ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ବାଣପୁର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଟ୍ୟୁସନ ପାଇଁ ଯାଉଥିବା ବେଳେ କୁମାରାଙ୍ଗ ଛକ ନିକଟରେ ଏକ କାରରେ ଅଭିଯୁକ୍ତ ଆସି ଉକ୍ତ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ନେଇଯାଇଥିଲେ। ସୂଚନା ପାଇ ବାଣପୁର ପୋଲିସ ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରିଦେଇଥିଲା।
ବିଭିନ୍ନ ସୂତ୍ରରୁ ତଥ୍ୟ ପାଇ ଏବଂ ମୋବାଇଲ ଲୋକେସନ ଟ୍ରାକ କରି ପରିଶେଷରେ ସୁଦୂର ଚାନ୍ଦପୁର ଅଞ୍ଚଳର ଏକ ଘରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ତେବେ ଅପହରଣ ପାଇଁ ବ୍ୟବହୃତ ଗାଡିର ପତ୍ତା ମିଳିନଥିବା ବେଳେ ଉକ୍ତ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଆଜି ଅଭିଯୁକ୍ତ ଜଣଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି।