କଟକ: ଆସନ୍ତା ନଭେମ୍ବର ୫ତାରିଖରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ୩୪ ଏକର ପରିମିତ ସ୍ଥାନରେ ବାଲିଯାତ୍ରା ଆୟୋଜିତ ହେଉଥିବାବେଳେ ଚଳିତ ବର୍ଷ କେବଳ ତଳ ପଡିଆରେ ୬୦ ଏକର ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହେବ।
କଟକରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଦର୍ଶାଇ ଜିଲ୍ଲାପାଳ କହିଛନ୍ତି। ଇଣ୍ଟିଗ୍ରେଟେଡ ୱେବସାଇଟ ମାଧ୍ୟମରେ ବାଲିଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରାର ଅନ୍ତତଃ ୨୦ ଦିନ ପୂର୍ବରୁ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମ୍ବନ୍ଧୀୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିନେବାକୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି।