ଦିନକୁ ଦିନ ନଦୀ ଜଳ ଜହର ପାଲଟିବାରେ ଲାଗିଛି। ଏହି ପ୍ରସଙ୍ଗରେ ଏବେ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତ ରଖିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ପ୍ରମୁଖ ୫ଟି ନଦୀର ଜଳ ଦୂଷିତ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ ହୋଇ ଜହର ପାଲଟିଛି । ଏହି ୫ଟି ନଦୀ ଯଥା ମହାନଦୀ, ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀର ଜଳ ଦୂଷିତ ହୋଇଛି। ମହାନଦୀର ୨ଟି ଭାଗ, ଶଙ୍ଖ ଓ କୋଏଲ ନଦୀର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ରହିଛି । ବ୍ରାହ୍ମଣୀ ନଦୀର ୪ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଥିବା ବେଳେ ବୈତରଣୀର ତିନୋଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି । କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ଜଳରୁ ମହାନଦୀ ଜଳ ପ୍ରଦୂଷିତ ହେବାରେ ଲାଗିଛି । ରାଉରକେଲା ସହର ପରିତ୍ୟକ୍ତ ପାଣି, ଷ୍ଟିଲ ପ୍ଲାଣ୍ଟର ବର୍ଜ୍ୟ ଓ ଦୂଷିତ ଜଳ ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରିବାରେ ଲାଗିଛି । ଏହା ସହ ମନୁଷ୍ୟକୃତ କାରଣରୁ ବୈତରଣୀ, ଶଙ୍ଖ, କୋଏଲ ନଦୀ ଜଳ ପ୍ରଦୂଷିତ ହୋଇଛି । ଏନେଇ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ସବିଶେଷ ତଥ୍ୟ ରଖିଛନ୍ତି ।