ବିବାଦୀୟ ବୟାନ ପାଇଁ ଲୋକସଭାରେ କ୍ଷମା ମାଗିଲେ ଆଜମ୍‌ ଖାନ୍‌

Published: Jul 29, 2019, 12:15 pm IST

ସମାଜବାଦୀ ପାର୍ଟିର ସାଂସଦ ଆଜମ୍‌ ବିଜେପି ସାଂସଦ ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଆଜି ଲୋକସଭାରେ କ୍ଷମା ମାଗିଛନ୍ତି । ସୋମବାର ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଜମ୍‌ ଖାନ୍‌ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷମା ମାଗିଛନ୍ତି । ଯଦି ତାଙ୍କର ମନ୍ତବ୍ୟ ନେଇ କାହାକୁ କଷ୍ଟ ହୋଇଥାଏ କିମ୍ବା କାହା ଭାବନାରେ ବାଧା ପହଞ୍ଚିଥାଏ, ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି କହିଥିଲେ । ଆଜମ୍‌ କ୍ଷମା ମାଗିବା ପରେ ଗୃହରେ ଭାଜପା ଏମ୍‌ପିଙ୍କ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହି କ୍ରମରେ ସପାର ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ଉନ୍ନାଓ ପୀଡ଼ିତାଙ୍କ ଘଟଣା ଉପରେ ପ୍ରଶ୍ନ କରି ବିଜେପି ଏହି ଘଟଣା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ବୋଲି କହିଥିଲେ । ଏହା ପରେ ବାଚସ୍ପତି ଓମ୍‌ ବିର୍ଲା ଆଜମ ଖାନ୍‌ଙ୍କୁ ଦ୍ବିତୀୟଥର ପାଇଁ ରମା ଦେବୀଙ୍କୁ କ୍ଷମା ମାଗିବାକୁ କହିଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଆଜମ ଖାନ୍‌ ରମା ଦେବୀଙ୍କୁ କ୍ଷମା ମାଗିଥିଲେ । ଆଜମ ଖାନ୍‌ଙ୍କୁ କ୍ଷମା ଦେବା ସହିତ ରମା ଦେବୀ  ତାଙ୍କ ବ୍ୟବହାରରେ ଦେଶକୁ ଦୁଃଖ ପହଞ୍ଚିଛି ବୋଲି କହିଥିଲେ । ତେଣୁ ଆଜମ ଖାନ୍‌ଙ୍କୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ କରିବା ଉଚିତ୍‌ ବୋଲି କହିଛନ୍ତି ରମା ଦେବୀ ।

Related posts