ଭୁବନେଶ୍ବର: ଭୁବନେଶ୍ୱରର ଜୀବ ବିଜ୍ଞାନ ପ୍ରତିଷ୍ଠାନଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ସମ୍ମିଳନୀ। ବ୍ରିକ ଏବଂ ଜୀବ ବିଜ୍ଞାନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ପ୍ରମୁଖ ନୀତିକାର, ଶିଳ୍ପ ନେତୃବର୍ଗ, ନବସୃଜକମାନେ ଯୋଗ ଦେଇଛନ୍ତି। ଜୀବ ପ୍ରଯୁକ୍ତି ବିଜ୍ଞାନ ଏବଂ ଜୈବ ଅର୍ଥନୀତିର ପୃଷ୍ଠଭୂମିକୁ ସୁଦୃଢ କରିବା ଲାଗି ଏହି ଦୁଇଦିନିଆ ସମ୍ମିଳନୀରେ ଶିକ୍ଷାବିତ, ବୈଜ୍ଞାନିକ, ଷ୍ଟାର୍ଟଅପ୍, ଶିଳ୍ପସଂସ୍ଥା ଏବଂ ନବସୃଜକମାନେ ବିଚାରବିମର୍ଶ କରୁଛନ୍ତି।
ଉଦ୍ଘାଟନୀ ଉତ୍ସବ ପରେ ପ୍ରଥମ ଅଧିବେଶନରେ ନାବିର ନିର୍ଦ୍ଦେଶକ ଡକ୍ଟର ଅଶ୍ବିନୀ ପାରିକ, ବିରାକର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର, ବାୟୋ ଇକୋନୋମିର ଅଧ୍ୟକ୍ଷ ଡକ୍ଟର ଶାନ୍ତନୁ ଦାସଗୁପ୍ତା ପ୍ରମୁଖ ଉଦବୋଧନ ଦେଇଥିଲେ। ବ୍ରିକ-ଆଇଏଲଏସ୍ର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାସ, ବୈଜ୍ଞାନିକ ନବସୃଜନକୁ କିଭଳି ପୋଷଣୀୟ ଏବଂ ବୈଶ୍ବିକ ପ୍ରତିଦ୍ବନ୍ଦ୍ବୀ ଜୈବ ଅର୍ଥନୀତିରେ ରୂପାନ୍ତର କରାଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ।