ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସରକାରଙ୍କୁ ଆଇନା ଦେଖାଇବା, ଲୋକଙ୍କ ସାଧାରଣ ସମସ୍ୟାକୁ ତଥ୍ୟ ସହିତ ସରକାରଙ୍କ ନଜରକୁ ଆଣିବା ହେଉଛି ତାଙ୍କର ମୁଖ୍ୟ ଦାୟିତ୍ବ। ସୌମ୍ୟବାବୁ ଯେଉଁ ଦଳର ସମର୍ଥକ କିମ୍ବା ସଭ୍ୟ ଥାଆନ୍ତୁ ନା କାହିଁକି, ସରକାରଙ୍କୁ ପ୍ରଶ୍ନ ପଚାରିବାରେ କୌଣସି କାର୍ପଣ୍ୟତା କରିନାହାନ୍ତି।
ସରକାରଙ୍କୁ ଲୋକଙ୍କ ସ୍ବାର୍ଥକୁ ନେଇ ଓଡିଆଙ୍କ ସ୍ବାର୍ଥକୁ ନେଇ ତେରେଛା ବାଣ ମାରିବାରେ କେବେହେଲେ ସୌମ୍ୟବାବୁ ସଙ୍କୋଚ କରି ନାହାନ୍ତି। ଏହା ହେଉଛି ପ୍ରକୃତ ସାମ୍ବାଦିକତା। ମୁଁ ଅନ୍ୟ କାହା କହିପାରିବି ନାହିଁ, କିନ୍ତୁ ଗୋଟିଏ ସ୍ତମ୍ଭ ବାହାରୁ ଥିଲା ସ୍ବର୍ଗୀୟ ମହତାବ ବାବୁଙ୍କ ‘ଗାଁ ମଜଲିସ’। ୨୦୦୦ ଦଶକରେ ଆରମ୍ଭ ହୋଇଥିଲା ‘ପ୍ରଥମ ପୃଷ୍ଠା ସମ୍ପାଦକୀୟ’, ଯାହାର ନାଁ ଥିଲା, ‘ଆମ ଘରର ହାଲ ଚାଲ’। ଯେତେବେଳେ ସୌମ୍ୟ ବାବୁଙ୍କ ‘ଆମ ଘରର ହାଲଚାଲ’ ବାହାରୁଥିଲା, କିଛି ନେତାଙ୍କ ହାଲ ନିଶ୍ଚିତ ଭାବେ ବିଗିଡି ଯାଉଥିଲା।
ମୁଁ ଗୋଟିଏ ବ୍ୟକ୍ତିଗତ ଅନୁଭୂତି କଥା କହିବି। ମୋର ଜଣେ ଉଚ୍ଚ ଶିକ୍ଷିତ ବନ୍ଧୁ ଥିଲେ, public lifeରେ ସେ ଜଣେ ସମ୍ପନ୍ନ ବ୍ୟକ୍ତି। କିନ୍ତୁ ସୌମ୍ୟ ବାବୁଙ୍କ ଜଣେ ଘୋର ସମାଲୋଚକ। ମୁଁ ଦିନେ ତାଙ୍କ ଘରକୁ ଯାଇଥିଲି, ଦୁଇଗୋଟି ଖବର କାଗଜ ସହିତ ତାଙ୍କ ଚା’ ଟେବୁଲରେ ସମ୍ବାଦ ଖଣ୍ଡେ ପଡିଥିଲା। ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଯେ ‘ଆପଣଙ୍କ ଘରେ ଲଙ୍କାରେ ହରି ଶବ୍ଦ, ସମ୍ବାଦ କିପରି ଆପଣଙ୍କ ଘରକୁ ଆସିଲା’। ସେ କହିଲେ, ‘ ମୁଁ ସମ୍ବାଦକୁ ଭଲପାଏ ନାହିଁ, କିନ୍ତୁ ମୁଁ ପଢିବାକୁ ଚାହେଁ ଆଜି ସୌମ୍ୟ ପଟ୍ଟନାୟକ କେତେ ନେତା ଓ ଅଫିସରଙ୍କ ବିରୁଦ୍ଧରେ ଲେଖିଛି’। ମୁଁ କିଛି କହିଲି ନାହିଁ, କେବଳ ଟିକିଏ ହସିଦେଲି । ମନକୁ ମନ କହିଲି, ସୌମ୍ୟବାବୁ ତାଙ୍କର କାର୍ଯ୍ୟ ଠିକ୍ ଭାବରେ ନିଭାଉଛନ୍ତି।
ମୁଁ ପୂର୍ବରୁ କହିଛି ଯେ ସମ୍ବାଦପତ୍ର ହେଉଛି ସମାଜର ଦର୍ପଣ, ସାମ୍ବାଦିକ ହେଉଛନ୍ତି ସମାଜର କନସାଇନ୍ସ କିପର (Conscience keeper)। ସରକାର, ନେତା, ମନ୍ତ୍ରୀ, ଅଧିକାରୀ ଯେଉଁମାନେ ଜନସେବା ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରଶ୍ନ ପଚାରିବା ଓ ଉତ୍ତରଦାୟୀ କରିବା କେବଳ ଆପଣଙ୍କ ଅଧିକାର ନୁହେଁ, ଏହା ଆପଣମାନଙ୍କ ଦାୟିତ୍ଵ ମଧ୍ୟ।
ମୋ ରାଜନୈତିକ ଜୀବନରେ ମୁଁ ସବୁବେଳେ ଗଣମାଧ୍ୟମକୁ ସମ୍ମାନ ଦେଇ ଆସିଛି। ବିଗତ ଦିନରେ ଆପଣମାନେ ନିଜେ ଦେଖିଛନ୍ତି ଗଣମାଧ୍ୟମକୁ କିପରି ଭାବେ ବ୍ୟବହାର କରା ଯାଉଥିଲା। ଆମ ସରକାର ଗଣମାଧ୍ୟମକୁ କେବେ ବି ଅସମ୍ମାନ କରିବ ନାହିଁ, କିମ୍ବା କୌଣସି ପ୍ରତିବନ୍ଧକ ରଖିବ ନାହିଁ ।
