Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ- “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ବର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ ରେ ଭାସି ଭାସି ଯା’’ ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି। ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ “ଖୋକା ଭାଇ ତମ ପାଇଁ” ଯାହାର ଟାଇଟଲ ଘୋଷଣା ନିକଟ ଅତୀତରେ ରାଜଧାନୀର ଏକ ଘରୋଇ ହୋଟେଲରେ ହୋଇଥିଲା। ସେହି “ଖୋକା ଭାଇ ତୁମ ପାଇଁ” ଫିଲ୍ମ ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଶୁଭ ମହୁରତ ଅବସରରେ ଖୋକା ଭାଇଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି, ନିର୍ଦ୍ଦେଶକ ଗିରିଶ ମହାନ୍ତି, ପ୍ରଯୋଜକ ଶୁଭେନ୍ଦୁ ସାହୁ, ଉପାସନା ମହାନ୍ତି, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ନାୟକ ସ୍ୱରାଜ, ନାୟିକା ଲକି ମନୀଷା, ଶ୍ଵେତା ଆଚାର୍ଯ୍ୟ ଙ୍କ ସମେତ ୟୁନିଟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଅଛନ୍ତି। କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି। ତେବେ କାହିଁକି ଏହି ଫିଲ୍ମ ନିଆରା ତା’ ଉପରେ ଆଲୋକପାତ କରଛି ଫିଲ୍ମର ଟିମ୍।

ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ। ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ ଅର୍ଥାତ ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି। ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦ୍‌ମାସ୍‌ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି ଆଉ ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ତିଆରି ହେଉଛି ଫିଲ୍ମ ଖୋକା ଭାଇ ତୁମ ପାଇଁ।

କାହାଣୀର ନାୟକ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ବେଳେ ଅକ୍ଷୟ ସଙ୍ଗୀତ ଶୁଣି ନିଜକୁ ସେଥିରେ ମଗ୍ନ କରିଦେଇଛି। ନାୟକର ଜୀବନ ମଧ୍ୟ ଅକ୍ଷୟ ସଙ୍ଗୀତ ପରି ଗଡି ଚାଲିଛି ଓ ତାକୁ ପ୍ରେମ ହୋଇଯାଇଛି ହେଲେ ନାୟିକାକୁ କହିବ କେମିତି ? ତେଣୁ ସେ ନିଜକୁ ହଜାଇ ଦେଇଛି ଅକ୍ଷୟ ସଙ୍ଗୀତରେ ଓ ତାର ଉତ୍ତର ମଧ୍ୟ ପାଇଛି ସେହି ସଙ୍ଗୀତରୁ କିନ୍ତୁ ତାପରେ ସେଇ ଅକ୍ଷୟ ସଙ୍ଗୀତ ପାଇଁ ହରେଇ ବସିଛି ନିଜ ପ୍ରେମିକାକୁ ଓ ଦୋଷ ଦେଇଛି ଖୋକା ଭାଇଙ୍କ ଗୀତକୁ ହେଲେ ପ୍ରେମିକାକୁ ଫେରିପାଇବା ପାଇଁ ମଧ୍ୟ ସେ ପୁଣି ଭରସା କରିଛି ସେହି ଅକ୍ଷୟ ସଙ୍ଗୀତକୁ ଓ ସଫଳ ମଧ୍ୟ ହୋଇଛି। ଏହି ପରି ଜୀବନର ପ୍ରତ୍ଯେକ ମୁହୂର୍ତ୍ତ ରେ ନାୟକର ଆଧୁନିକ ଜୀବନରେ ପ୍ରାସଙ୍ଗିକତା ହୋଇଛି ଅକ୍ଷୟ ସଙ୍ଗୀତ ଓ ଫିଲ୍ମଟିକୁ ଅତ୍ୟନ୍ତ ରୁଚି ପୂର୍ଣ୍ଣ କରିଛି ବୋଲି କହିଛନ୍ତି କାହାଣୀର ଲେଖକ ଭରଦ୍ଵାଜ ପଣ୍ଡା।

ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢିକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ ଉଜାଗର କରିବ ନିଶ୍ଚୟ। ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପୀଢି ଦେଖି ଉତ୍ସାହିତ ହେବେ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଆଶା କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପ୍ରଦାନ ଉତ୍ସବ: ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ମିଳିଲା ‘ଅକ୍ଷୟ ସାହିତ୍ୟ ସମ୍ମାନ’

ଭୁବନେଶ୍ଵର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ସାହିତ୍ୟିକ ଓ ସଙ୍ଗୀତ ପ୍ରତିଭାର କ୍ଷୟ ନାହିଁ। ତାଙ୍କର ଯାଦୁକାରୀ କଣ୍ଠସ୍ଵର ଓ ସଙ୍ଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡିଆ ଜାତି ସେହି ପ୍ରତିଭାର ସଠିକ ମୂଲ୍ୟାୟନ ଏଯାବତ କରି ନାହିଁ। ଗୋଟିଏ ଦୁଇଟି ସଙ୍ଗୀତ ଗାଁ କରିଥିବା କଳାକାରମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଉଥିବା ବଲେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ। ବାସ୍ତବ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା।

ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଏକବିଂଶତମଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡିଶା ସିନେକ୍ରିଟିକ ଆସୋସିଏସନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପ୍ନ କରାଯାଇଛି। ଏଥିରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଓ କାଦମ୍ବିନୀ’ ର ସମ୍ପାଦିକା ତଥା ଲେଖିକା ଡା. ଇତି ସାମନ୍ତ ଅତିଥି ରୂପେ ଯୋଗଦେଇ ଅକ୍ଷୟଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ବାରିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ କୁମାର ହାଳି ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରଯୋଜକ ଲୁଟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ଚଳିତ ବର୍ଷର ସମ୍ମାନଜନକ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ବିଶିଷ୍ଟ ସାହିତ୍ୟିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଜଣାଶୁଣା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କୁ ‘ଅକ୍ଷୟ ସଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶେଷରେ ଆୟୋଜିତ ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ଅକ୍ଷୟ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ଉଦୀୟମାନ ଭାଓଲୀନ ବାଦକ ମାଷ୍ଟର ରାକେଶ ବିଶ୍ଵାଳ ଅକ୍ଷୟ ସଙ୍ଗୀତର ସ୍ଵର ବାଦନ କରିଥିବା ବେଳେ ଇଂ ବିଚିତ୍ରାନନ୍ଦ ଦେଓ, ଶୈଳଭାମା ମହାପାତ୍ର, ଆଦ୍ୟଶା ଦାସ, ପ୍ରୀତିନନ୍ଦା ରାଉତରାୟ, ପ୍ରତିଭା ପ୍ରଧାନ, ସିଦ୍ଧାନ୍ତ ଶତପଥି, ବିଜୟଲକ୍ଷ୍ମୀ ପଟି, ୟଶ ମହାନ୍ତି, ଅର୍ଣ୍ଣବ ପଣ୍ଡା, ସଞ୍ଜୟ ମିଶ୍ର ପ୍ରମୁଖ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ବାଦ୍ୟଗୁରୁ ଅବନୀକାନ୍ତ ଦାସ ଏହି ସଙ୍ଗୀତ ସନ୍ଧ୍ୟାକୁ ପରିଚାଳନା କରିଥିଲେ। ଏହି ଉତ୍ସବରେ କମିଟିର ସଦସ୍ୟ ରବି ବିଶ୍ଵାଳ, ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗୀତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ, ତାଙ୍କ ଗୀତକୁ ନେଇ ଆସୁଛି ଫିଲ୍ମ

ଭୁବନେଶ୍ଵର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି। ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ ଯାହାର ଟାଇଟଲ ଘୋଷଣା ହୋଇଛି ରାଜଧାନୀର ଏକ ଘରୋଇ ହୋଟେଲରେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟୀତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଥିଲା ବେଳେ କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି। ତେବେ କାହିଁକି ଏହି ଫିଲ୍ମ ନିଆରା ତା’ ଉପରେ ଆଲୋକପାତ କରଛି ଫିଲ୍ମର ଟିମ୍।

ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ। ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ ଅର୍ଥାତ ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି। ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦ୍‌ମାସ୍‌ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି ଆଉ ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ତିଆରି ହେବ ଆମ ଫିଲ୍ମ”, କହିଛି ପ୍ରଯୋଜନା ସଂସ୍ଥା।

