ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅର୍ନ୍ତଗତ ଏକ ଗ୍ରାମରେ ଜନୈକା ନାବାଳିକା ନିଖୋଜ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ। ପରେ ହିଞ୍ଜିଳି ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ହିଞ୍ଜିଳି ପୋଲିସ ଏତଲା ନଂ ୮୬୯/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ସୁଚନା ଅନୁଯାୟୀ, ଉକ୍ତ ଗ୍ରାମର ଜଣେ ଯୁବକ ଉକ୍ତ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନେଇଯାଇଥିଲା। କିନ୍ତୁ ଯୁବକ ଜଣକ ଉକ୍ତ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଦୁଇ ଦିନ ବୁଲାବୁଲି କରି ଗତ ମଙ୍ଗଳବାର ଦିନ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡି ଚାଲିଯାଇଥିଲା। ଖବର ପାଇ ପୋଲିସ ଉକ୍ତ ନାବାଳିକାକୁ ଭୁବନେଶ୍ୱରରୁ ଉଦ୍ଧାର କରି ପରିବାର ଲୋକଙ୍କ ନିକଟରେ ଛାଡ଼ିଥିଲେ ଓ ଗତକାଲି ଉକ୍ତ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଚଢାଉ କରି ଯୁବକ ଜଣକୁ କାବୁ କରି ଥାନାକୁ ଆଣି ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛି।


