ରସଗୋଲା ପରେ ଏବେ ରସାବଳି ପାଳି : ଓଡ଼ିଶାର ମିଠା ଓ ପିଠାର ଜିଆଇ ମାନ୍ୟତା ଦାବି କଲେ ବିରୋଧୀ

Published: Jul 30, 2019, 5:50 pm IST

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶାର ଅନ୍ୟାନ୍ୟ ମିଠା ତଥା ରସାବଳି, ଆରିସା, ଛେନାପୋଡ୍‌ ଆଦିକୁ ଜିଆଇ ମାନ୍ୟତା ପାଇଁ ଦାବି କରାଯିବ। ତଥ୍ୟ ସଂଗ୍ରହ ପରେ ଏହିସବୁ ପାଇଁ ରାଜ୍ୟ ପକ୍ଷରୁ ଦାବୀ କରାଯିବା ନେଇ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସୂଚନା ଦେଇଛନ୍ତି ।  ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବାରୁ ଗର୍ବିତ ଅନୁଭବ କରୁଥିବା ରାଜ୍ୟ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର କହିଛନ୍ତି । ଏହା ପରେ ଆରିସା, ଛେନାପୋଡ଼, ରସାବଳିକୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ତଥ୍ୟ ସଂଗ୍ରହ କରାଯିବ । ତଥ୍ୟ ସଂଗ୍ରହ ପରେ ଏହି ସବୁ ପାଇଁ ରାଜ୍ୟ ପକ୍ଷରୁ ଜିଆଇ ମାନ୍ୟତା ଦାବୀ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ବିଧାନସଭାରେ ରସାବଳିକୁ ଜିଆଇ ମାନ୍ୟତା ଦେବା ପ୍ରସଙ୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲା । ରସଗୋଲା ଭଳି ଆରିସା, କାକରା, ମଣ୍ଡା, ମୁଦୁକ ଓ ରସାବଳିକୁ ଜିଆଇ ମାନ୍ୟତା ଦେବା ପାଇଁ ରାଜ୍ୟସରକାର ଦାବି କରନ୍ତୁ ବୋଲି ତାରା ବାହିନୀପତି ଦାବି କରିଥିଲେ । ସେହିପରି ଜିଆଇ ମାନ୍ୟତା ପାଇଁ ତୁରନ୍ତ ରାଜ୍ୟସରକାର ଆବେଦନ କରିବାକୁ ପରାମର୍ଶ ଦେଇଥିଲା ବିରୋଧୀ ବିଜେପି । ରାଜ୍ୟର ନିଜସ୍ବ ପଦାର୍ଥର ତାଲିକା ଗୃହରେ ଉପସ୍ଥାପନ କରିବାକୁ ମଧ୍ୟ ବିଜେପି ଦାବି କରିଥିଲା । ସେହିପରି ଦେବୀ ମିଶ୍ର ମଧ୍ୟ ଓଡ଼ିଶାର ଆରିସା, କାକରାକୁ ଜିଆଇ ମାନ୍ୟତା ପାଇଁ ଦାବି କରିଛନ୍ତି ।  ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଓଡ଼ିଶାର ଲଢେଇ ଶେଷ ହେବା ପରେ ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା ।

Related posts