କାହାଣୀର ନାୟକ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ବେଳେ ଅକ୍ଷୟ ସଙ୍ଗୀତ ଶୁଣି ନିଜକୁ ସେଥିରେ ମଗ୍ନ କରିଦେଇଛି। ନାୟକର ଜୀବନ ମଧ୍ୟ ଅକ୍ଷୟ ସଙ୍ଗୀତ ପରି ଗଡି ଚାଲିଛି ଓ ତାକୁ ପ୍ରେମ ହୋଇଯାଇଛି ହେଲେ ନାୟିକାକୁ କହିବ କେମିତି ? ତେଣୁ ସେ ନିଜକୁ ହଜାଇ ଦେଇଛି ଅକ୍ଷୟ ସଙ୍ଗୀତରେ ଓ ତାର ଉତ୍ତର ମଧ୍ୟ ପାଇଛି ସେହି ସଙ୍ଗୀତରୁ କିନ୍ତୁ ତାପରେ ସେଇ ଅକ୍ଷୟ ସଙ୍ଗୀତ ପାଇଁ ହରେଇ ବସିଛି ନିଜ ପ୍ରେମିକାକୁ ଓ ଦୋଷ ଦେଇଛି ଖୋକା ଭାଇଙ୍କ ଗୀତକୁ ହେଲେ ପ୍ରେମିକାକୁ ଫେରିପାଇବା ପାଇଁ ମଧ୍ୟ ସେ ପୁଣି ଭରସା କରିଛି ସେହି ଅକ୍ଷୟ ସଙ୍ଗୀତକୁ ଓ ସଫଳ ମଧ୍ୟ ହୋଇଛି। ଏହି ପରି ଜୀବନର ପ୍ରତ୍ଯେକ ମୁହୂର୍ତ୍ତ ରେ ନାୟକର ଆଧୁନିକ ଜୀବନରେ ପ୍ରାସଙ୍ଗିକତା ହୋଇଛି ଅକ୍ଷୟ ସଙ୍ଗୀତ ଓ ଫିଲ୍ମଟିକୁ ଅତ୍ୟନ୍ତ ରୁଚି ପୂର୍ଣ୍ଣ କରିଛି ବୋଲି କହିଛନ୍ତି କାହାଣୀର ଲେଖକ ଭରଦ୍ଵାଜ ପଣ୍ଡା।

ସେ ଆହୁରି କହିଛନ୍ତି ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢିକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ ଉଜାଗର କରିବ ନିଶ୍ଚୟ। ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପୀଢି ଦେଖି ଉତ୍ସାହିତ ହେବେ ବୋଲି ସେ ଆଶା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଉପଲକ୍ଷେ ପଢନ୍ତୁ ତାଙ୍କର ଅକ୍ଷୟ ଲେଖନୀରୁ ଏକ ଗପ “ତୁମ ଗୀତ”

ସ୍ବର୍ଗତ ଅକ୍ଷୟ ମହାନ୍ତି

ଅକ୍ଷୟ ମହାନ୍ତି କେବଳ ଗୀତର ପୁରୁଷ ନଥିଲେ, ତାଙ୍କ ଜୀବନ ଥିଲା ସାହିତ୍ୟ ଓ ସଙ୍ଗୀତ ଭିତରେ ଏକ ଚିରନ୍ତନ ସେତୁ। ଗଳ୍ପ, କବିତା ଓ ଉପନ୍ୟାସ ତିନୋଟି ଯାକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଚର୍ଚ୍ଚିତ ଶୈଳୀକାର ଭାବରେ ତାଙ୍କର ପରିଚୟ ସ୍ବତନ୍ତ୍ର । ଆସନ୍ତୁ ପଢିବା ଖୋକା ଭାଇଙ୍କ ‘ନଗ୍ନ ମୋନାଲିସା’ ଗଳ୍ପ ସଂକଳନରୁ ଏହି ଗପଟିକୁ। 

ତୁମ ଗୀତ କେତେ ସହଜରେ ଛୁଇଁପାରେ ହୃଦୟକୁ। କେତେ ସହଜରେ ବଦଳେଇ ଦେଇପାର ମନର ଅବସ୍ଥା। ତୁମେ ଜାଣନା ତୁମ ଗୀତର ନାମ କେତେ।  ତୁମ ଗୀତକୁ ଭଲ ପାଇବାକୁ ଯାଇ ତୁମକୁ ଯେ କେତେ ଭଲ ପାଆନ୍ତି ସେ ଖବର ତୁମେ ରଖିନ। କାହିଁକି ରଖିନ ? ତା’ର କାରଣ ଖୋଜିବାକୁ ଯାଇ ଆଜି ମୁଁ ଏ ଗପ ଲେଖୁଛି। ହୁଏତ ଗପ ସରିଲାବେଳକୁ ଏ କେବଳ ଗୋଟେ ଗପ ନ ହୋଇ ମୋ ହୃଦୟକୁ କାହାଣୀ ହୋଇପାରେ। ଆଉ ହୃଦୟର କାହାଣୀ ଶୁଣିବାକୁ ଲୋକମାନଙ୍କର ସମବେଦନା ନାହିଁ।

ତୁମ ଗୀତ–ସତ ନା ମିଛ ? ତୁମେ ତ ଗୀତରେ ସତ କୁହ ନା ମିଛ କୁହ। ବେଳେବେଳେ ଲାଗେ ତୁମେ ସବୁ ସତ କଥା କହୁଛ। କିନ୍ତୁ ତୁମକୁ ଦେଖିଲେ ମନହୁଏ–ଏ ରକମ୍‌ ଚେହେରାର ଲୋକ ଏମିତି ଗୀତ ଗାଇ ପାରେନା। ତୁମ ଚେହେରା ତୁମ ଗୀତଠୁ ଭିନ୍ନ। ତୁମ ଆଖିର ନଜର ଭିତରେ ମୁଁ ଗୀତର ଭାବାର୍ଥ ଖୋଜି ପାଏନା। ତୁମର ଜିଭ ସତେ ଅବା ଗୋଟେ ବୋତଲ ଏସିଡ୍‌। ତୁମର ଓଠ ନିଷ୍ଠୁର। ଦେଖିଲେ ମନେହୁଏନା ଏଇପରି ଏକ ଲୋକର ଓଠରୁ ଏତେ ମିଠା ଗୀତ ବାହାରେ।

ତୁମକୁ ମୁଁ କେବେ ପାଇନାହିଁ! ତେଣୁ ମୁଁ ତୁମକୁ ହଜାଇ ନାହିଁ। କେବଳ ଦୁହିଁଙ୍କର ବୟସ ହଜିଯାଇଛି। କାହିଁକି ହଜିଗଲା–ତୁମ ଗୀତର କୋମଳତା ପାଇଁ ନା ତୁମ ଚେହେରାର ନିଷ୍ଠୁରତା ପାଇଁ? ଏ ପ୍ରଶ୍ନର ଉତ୍ତର ମୁଁ ସବୁଦିନେ ସଂଜ ବେଳେ ବସି ମୋ ଡ୍ରଇଂ ରୁମ୍‌ରେ ଖୋଜେ।

ବେଡ ରୁମ୍ ଥାଉ ଥାଉ କାହିଁକି ଡ୍ରଇଂରୁମ୍‌ରେ ଖୋଜେ ! କାରଣ ମୁଁ ତୁମକୁ କେବେ ମୋ ବେଡରୁମ୍‌ରେ ପାଇନାହିଁ। ତୁମକୁ ଅତି ପାଖରେ ପାଇଛି କେବଳ ମୋ ଡ୍ରଇଂ ରୁମ୍‌ରେ। ତେଣୁ ତୁମକୁ ଭାବିବା ଯେତେବେଳେ ଦରକାର ପଡେ ମୁଁ ଡ୍ରଇଂରୁମ୍‌କୁ ଚାଲିଆସେ। ସେଠି ମୋର ଫୋନ୍‌ ଅଛି। ସେଠି ମୋର ଫ୍ରିଜ ଅଛି ଏବଂ ସେଠି ତୁମ ଗୀତ ସବୁ ଅଛି ଯିଏ ମତେ ମନେପକେଇ ଦିଏ ତୁମ ନିଷ୍ଠୁର ଚେହେରା।

