ଭୁବନେଶ୍ବର: ପ୍ରଖ୍ୟାତ୍ ସଙ୍ଗୀତଜ୍ଞ ଓ ସାହିତ୍ୟିକ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ସଂଗୀତ ଓ ସାହିତ୍ୟ ପ୍ରତିଭାର କ୍ଷୟ ନାହିଁ । ତାଙ୍କର ଯାଦୁକାରୀ କଣ୍ଠଶ୍ଵର ଓ ସଂଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଂଜନର ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡ଼ିଆ ଜାତି ସେହି ପ୍ରତିଭାର ସଠିକ୍ ମୂଲ୍ୟାୟନ ଏଯାବତ୍ କରିନାହିଁ ।ବାସ୍ତବ ଘଟଣାବଳୀକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା ।
ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ୍ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏଥିରେ ‘କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ରାଜ୍ୟ ବାର୍ କାଉନ୍ସିଲର ଅଧ୍ଯକ୍ଷ ସୀତାଂଶୁ ମୋହନ ଦ୍ଵିବେଦୀ, ଯୁକ୍ତରାଷ୍ଟ୍ର ଆମେରିକା ଅବସ୍ଥାପିତ ଅକ୍ଷୟପ୍ରେମୀ ଶିଳ୍ପଦ୍ୟୋଗୀ ପ୍ରିୟଦର୍ଶୀ ଦାଶ, ମହାବୋଧ ସୋସାଇଟିର ଓଡ଼ିଶା ଶାଖା ମହାସଚିବ ଡ. ସୌରେନ୍ ମହାପାତ୍ର ବରେଣ୍ୟ ଅତିଥି ରୂପେ ଯୋଗଦେଇ ଅକ୍ଷୟଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଉତ୍ସବରେ ଚଳିତ ବର୍ଷର ସମ୍ମାନଜନକ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ବିଶିଷ୍ଟ ସାହିତ୍ୟିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଜଣାଶୁଣା ସଂଗୀତଜ୍ଞ ପ୍ରେମ୍ ଆନନ୍ଦଙ୍କୁ ‘ ଅକ୍ଷୟ ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା।


