରିଦେଇଛନ୍ତି। ଆନ୍ଧ୍ର ପ୍ରଦେଶରେ ଚାଲିଥିବା ଏହି ସମ୍ବେଦନଶୀଳ ମାମଲାକୁ ଅନ୍ୟ କୌଣସି ରାଜ୍ୟକୁ ଘୁଞ୍ଚାଇବା ପାଇଁ ହୋଇଥିବା ଗୁହାରିକୁ ଖାରଜ କରି ଆଦାଲତ ସ୍ପଷ୍ଟ କରିଛନ୍ତି ଯେ ବିଚାର ପ୍ରକ୍ରିୟା ପୂର୍ବପରି ଆନ୍ଧ୍ର ପ୍ରଦେଶରେ ହିଁ ଚାଲିବ। ଏହି ମାମଲାରେ ଅଧିକାଂଶ ସାକ୍ଷୀ ଆନ୍ଧ୍ର ପ୍ରଦେଶର ହୋଇଥିବା ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏହାର ତଦନ୍ତ କରୁଥିବାରୁ ମାମଲାର ସ୍ଥାନାନ୍ତରଣ ଆବଶ୍ୟକ ନାହିଁ ବୋଲି ଅଦାଲତ କହିଛନ୍ତି।
ମହାରାଷ୍ଟ୍ରର ଏକ ଦୁଗ୍ଧ ବ୍ୟବସାୟୀ ତଥା ମାଲଗଙ୍ଗା ମିଲ୍କ ଆଣ୍ଡ ଆଗ୍ରୋ ପ୍ରୋଡକ୍ଟସ ଘରୋଇ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ, ଯିଏ ଏହି ମାମଲାରେ ଜଣେ ଅଭିଯୁକ୍ତ, ସେ ବିଚାର ପ୍ରକ୍ରିୟାକୁ ଆନ୍ଧ୍ର ପ୍ରଦେଶରୁ ଅନ୍ୟ ରାଜ୍ୟକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଶୁଣାଣି ସମୟରେ କୁହାଯାଇଥିଲା ଯେ ଆନ୍ଧ୍ର ପ୍ରଦେଶର ରାଜନୈତିକ ନେତାମାନେ ଏହି ବିଷୟରେ ନିରନ୍ତର ବକ୍ତବ୍ୟ ଦେଉଥିବାରୁ ସେଠାରେ ଏକ ପ୍ରତିକୂଳ ଓ ପକ୍ଷପାତପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ମାମଲାରେ ବାରମ୍ବାର ମନ୍ତବ୍ୟ ଦେଉଛନ୍ତି। ଏହାସହିତ ଅଧିକାଂଶ ଅଭିଯୁକ୍ତ ଉତ୍ତର ଭାରତର ହୋଇଥିବାରୁ ସେଠାରେ ଭାଷାଗତ ପ୍ରତିବନ୍ଧକ ରହିଛି ଏବଂ ରାଜନୈତିକ ଟଣାଓଟରା ମଧ୍ୟରେ ନିରପେକ୍ଷ ନ୍ୟାୟ ପାଇବା ଅସମ୍ଭବ ହୋଇପଡ଼ିଛି ବୋଲି ଆବେଦନକାରୀ ଦାବି କରିଥିଲେ।
ତେବେ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ଅଦାଲତ କହିଛନ୍ତି ଯେ ଆଦେଶ ମାଧ୍ୟମରେ ସମସ୍ତ ବକ୍ତବ୍ୟ ଓ ପ୍ରଭାବକୁ ନିୟନ୍ତ୍ରିତ କରାଯାଇଛି। ମାମଲା ସହିତ ଜଡ଼ିତ ବହୁ ସଂଖ୍ୟକ ସାକ୍ଷୀ ଆନ୍ଧ୍ର ପ୍ରଦେଶର ହୋଇଥିବାରୁ ରାଜ୍ୟ ବାହାରକୁ ନେଲେ ବିଚାର ପ୍ରକ୍ରିୟା ବ୍ୟାହତ ହେବ। ଏହା ସହିତ ନିରପେକ୍ଷତା ବଜାୟ ରଖିବା ପାଇଁ ପୂର୍ବରୁ ହିଁ ସର୍ବୋଚ୍ଚ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୃଥକ ଓ ସ୍ୱାଧୀନ ତଦନ୍ତକାରୀ ଦଳ ଗଠନ କରାଯାଇସାରିଛି, ଯାହା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ଆନ୍ଧ୍ର ପ୍ରଦେଶ ପୋଲିସ ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣର ଅଧିକାରୀମାନଙ୍କୁ ନେଇ ଗଠିତ।
ସୂଚନାଯୋଗ୍ୟ ଯେ ତିରୁପତି ଲଡୁ ପ୍ରସାଦରେ ପ୍ରାଣୀ ଚର୍ବି ବ୍ୟବହୃତ ହୋଇଥିବା ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ସରକାରଙ୍କ ମଧ୍ୟରେ ଏହାକୁ ନେଇ କାଦୁଅ ଫିଙ୍ଗା ସୃଷ୍ଟି ହୋଇଥିଲା। ସାଧାରଣ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ପହଞ୍ଚିବା ଏବଂ ଏହି ମାମଲାକୁ ରାଜନୈତିକ ରଙ୍ଗ ଦିଆଯାଉଥିବା ଦେଖି ସୁପ୍ରିମକୋର୍ଟ ନିଜେ ହସ୍ତକ୍ଷେପ କରି ଏକ ନିରପେକ୍ଷ ତଦନ୍ତକାରୀ ଦଳ ଗଠନ କରିଥିଲେ। ବର୍ତ୍ତମାନ ଏହି ସ୍ୱତନ୍ତ୍ର ଦଳ ଦ୍ୱାରା ତଦନ୍ତ ଜାରି ରହିଥିବା ବେଳେ ମାମଲା ସ୍ଥାନାନ୍ତର ନିବେଦନ ଖାରଜ ହେବା ଫଳରେ ବିଚାର କାର୍ଯ୍ୟ ଆନ୍ଧ୍ର ପ୍ରଦେଶରେ ହିଁ ଆଗକୁ ବଢିବ।