ତୁମ ଗୀତ କିନ୍ତୁ କହେ ଅନେକ କଥା–ଯାହାର ଅର୍ଥ ସମସ୍ତେ ବୁଝିପାରନ୍ତି ନାହିଁ। ମୁଁ ଗର୍ବ କରୁନି ଯେ ମୁଁ ବୁଝିପାରେ ବୋଲି। କିନ୍ତୁ ମୋତେ ଲାଗେ ମୁଁ ଅନ୍ୟମାନଙ୍କ ଅପେକ୍ଷା ବେଶୀ ବୁଝେ। ଏଇଟା ମୋର ଗର୍ବ, ଏଇଟା ମୋର ଅଭିମାନ ହୋଇପାରେ କିନ୍ତୁ ମୁଁ ଯେ ଖୁବ୍‌ ବୁଝେ ସେ କଥା କ’ଣ ତମେ ଜାଣ ନାହିଁ? ତମେ ସବୁ ଜାଣିଛ କିନ୍ତୁ ଜୀବନ ସାରା ତମେ କେବଳ ମୋ ଆଗରେ ଅଭିନୟ କରି  ଆସିଛ। ଅଭିନୟ ତ କେବଳ ତମେ କରିନ ତୁମର ଯେତେ ଚେଲା ଚାମଣ୍ଡା ଅଛନ୍ତି ସମସ୍ତଙ୍କୁ ଅଭିନୟ କରିବା ଶିଖେଇ ଦେଇଛ।

ତୁମ ଗୀତକୁ ମୁଁ ଭଲ ପାଏ। କିନ୍ତୁ ବେଳେବେଳେ ତୁମକୁ ମୁଁ ଘୃଣା କରେ। କାରଣ ତମେ ତମର ସମସ୍ତ ଚେଲାଚାମୁଣ୍ଡାଙ୍କୁ ଏପରି ତିଆରି କରିଛ ଯେଉଁମାନେ ପ୍ରତି ମୁହୂର୍ତ୍ତରେ ମତେ ତମ କଥା ମନେପକେଇ ଦିଅନ୍ତି। ଏମିତି ତମେ କାହିଁକି କର ? ତମେ ଚାହିଁଥିଲେ ମୁଁ ସବୁଦିନ ପାଇଁ ତୁମର ହୋଇ ରହିଥା’ନ୍ତି।  ତୁମେ ଚାହିଁଥିଲେ… ।

ବର୍ତ୍ତମାନ ମୁଁ ବିବାହିତା, ତୁମେ ବିବାହିତା। କିନ୍ତୁ ମୋ ବିବାହାର ଅନେକ ପୂର୍ବରୁ, ମୁଁ ତୁମକୁ ଚିଠି ଲେଖିଥିଲି କେତେ ସିନ୍‌ସିଅରିଟିଂ ଥିଲା ସେଥିରେ ! କେତେ ପ୍ରାଣ, କେତେ ଭଲପାଇବା ଥିଲା ସେଥିରେ। କିନ୍ତୁ ତୁମେ ଚିଠିର ଉତ୍ତର ଦେଲ ବନ୍ଧୁ ଭାବରେ। ଯେମିତି ତମର କିଛି ହେଇନି ।

କେବଳ ମୋର ସବୁ ଗଣ୍ଡଗୋଳ ହୋଇଯାଉଛି। ଏବଂ ସେ ସବୁ ଗଣ୍ଡଗୋଳକୁ ସୁଧାରିବା ପାଇଁ ପୃଥିବୀରେ ତମେ ମାତ୍ର ଜଣେ।

ମୁଁ ଲେଖିଥିଲି ଶିଳ୍ପୀ ଆକାଶରେ ମଙ୍ଗଳମହୁରୀ ଆଉ ତୁମ ଗୀତ ! (ହଁ, ସେତେବେଳେ ବାହାଘର ତିଥି ଅନେକ ଥିଲା ) ତୁମେ ଉତ୍ତର ଦେଲ–‘ଯାହା  ହେଉ ତମେ ତ ମତେ ପାଉଚ।’ ଧେତ୍‌-ଏମିତି ପାଇବା କ’ଣ  ପାଇବା ? ତୁମେ କ’ଣ ଏକ ମୃଗତୃଷ୍ଣା – ତୁମେ କ’ଣ ? ମୋ ହୃଦୟରେ ଆଘାତ ଲାଗିଲା। ମୋ ଘର ପାଖରେ ଜଣେ ଡାକ୍ତର ରହୁଥିଲେ। ସେ ଖୁବ୍‌ ସୁନ୍ଦର ଦେଖିବାକୁ। ଅନ୍ତତଃ ତୁମଠୁ ସୁନ୍ଦର। ମୁଁ ତାଙ୍କୁ ପ୍ରେମ କରିବାକୁ ଆରମ୍ଭ କଲି।

