ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ କନକ ମହାପାତ୍ରଙ୍କ ପରଲୋକ ଘଟିଛି। ଏହି ଖବର ଜଣାପଡିବା ପରେ ତାଙ୍କ ଖାରବେଳ ନଗର ବାସଭବନରେ ବହୁ ବ୍ୟକ୍ତି ଶେଷ ଦର୍ଶନ କରିବାକୁ ଯାଇଥିଲେ। ଏଥିରେ ବହୁ ଚଳଚିତ୍ର ଅଭିନେତା ଓ ନେତା ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସିଦ୍ଧାନ୍ତଙ୍କ ମାଆଙ୍କୁ ଶେଷ ଦର୍ଶନ କରିଛନ୍ତି। ଏଥିସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସିଦ୍ଧାନ୍ତଙ୍କ ମାଆଙ୍କ ପରଲୋକ ଖବର ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେକିଛନ୍ତି ଯେ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତ।