ଭୁବନେଶ୍ବର: ବିଜୁ ଜନତା ଦଳ ବର୍ତ୍ତମାନ ସମସ୍ତ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିସାରିଛି। ହେଲେ କେବଳ ଖୋର୍ଦ୍ଧା ଏବଂ ବାଲେଶ୍ବର ଜିଲ୍ଲା ବାକି ରହିଛି। ତେବେ ବାଲେଶ୍ବରକୁ ଦଳ ଦୁଇଟି ସାଂଗଠାନିକ ଜିଲ୍ଲା କରିବାକୁ ଥିବାରୁ ତାହା ଘୋଷଣା ହୋଇପାରୁ ନାହିଁ। ହେଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ନେଇ ଦଳ ଏ ପର୍ଯ୍ୟନ୍ତ କାହିଁକି ନିଷ୍ପତି କରିପାରୁ ନାହିଁ ତାହା ଜଣାପଡୁ ନାହିଁ।
ତେବେ ଏହି ସଭାପତି ଦୌଡରେ ଯେଉଁମାନଙ୍କର ନାମ ରହିଛି ସେମାନେ ହେଲେ ବିଧାୟକ ବିଭୂତି ବଳବନ୍ତରାୟ, ମନ୍ନଥ ରାଉତରାୟ, ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ବିଧାୟକ ପ୍ରଦୀପ ସାହୁ। ଅନ୍ୟତମ ଦାବୀଦାର ରାଜେନ୍ଦ୍ର ସାହୁଙ୍କୁ ନିକଟରେ ଦଳ ଯୁବ ବିଜୁ ଜନତା ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି କରିଛି। ଫଳରେ ତାଙ୍କୁ ଆଉ ଦଳର ସଭାପତି କରିବା ସମ୍ଭାବନା ନାହିଁ। ତେବେ ଏସବୁ ନେତାଙ୍କ ମଧ୍ୟରୁ ଚିଲିକାର ପୂର୍ବତନ ବିଧାୟକ ରଘୁ ସାହୁଙ୍କ ନାମ ବେଶୀ ଚର୍ଚ୍ଚାରେ ଅଛି।