ଏମିତି ନୁହେଁ ଯେ ଏଇଟା ମୋର ପ୍ରଥମ ପ୍ରେମ। ଏମିତି ନୁହେଁ ଯେ ଏଇଟା ମୋର ଶେଷ ପ୍ରେମ ଯାହାପରେ ମତେ ବିବାହ କରିବାକୁ ପଡ଼ିବ। କିନ୍ତୁ ଗୋଟାଏ ଝୁଙ୍କରେ ମୁଁ ତାଙ୍କ ସହିତ ପ୍ରେମରେ ପଡ଼ିଗଲି। ତାଙ୍କର ପ୍ରେମର କିନ୍ତୁ ଅଲଗା ଅର୍ଥ। ସେ କବିତା ଲେଖନ୍ତି ନାହିଁ, ସେ ଗଳ୍ପ ଲେଖନ୍ତି ନାହିଁ ଏବଂ ସେ ଆଦୌ ଶିଳ୍ପୀ ନୁହଁନ୍ତି।

ଶିଳ୍ପୀ ନ ହୋଇଥିଲେ ମୋ ହୃଦୟର ଦୁର୍ବଳତାକୁ କେହି ଛୁଇଁ ପାରେନା। ତୁମ ସହିତ ଦେଖାହେବା ପରେ ପରେ ମୁଁ ଜଣେ ଭାଓଲିନ୍‌ ବାଦକଙ୍କ ପ୍ରେମରେ ପଡ଼ିଗଲି। ଏପରିକି ମୋ ବ୍ଲାଉଜ୍‌ରେ ଭାଓଲିନ୍‌ର ଚିତ୍ର ଏମ୍ବ୍ରାଡୋରି କରି ମୁଁ ପିନ୍ଧୁଥିଲି। କିନ୍ତୁ ସେ ବି ଥିଲେ ବିବାହିତ। ତେଣୁ ମୋର ନିରାଶ ଧୀରେ ଧୀରେ ବଢି ଚାଲିଲା। କାରଣ ଯେଉଁଠି ମୋର ଭଲ ପାଇବାର ସୁନାକଳସୀ ସେଠି ସମେସ୍ତ ବିବାହିତ।

କିନ୍ତୁ ମୁଁ ତୁମକୁ ଅବିବାହିତ ଅବସ୍ଥାରେ ପାଇଥିଲି। ଚାହିଁଥିଲେ ମୁଁ ତୁମକୁ ପ୍ରେମ ନିବେଦନ କରି ପାରିଥାଆନ୍ତି। ଚାହିଁଥିଲେ ମୁଁ ତୁମ ସାଙ୍ଗରେ ରିକ୍‌ସାରେ ବୁଲି ପାରିଥା’ନ୍ତି। ହେଲେ ତୁମର ସେତେବେଳେ ଜଣେ ପ୍ରେମିକା ଥିଲେ। ମୋର ବିଶ୍ବାସ ଥିଲା ସେ ପ୍ରେମିକା କେବେ ତୁମକୁ ବାହାହେବେ ନାହିଁ। ତଥାପି ମୋ ମନର ଡର ମତେ ଖାଇଲା। ମୁଁ କିଛି କରିପାରିଲି ନାହିଁ। କେବଳ ଏକ କୋମଳ ମୁହୂତ୍ତର୍ର ଅପେକ୍ଷାରେ ରହିଲି ।

ତା’ପରେ ଦିନେ ଶୁଣିଲି ତୁମେ ବାହା ହେଇଯାଉଛ। କୋଉ ଝିଅଟା ତୁମକୁ ବାହା ହେବାକୁ ରାଜି ହେଲା ? ମୁଁ ଗୋଟେ କବିତା ଲେଖି ପଠେଇଲି ତୁମ ପାଖକୁ । କବିତାଟାର ଲେଖିକା ବେନାମୀ। ତା’ ବି ତୁମେ ଚିହ୍ନିନେଲ ମତେ। କେତେ ସହଜରେ ତୁମେ ହୃଦୟକୁ ଛୁଇଁପାର !!! ଅଥଚ ତୁମକୁ ଯିଏ ହୃଦୟର ସହିତ ଚାହେଁ ତୁମେ ତାକୁ ଧରାଦିଅନା?

ତୁମର ଗୀତ କେବଳ ରହିଗଲା ମୋ ଅବିବାହିତା ଜୀବନର ଆଶ୍ରୟ। ମୁଁ ପ୍ରତି ଗୀତରେ ଖୋଜି ବସିଲି ମୋରି ସତ୍ତା। ବେଳେବେଳେ ଲାଗୁଥିଲା ଏସବୁ ଗୀତ ମୋର ଉଦ୍ଦେଶ୍ୟରେ ଏବଂ ବେଳେବଳେ ଲାଗୁଥିଲ- ନାଁ, ମୁଁ କିଛି ନୁହେଁ- ଏସବୁ ଗୀତ ତୁମ ପ୍ରେମିକା ଉଦ୍ଦେଶ୍ୟରେ ଯେ’ କି ଆମ ସାଙ୍ଗରେ କଲେଜରେ ପଢୁଥିଲା। କେତେ ବିଭ୍ରାନ୍ତିକର ତୁମ ଗୀତ ! କେତେବେଳେ ନିଜର କେତେବେଳେ ପରର!

ତା’ପରେ ଆସିଲା ମୋର ବିବାହର ପ୍ରସଙ୍ଗ। ମୁଁ କିଛି ଠିକ୍‌ କରିପାରୁନଥିଲି। ଏ ପାଖରେ ଅନେକ ଦିନ ଧରି ଗୋଟେ ଡାକ୍ତରଙ୍କୁ, ସେ ପାଖରେ ଶିବୁ ପୁଣି ସମସ୍ତଙ୍କ ଉପରେ ତମେ। ଯଦିଓ ମୁଁ ଜାଣିଥିଲି ଯେ, ମୁଁ ଜୀବନରେ କେବେହେଲେ ତୁମକୁ ବାହା ହୋଇପାରିବିନି। ମୁଁ ତୁମ ପାଖକୁ ଚିଠି ଲେଖିଲି ଯେ – ତୁମ ସହରରୁ ଗୋଟେ ବିବାହ ପ୍ରସ୍ତାବ ଆସିଛି। ଏମିତି କିଛି ଲୋଭନୀୟ ପ୍ରସ୍ତାବ ନୁହେଁ। କିନ୍ତୁ କେବଳ ତୁମ ସହରରେ ରହିବି ଏତିକି ମୋର ଲୋଭ। ତୁମ ସହରରେ ଉଡି ବୁଲୁଥିବ ତୁମ ନିଃଶ୍ବାସ ପ୍ରଶ୍ବାସ।

ତୁମେ ମତେ ଉପଦେଶ ଦେଲ–‘ସୁଅ ମୁହଁର ପତର ହୋଇଯାଅ ସୁଖରେ ରହିବ।‘ ଆଉ ମୁଁ ସୁଅ ମୁହଁର ପତର ହୋଇ ତୁମ ସହରରେ ପହୁଞ୍ଚିଲି କିନ୍ତୁ ତୁମ ଘରଠୁ ଅନେକ ଦୂରରେ। ପବନରେ ତମ ପ୍ରଶ୍ବାସର ଉଷ୍ମତା ନଥିଲା। ମୁଁ ସ୍ବାମୀଙ୍କୁ ପଟେଇଲି

‘ଚାଲ ନୂଆ ବାହା ହେଇେଛ। ଗୋଟେ ଜଏଣ୍ଟ ଫାମିଲିର ମଜ୍ଜା କଣ ଅଛି । ଆମେ ଗୋଟେ ଅଲଗା ଭଡ଼ା ଘରେ ରହିବା।‘ ସେ ବି ରାଜି ହେଲେ। ଭଡ଼ା ଘର ଖୋଜି ଖୋଜି ମୁଁ ତୁମ ଘର ପାଖକୁ ଚାଲିଆସିଲି। କିନ୍ତୁ ନିକଟତା କେତେ ଦୂର – ମୁଁ ତୁମ ଘର ପାଖରେ ରହି ବୁଝିଲି। ନା ତମେ ଆସ ନା ମୁଁ ତୁମ ପାଖକୁ ଯାଇପାରେ। ଘର ପାଖରେ ଘର କରିବା କ‘ଣ ଏକ ଅସୀମ ପ୍ରତୀକ୍ଷା !

