ଭୁବନେଶ୍ବର: ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ପ୍ରଭୃ ଜଗନ୍ନାଥ ରଥକୁ ବଡଦାଣ୍ଡରେ ଅଟକାଯାଇଥିଲା। ଏହିପରି ଏକ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ଆଜି ଭୁବନେଶ୍ବରରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ରାହୁଳ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଶିଳ୍ପପତିଙ୍କ ପାଇଁ ଜଗନ୍ନାଥଙ୍କୁ ମଧ୍ୟ ବିଜେପି ସରକାର ବଦନାମ କରିବାକୁ ପଛାଇ ନାହାଁନ୍ତି।
ସୂଚନାଯୋଗ୍ୟ ଯେ, ପୁରୀରେ ପ୍ରସିଦ୍ଧ ରଥଯାତ୍ରା ବେଳେ ଚଳିତ ବର୍ଷ ଜଗନ୍ନାଥଙ୍କର ରଥ ସେହିଦିନ ଟଣାଯାଇ ପାରି ନ ଥିଲା। ରଥଯାତ୍ରା ପରଦିନ ଏହି ରଥଟଣା ଯାଇଥିଲା। ସେହିଦିନ ଶିଳ୍ପପତି ଗୌତମ ଆଦାନୀ ପୁରୀ ଆସି ଜଗନ୍ନାଥଙ୍କ ରଥ ଟଣାରେ ସାମିଲ ହୋଇଥିଲେ। ସେ ଏବଂ ତାଙ୍କ ପରିବାର ରଥରେ ଥିବା ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ରଥ ଟାଣିଥିଲେ। ତେବେ ନିୟମ ଅନୁସାରେ ରଥଯାତ୍ରା ଦିନ ରଥଟଣା ଶେଷ ହେବା କଥା। ହେଲେ ଚଳିତ ବର୍ଷ ତାହା ହୋଇପାରି ନ ଥିଲା। ପରଦିନ ରଥଟଣା ହେବା ଏବଂ ଆଦାନୀ ସାମିଲ ହେବା ନେଇ ଭକ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।
ଫଳରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି ଜଗନ୍ନାଥଙ୍କ ରଥକୁ ଆଦାନୀ ଟାଣିବା ପାଇଁ ସ୍ଥଗିତ ରଖି ଥିଲେ ବୋଲି ଅଭିଯୋଗ ହୋଇଆସୁଛି। ପୂର୍ବରୁ ଏହି ପ୍ରସଂଗକୁ ନେଇ ଓଡିଶା କଂଗ୍ରେସ ଦଳ ମଧ୍ୟ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଆସୁଛି। ବର୍ତ୍ତମାନ ରାହୁଳ ଗାନ୍ଧୀ ଏହା କହିବା ପରେ ତାହା ପୁଣିଥରେ ଆଦାନୀଙ୍କ ପାଇଁ ରଥଟଣା ବନ୍ଦ ହେବା ଅଭିଯୋଗ ଚର୍ଚ୍ଚାକୁ ଆସିଛି।
ରାହୁଳ ଆହୁରି କହିଛନ୍ତି ଯେ, ଓଡିଶାରେ ବିଜେପି ଦଳ ସରକାର ଚଳାଉ ନାହିଁ, ଏହାକୁ ଆଦାନୀ ଚଳାଉଛନ୍ତି। ତାଙ୍କୁ ରାଜ୍ୟର ଖଣିଖାଦନ ବିକ୍ରି କରିବା ପାଇଁ ଏହି ବିଜେପି ସରକାର ଚବିଷ ଘଣ୍ଟା କାମ କରୁଛି। ଏ ସରକାର ଆପଣଙ୍କର ନୁହେଁ ଏହା ଆଦାନୀ ସରକାର ବୋଲି ରାହୁଳ ଗାନ୍ଧୀ କହିଥିଲେ। ରାଜ୍ୟ ସରକାର କେବଳ ରାଜ୍ୟର ସଂପଦ ଚୋରୀ କରି କିପରି ଶିଳ୍ପପତିଙ୍କ ହାତରେ ଟେକି ଦେବ ସେହି କାମ କରୁଛି ବୋଲି ରାହୁଳ କହିଥିଲେ।
ରାହୁଳ ଗାନ୍ଧୀଙ୍କ ପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ସମାନ ଅଭିଯୋଗ କରିଛନ୍ତି। ଆଦାନୀଙ୍କ ପାଇଁ ବିଜେପି ସରକାର ରଥଯାତ୍ରା ସ୍ଥଗିତ ରଖିଥିଲେ ବୋଲି ସେ କହିଛନ୍ତି। ସେହିପରି ଏଥର ରଥଯାତ୍ରାରେ ଦଳଚକଟାରେ ତିନିଜଣଙ୍କର ମୃତ୍ୟୁ ହେବା ଏବଂ ବହୁ ଭକ୍ତ ଆହତ ହେବା ଦୁର୍ଭାଗ୍ୟଜନକ ବୋଲି ଖଡଗେ କହିଥିଲେ। ଓଡିଶା ସରକାର କେବଳ ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି। ଏପରି ସରକାରକୁ ହଟାଇବା ଦରକାର ବୋଲି ଲୋକଙ୍କୁ ଖଡଗେ ଆହ୍ବାନ ଦେଇଥିଲେ।
ରାହୁଳ ଆଦାନୀଙ୍କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ, ଓଡିଶାର ବିଜେପି ଦଳ ସରକାର ଚଳାଉ ନାହିଁ, ଏହାକୁ ଆଦାନୀ ଚଳାଉଛନ୍ତି। ତାଙ୍କୁ ରାଜ୍ୟର ଖଣିଖାଦନ ବିକ୍ରି କରିବା ପାଇଁ ଏହି ବିଜେପି ସରକାର ଚବିଶ ଘଣ୍ଟା କାମ କରୁଛି। ଏ ସରକାର ଆପଣଙ୍କର ନୁହେଁ ଏହା ଆଦାନୀଙ୍କ ସରକାର ବୋଲି ରାହୁଳ ଗାନ୍ଧୀ କହିଥିଲେ। ରାହୁଳଙ୍କ ଏପରି ଆକ୍ରମଣାତ୍ମକ ଭାଷଣ ଶୁଣି କଂଗ୍ରେସ କର୍ମି ବେଶ ଉତଫୁଲିତ ହୋଇପଡିଛନ୍ତି।