The Samikhsya Desk: ଦୁଇ ଭଉଣୀ ମିଶି ପ୍ରତିଷ୍ଠା କରିଥିଲେ ଏକ ବେକରୀ ଦୋକାନ। ନାମ ଦେଇଥିଲେ ଥିଓବ୍ରୋମା ଫୁଡସ୍। ସେହି ଦୋକାନ ଯେ, ଦେଶରେ ଏକ ବଡ ବ୍ୟବସାୟ କରିବ କେହି କେବେ ଆଶା କରି ନ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ସେ ବେକରୀ ଚେନ କଂପାନୀକୁ କିଣି ନେଲା କ୍ରିସ କ୍ୟାପିଟାଲ ନାମିତ ଅନ୍ୟ ଏକ କଂପାନୀ।
ଆଉ ତା ବଦଳରେ ସେହି କଂପାନୀ ଯେଉଁ ଅର୍ଥ ପ୍ରଦାନ କଲା ତାହା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ। କ୍ରିସ କ୍ୟାପିଟାଲ ଥିଓବ୍ରୋମା ଫୁଡ ଚେନ କୁ ପ୍ରଦାନ କରିବ ୨୪୧୦୦୦୦୦୦୦୦ ଟଙ୍କା ବା ୨୪୧୦ କୋଟି ଟଙ୍କା। ଏହି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇକୋନମିକ୍ସ ଟାଇମସ। ତେବେ ସେହି ଦୁଇ ଭଉଣୀ ତାଙ୍କ ହାତରେ ରଖିଛନ୍ତି ମାତ୍ର ୧୦ ପ୍ରତିଶତ ଅଂଶଧନ। ଅର୍ଥାତ ଆଉ ନବେ ପ୍ରତିଶତକୁ କ୍ରିସ କ୍ୟାପିଟାଲ ୨୪୧୦ କୋଟି ଟଙ୍କାରେ କିଣିବ।
ତେବେ ଏହି ଥିଓବ୍ରୋମା ଫୁଡସ ପଛରେ ଥିବା ଦୁଇ ଭଉଣୀ କିଏ ତାହା ଜାଣିବା ଦରକାର। ସେମାନେ ହେଲେ କେନାଜ୍ ଏବଂ ଟିନା ମେସମ୍ୟାନ୍। ସେମାନେ ଭାରତର ସବୁଠାରୁ ପ୍ରତିଷ୍ଠିତ ବେକରି ଚେନ୍ ମଧ୍ୟରୁ ଗୋଟିଏ ନିର୍ମାଣ କରିଛନ୍ତି। ସେମାନେ ୨୦୦୪ ମସିହାରେ ମୁମ୍ବାଇରେ ଏକ ଛୋଟ ଘରୋଇ ଉଦ୍ୟୋଗ ଭାବରେ ଆରମ୍ଭ କରିଥିଲେଷ ବର୍ତ୍ତମାନ ସାରା ଭାରତରେ ୨୨୫ ରୁ ଅଧିକ ଆଉଟଲେଟ୍ ସହିତ ଏକ ପ୍ରମୁଖ ବେକରି ବ୍ରାଣ୍ଡରେ ପରିଣତ ହୋଇଛନ୍ତି।
ଥିଓବ୍ରୋମା ନାମର ଅର୍ଥ ହେଉଛି “ଦେବତାଙ୍କ ଖାଦ୍ୟ”, ଯାହା ଗ୍ରୀକ୍ ଶବ୍ଦ ଥିଓସ୍ (ଦେବତା) ଏବଂ ବ୍ରୋମା (ଖାଦ୍ୟ) ରୁ ଆସିଛି। ଯେତେବେଳେ ଭାରତର ବେକେରୀ ଶିଳ୍ପର ଚାହିଦା ନ ଥିଲା ସେତେବେଳେ ସେମାନେ ଥିଓବ୍ରୋମା ଆଉଟଲେଟ ଖୋଲିଥିଲେ। ଏହା ୟୁରୋପୀୟ-ଶୈଳୀର ବ୍ରାଉନି, ମିଠା ଏବଂ କେକ୍ ସହିତ ଏକ ଅନନ୍ୟ ବ୍ରାଣ୍ଡ ତିଆରି କଲେ ଯାହା ଯୁବ, ସହରୀ ଜନତାଙ୍କୁ ବେଶ ଆକର୍ଷିତ କରିଥିଲା।
ଗୁଣାତ୍ମକ ଉପାଦାନ ଏବଂ ସୁଲଭ ମୂଲ୍ୟ ଉପରେ ସେମାନେ ଧ୍ୟାନ ଦେବାରୁ ସେମାନଙ୍କ ବ୍ୟବସାୟ ବୃଦ୍ଧି ପାଇଥିଲା। ତଥାପି ଏହି ବ୍ୟବସାୟରେ ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ସେମାନେ ତାଙ୍କ ବାପାଙ୍କ ଠାରୁ ପାଣ୍ଠି ୧.୫ କୋଟି ଟଙ୍କା ଆଣି ନିବେଶ କରିଥିଲେ। ଏକ ଦଶନ୍ଧି ପରେ, ୨୦୧୪ ମସିହାରେ, ଦୁଇ ଭଉଣୀ ସେମାନଙ୍କର ପ୍ରଥମ ଆଉଟଲେଟ୍ ବାହାରେ ବିସ୍ତାର କରିଥିଲେ। ସେଥିପାଇଁ ସେମାନେ ୫ କୋଟି ଟଙ୍କାର ପ୍ରଥମ ଋଣ ନେଇଥିଲେ। ଯାହା ପରବର୍ତ୍ତି ସମୟରେ ସୁଝି ଦେଇଥିଲେ। ବର୍ତ୍ତମାନ ଏହି ଦୁଇ ଭଉଣୀଙ୍କ କଂପାନୀ ଏତେ ଟଙ୍କାରେ ବିକ୍ରି ହେବା ନେଇ ଚାରିଆଡେ ବେଶ ଚର୍ଚ୍ଚା ଚାଲିଛି।