
ନୂଆଦିଲ୍ଲୀ: ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ।
ମାନନୀୟ ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପକ୍ଷରୁ ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ସଦିଚ୍ଛା ଜଣାଇଥିଲେ। ତାଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ। ଭାରତୀୟ ଗଣତନ୍ତ୍ରର ଜୀବନ୍ତତାକୁ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ, ଗଣତନ୍ତ୍ରର ସ୍ରଷ୍ଟା ଭାବେ ଭାରତ ଏହି ଅଭ୍ୟାସକୁ ଏହାର ସଂସ୍କୃତି ଓ ଜୀବନର ଅଭିନ୍ନ ଅଂଶରେ ପରିଣତ କରିଛି। ସେ ଉଲ୍ଲେଖ କରିଥିଲେ, ଏହି ପନ୍ଥା ଭାରତୀୟ ବିବିଧତାକୁ ସଫଳ ଓ ସମୃଦ୍ଧ କରିଛି। ଏହା ସମସ୍ତ ଚିନ୍ତାଧାରାର ଅସ୍ତିତ୍ୱ ବଞ୍ଚାଇ ରଖିଛି ଏବଂ ସଂସଦୀୟ ଆଲୋଚନା ଏବଂ ସାର୍ବଜନୀନ ତର୍କକୁ ସମୃଦ୍ଧ କରିଛି।
ତ୍ରିନିଦାଦ ଓ ଟୋବାଗୋକୁ ସଫଳ ଗଣତାନ୍ତ୍ରିକ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣ ସ୍ୱାଧୀନତାର ରାସ୍ତାରେ ଏକଜୁଟ ହୋଇ ଛିଡ଼ା ହୋଇଥିବାରୁ ଭାରତ ନିଜକୁ ସମ୍ମାନିତ ମନେ କରୁଛି । ସେ ଗୁରୁତ୍ୱାରୋପ କରି କହିଥିଲେ, ଦୁଇ ଦେଶ ମଧ୍ୟରେ ଗଭୀର ବନ୍ଧନ ରହିଛି । ଦୁଇ ଗଣତନ୍ତ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ବନ୍ଧକୁ ଉଲ୍ଲେଖ କରି ସେ କହିଥିଲେ, ଏହା ଭାରତ ଦ୍ୱାରା ଉପହାର ଦିଆଯାଇଥିବା ବାଚସ୍ପତିଙ୍କ ଚେୟାରରେ ପ୍ରତିବିମ୍ବିତ ହେଉଛି । ଦ୍ୱିପାକ୍ଷିକ ସଂସଦୀୟ ଆଦାନପ୍ରଦାନକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ଗୃହରେ ମହିଳା ସାଂସଦମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିରେ ସନ୍ତୋଷ ପ୍ରକାଶ କରିଥିଲେ । ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଭାରତ ନେଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ତଳସ୍ତରରେ କିପରି ମହିଳା ମାନେ ନେତୃତ୍ୱ ନେଉଛନ୍ତି ତାହା ସେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦେଶର ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ୧୫ ଲକ୍ଷ ନିର୍ବାଚିିତ ମହିଳା କିପରି କ୍ଷମତା ପାଇପାରିଛନ୍ତି ସେ ନେଇ ଗୁରୁତ୍ୱାରୋପ କରିଥିଲେ ।
ମାନବତା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଶାନ୍ତିପ୍ରିୟ ସମାଜ ପ୍ରତି ବଡ଼ ବିପଦ ହୋଇଥିବା ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ସମୁଦାୟ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ । ବୈଶ୍ୱିକ ପ୍ରଶାସନର ସଂସ୍କାର ଏବଂ ଗ୍ଲୋବାଲ ସାଉଥକୁ ତାର ହକ୍ ଦେବାନେଇ ସେ ଆଗ୍ରହ ପ୍ରକାଶ କରିଥିଲେ । ଭାରତ-କାରିକମ୍ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ପ୍ରତିବଦ୍ଧତା ଜଣାଇଥିଲେ ।
ତ୍ରିନିଦାଦକୁ ଭାରତୀୟଙ୍କ ଆଗମନର ୧୮୦ ବର୍ଷ ପୂର୍ତ୍ତି ଏବେ ପାଳନ ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଶତାବ୍ଦୀ ପୁରୁଣା ବନ୍ଧନର ଭିତ୍ତି ଉପରେ ଆଧାରିତ ଏବଂ ଏହା ଅଧିକ ଗଭୀର ଓ ସମୃଦ୍ଧ ହୋଇଚାଲିବ ।