ଚିଲିକା: ଆଜି ଚିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଆଙ୍କୁଲାଚ଼ଟୀ ସ୍ଥିତ ପିଏମ୍.ଶ୍ରୀ. ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଉତ୍ସବ ତଥା ବାର୍ଷିକ ଉତ୍ସବ ପାଳନ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।
ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ତେଣୁ ଭବିଷ୍ୟତର ଆବଶ୍ୟକତାକୁ ଲକ୍ଷ୍ୟ କରି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ଦେବା ସହ ବିଦ୍ୟାଳୟ ସ୍ତରରୁ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିଛନ୍ତି।ଏଥିରେ ଭାରତୀୟ ସଂସ୍କୃତି, ପରମ୍ପରା ଓ ଐତିହାସିକ ମୂଲ୍ୟବୋଧକୁ ବଜାୟ ରଖି ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଏବଂ ବିଶ୍ଳେଷଣ ଆଧାରିତ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି।କେବଳ ନିଜ ପାଇଁ ନୁହେଁ, ଜାତି, ସଂସ୍କୃତି ଓ ସମାଜର ଉତ୍ଥାନ ତଥା ରାଷ୍ଟ୍ରନିର୍ମାଣ ପାଇଁ ନିରନ୍ତର କାର୍ଯ୍ୟ କରିବାର ବିଚାରଧାରା ମଧ୍ୟ ଏହି ଶିକ୍ଷା ନୀତିରେ ଅନ୍ତର୍ନିହିତ ରହିଛି ।
ଉତ୍ତମ ସଂସ୍କାର, ଚରିତ୍ର ଗଠନ, ଗୁଣାତ୍ମକ ମାନଯୁକ୍ତ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶକୁ ଗୁରୁତ୍ୱ ଦେବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ନିଷ୍ଠା, ଏକାଗ୍ରତା ଓ ସମୟାନୁବର୍ତ୍ତିତା ହୋଇ ପାଠ ପଢିବାକୁ ଆହ୍ୱାନ କରିଥିଲେ।
ଏହି ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ,ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟ, ଚ଼ିଲିକା ବିଡ଼ିଓ ପୁନମ ମହାପାତ୍ର, ଚ଼ିଲିକା ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ବାରିକାନାଥ ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ପାତ୍ରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଗଣ ଉପସ୍ଥିତ ଥିଲେ।