ସମୀକ୍ଷା ବ୍ୟୁରୋ
ବାଣପୁର ବ୍ଲକ୍ କୁଲେଇ ପଞ୍ଚାୟତର ବିଞ୍ଝଳା ଗ୍ରାମର ସାଇରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁପ୍ରିୟା ଆଜି ଋଣ ଆତ୍ମସାତ୍ ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି। ଏକ ଲିଖିତ ଚିଠି ମାଧ୍ୟମରେ ସେ ଏହି ଋଣକୁ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଆଣି ନଥିବାର କହିଛନ୍ତି। ସେ ଆଣିଥିବା ଋଣ ତାଙ୍କର ନିଜସ୍ବ ବୋଲି କହିବା ସହିତ ଯଦି ଏହି ସମ୍ପର୍କିତ କୌଣସି ବ୍ୟାଙ୍କ୍ ନୋଟିସ୍ ଆସେ, ତାହା ସେ ନିଜେ ଭରଣ କରିବେ ବୋଲି ଲିଖିତନାମାରେ ଦର୍ଶାଇଛନ୍ତି।ଏହି ମାମଲାଟି ତାଙ୍କ ନାମରେ ମିଥ୍ୟାଭିଯୋଗ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଶ୍ରୀମତୀ ମହାରଣା ବାଣପୁରସ୍ଥିତ ୟୁକୋ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କାର ଋଣ ସାଇରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଆଣିଥିଲେ। କିନ୍ତୁ ଏ ସମ୍ପର୍କରେ ଗୋଷ୍ଠୀର କୌଣସି ସଦସ୍ୟଙ୍କୁ ନ ଜଣାଇ ସମସ୍ତ ଟଙ୍କା ନିଜ ପାଖରେ ରଖିଥିଲେ। ଏନେଇ ବ୍ୟାଙ୍କ ପକ୍ଷରୁ ନୋଟିସ୍ ଆସିବା ପରେ ତାଙ୍କୁ ପଚରାଉଚୁରା କରାଯାଇଥିଲା। ଏହି ସମ୍ପର୍କରେ ସୁପ୍ରିୟାଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବା ଫଳରେ ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରକଳ୍ପ ଅଧିକାରୀ ବାଣପୁର ଥାନାକୁ ପଠାଇ ଦେଇଥିଲେ। ଏହି ଘଟଣାକୁ ନେଇ ବାଣପୁର ବ୍ଲକ୍ର ଅନ୍ୟ ଏସଏସଜି ଗୋଷ୍ଠୀର ସଦସ୍ୟାମାନେ ଥାନା ଘେରାଉ କରିଥିଲେ। ଏବେ ଏହି ମାମଲାରେ ବାଣପୁର ଆଇଆଇସି ସିଡିପିଓଙ୍କୁ ଏହି ସମ୍ପର୍କିତ ରିପୋର୍ଟ ମାଗିଛନ୍ତି।