ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାବାସୀ ଅତି ଯାକଯମକରେ ଦୀପାବଳି ପାଳୁଥିବା ସମୟରେ ୧୦୮ ଆମ୍ବୁଲାନ୍ସ ନିଜର ସେବା ଜାରିରଖିଥିଲା। ଏହି ଦୀପାବଳି ୧୦୮ ଆମ୍ବୁଲାନ୍ସରେ ୬୬୩୬ ଜଣ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ବାଣଦ୍ୱାରା ଆହତ ହୋଇଥିବା ରୋଗୀଙ୍କ ସଂଖ୍ୟା ୮୯,ଦୁର୍ଘଟଣା ଜନିତ ଆହତଙ୍କ ସଂଖ୍ୟା ୮୩୮,ଗର୍ଭବତୀ ମହିଳାଙ୍କ ସଂଖ୍ୟା ୨୫୩ ରହିଥିବାବେଳେ ବାକି ଅନ୍ୟାନ୍ୟ ରୋଗୀ ୧୦୮ ଆମ୍ବୁଲାନ୍ସ ଦ୍ୱାରା ସେବା ପାଇଛନ୍ତି।
ଓଡ଼ିଶାରେ ବର୍ତ୍ତମାନ ୮୬୦ ଟି ଜରୁରୀକାଳୀନ ଆମ୍ବୁଲାନ୍ସ ,୫୦୦ ଟି ଜନନୀ ଆମ୍ବୁଲାନ୍ସ ଏବଂ ୬ ଟି ବୋଟ ଆମ୍ବୁଲାନ୍ସ ରହିଛି। ବର୍ତ୍ତମାନ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସହଭାଗୀତାରେ IPTHHS-II ପ୍ରକଳ୍ପ ଅଧୀନରେ ୧୦୮ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା, ୧୦୮ ରେଫରାଲ୍ ପରିବହନ ବ୍ୟବସ୍ଥା (ଜନନୀ ଆମ୍ବୁଲାନ୍ସ) ଏବଂ ୧୦୪ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ପରିଚାଳନା କରୁଅଛି। ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ୨୦୦୫ ମସିହାରୁ ଭାରତରେ ଜରୁରୀକାଳୀନ ଚିକିତ୍ସା ପ୍ରତିକ୍ରିୟା ଏବଂ ରୋଗୀ ପରିବହନ ସେବା ପ୍ରଦାନ କରିବାରେ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି।