ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ କାଶ୍ମୀର ଗସ୍ତରୁ ଫେରିବା ପରେ ଅତିରିକ୍ତ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପଠାଇବା ପାଇଁ ନିଷ୍ପତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କହୁଯାଇଛି ଯେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ଅଧିକ ମୁତୟନ ଫଳରେ ଆତଙ୍କବାଦୀ ନେଟୱର୍କକୁ ଧ୍ୱଂସ କରିବା ନେଇ ଚାଲିଥିବା ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ। ଏହାସହ ରାଜ୍ୟରେ ଆଇନ ବ୍ୟବସ୍ଥାକୁ ସୁଦୃଢ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅନ୍ୟପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ କେନ୍ଦ୍ରର ଏହି ନିଷ୍ପତିକୁ ନେଇ ବିରୋଧ କରିଛନ୍ତି। ମୁଫତୀ ଟ୍ୱିଟ କରି କହିଛନ୍ତି ଯେ କେନ୍ଦ୍ରର ନିଷ୍ପତି ପରେ ଘାଟିରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି। ସେ ଲେଖିଛନ୍ତି ଯେ ଘାଟିରେ ଅତିରିକ୍ତ ୧୦ ହଜାର ଯବାନ ମୁତୟନ କରିବା ନିଷ୍ପତି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅଭାବ ନାହିଁ। ଜମ୍ମୁ-କାଶ୍ମୀରର ସମସ୍ୟା ରାଜନୈତିକ ଅଟେ ଯାହାକୁ ସୈନ୍ୟବାହିନୀ ଦ୍ୱାରା ସମାଧାନ କରାଯାଇ ପାରିବନି ବୋଲି ମେହବୁବା କହିଛନ୍ତି।