ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ବିଳାସପୁରରେ ବସ୍ ଉପରେ ମାଟି ଅତଡା ଖସି ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଏହି କଷ୍ଟକର ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା।” ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା ମଧ୍ୟ କରିଛି।
ମଙ୍ଗଳବାର ସନ୍ଧ୍ୟାରେ (ଅକ୍ଟୋବର ୭, ୨୦୨୫), ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ହିମାଚଳ ପ୍ରଦେଶର ବିଳାସପୁରରେ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ମୁଁ ଦୁଃଖିତ। ଏହି କଷ୍ଟକର ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ମୋର ସମବେଦନା।” ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।
ସେ ଆହୁରି କହିଛନ୍ତି ଯେ, “ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (PMNRF) ରୁ ପ୍ରତ୍ୟେକଙ୍କୁ୨ ଲକ୍ଷ ଏବଂ ଆହତଙ୍କ ପାଇଁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ମିଳିବ।”
ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଭୟଙ୍କର ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି ଯେ, “ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ଯୋଗୁଁ ବସ୍ ଦୁର୍ଘଟଣାରେ ଅନେକ ପ୍ରାଣ ହରାଇବାର ଖବର ଅତ୍ୟନ୍ତ ଦୁଃଖଦ। ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”
ବିଳାସପୁର ଭୂସ୍ଖଳନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ, “ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ଯୋଗୁଁ ହୋଇଥିବା ବସ୍ ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ। ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।