କିନ୍ତୁ, ଏ ସବୁ ଭିତରେ ଆଜିର ନୂତନ ପିଢୀର ସାମ୍ବାଦିକ ବନ୍ଧୁମାନେ ‘ସମାଲୋଚନା’ ଓ ‘ବ୍ୟକ୍ତିଗତ ଆକ୍ଷେପ’ ଯାହାକୁ ସାମ୍ବାଦିକତା ଭାଷାରେ ସ୍ଲାଣ୍ଡର୍ (Slandar) କୁହା ଯାଏ, ତାର ପ୍ରଭେଦ ଜାଣି ପାରୁ ନାହାନ୍ତି, ଅଥବା ଜାଣି ଶୁଣି ସମାଲୋଚନା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି।
ଆଜି ଏହି ଅବସରରେ ମୁଁ ଏହି ବିଶାଳ ପରିବାରର ପ୍ରତିଷ୍ଠାତା ସୌମ୍ୟବାବୁଙ୍କ ବିଷୟରେ ଆଉ ଦୁଇ ପଦ କହିବି। ଆମେ ସମସ୍ତେ ତାଙ୍କର ସାମ୍ବାଦିକତା ତଥା ଓଡ଼ିଶାର ସମ୍ବାଦପତ୍ର କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ ଜାଣିଛନ୍ତି। କିନ୍ତୁ, ଆଉ କେତେ ଗୁଡିଏ କାର୍ଯ୍ୟ ଲୋକେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଏମିତି ଗୋଟିଏ ଗୁଣ ହେଲା ରାଜନୈତିକ ଭାଷ୍ୟକାର ଭାବେ ତାଙ୍କର ଓଜସ୍ଵୀ ଭାଷଣ ।
୧୯୮୦ ଦଶକରୁ ୨୦୦୦ ଦଶକର ପ୍ରାରମ୍ଭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନରେ ତାଙ୍କ ଭାଷଣ ମଧ୍ୟମରେ ଅନେକ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଥିଲେ। ତାଙ୍କୁ ଶୁଣିବା ପାଇଁ ବିଶେଷତଃ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଆଗ୍ରହ ଥିଲା।
ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ମାନସଜନ୍ମିତ ‘ଆମ ଓଡ଼ିଶା’ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏଥିସହିତ ପରିବେଶ ସୁରକ୍ଷା ପାଇଁ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହୋଇଥିବା ପୁନଶ୍ଚ ପୃଥିବୀ ମଧ୍ୟ ଏକ ପ୍ରଶଂସନୀୟ କାର୍ଯ୍ୟ । ମୁଁ ତାଙ୍କୁ ଏଥିପାଇଁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି।
ଏହି ଅବସରରେ ମୁଁ ସମସ୍ତଙ୍କୁ କହିବି ଆପଣମାନେ ସରକାରଙ୍କୁ ସକାରାତ୍ମକ ସମାଲୋଚନା ମାଧ୍ୟମରେ ସଚେତ ଓ ଜାଗ୍ରତ କରି ରଖନ୍ତୁ। ସାମ୍ବାଦିକତା ହେଉଛି ଏକ ପବିତ୍ର ବୃତ୍ତି, ନୋବଲ ପ୍ରଫେସ୍ନ। ତାହାର ମର୍ଯ୍ୟାଦା ଭିତରେ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ଗଢିବା ଏକ ସୁନ୍ଦର, ସମୃଦ୍ଧ ଓଡ଼ିଶା।
ପୁଣିଥରେ ସମ୍ବାଦ ପରିବାରକୁ ସ୍ଵନକ୍ଷତ୍ରର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
First Batch of Automobiles Rake Reached Kashmir Valley by Rail