ତୁମ ଗୀତ ପ୍ରତି ମୋର ଘୃଣା ଆସିଲା। ପ୍ରତିଜ୍ଞା କଲି ତୁମ ଗୀତ ଆଉ ଶୁଣିବିନି। କିନ୍ତୁ ନ ଶୁଣି ନ ପଢି କିଛି ଉପାୟ ଅଛି ? ଯିଏ ବି ଆସନ୍ତି ମୋ ଘରକୁ ମୋ ସାଙ୍ଗରେ ଦେଖା କରିବାକୁ କେବଳ ତୁମରି କଥା ମନେ ପକେଇ ଦିଅନ୍ତି। ମୋ ଜୀବନରେ ଅନୁଭବ କଲି ତୁମକୁ ଭୁଲିବାକୁ ଚେଷ୍ଟା କରିବା ମାନେ ତୁମକୁ ମନେପକାଇବା। ତୁମ ଗୀତକୁ ନ ଶୁଣିବା ମାନେ ସେଇ ଗୀତକୁ ଗୁଣୁଗୁଣୁ କରି ଗାଇବା। ବାଇବେଲ୍‌ର ସେଇ ସାପ ପରି ତୁମେ କ’ଣ ସବୁ ଗଛରେ ଗୁଡେଇ ହୋଇ ରହିଛ ? ତୁମେ କ’ଣ ସବୁ ନାରୀଙ୍କୁ ଜ୍ଞାନ ବୃକ୍ଷର ଫଳ ଖାଇବାକୁ ପ୍ରରୋଚନା ଦେବାପାଇଁ କୋତ ନେଇଛ ?

ତୁମ ଗୀତ ମୋଠୁ ଦୂରେଇ ଗଲା ଦିନେ ଅକସ୍ମାତ୍‌ ଗୋଟେ ଦୁର୍ଘଟଣାରେ। ମୁଁ ବୁଝିପାରିଲିନି ତୁମେ ମତେ ପ୍ରକୃତରେ ଏତେ ଦିନ ଯାଏ ଭଲ ପାଉଥିଲ ନାଁ ଘୃଣା କରୁଥିଲ ? ଯଦିଓ ମୁଁ ଭଲ ଭାବରେ ଜାଣିଛି ଯେ ଆଗେ ତୁମେ ତୁମକୁ ହିଁ ଭଲପାଅ। ତୁମେ ଅଲଗା ହୋଇଗଲ ମୋଠାରୁ ଯେଉଁଦିନ ମୁଁ ପଚାରିଲି – ରାନୀ ଦାସ୍‌ ସାଙ୍ଗରେ କୌଣସି ଦୈହିକ ସମ୍ପର୍କ ଅଛି ନା ନାହିଁ। ମୋର ସେଇଟା ଭୁଳ୍‌ ନୁହେଁ। ପ୍ରତ୍ୟେକ ନାରୀର ଗୁଣ – ସ୍ବକୀୟା ହେଉ, ପରକୀୟା ହେଉ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଈର୍ଷା ପରାୟଣ।

ତୁମେ ଯେଉଁ କଥା କହିଲ ତା’ ମୋ ହୃଦୟକୁ ବାଧିଲା। ତୁମେ ଦୁନିଆର ସବୁ ଝିଅ ସାଙ୍ଗରେ ସମ୍ପର୍କ ରଖି କ୍ଷତି ନାହିଁ କିନ୍ତୁ ମୋ ପାଖରୁ ତୁମେ କଟି ଯିବ କାହିଁକି ? କ’ଣ ଏଇ ରାନୀ ଦାସ ପାଇଁ ? ତୁମକୁ ହଜାର ଥର କହିଛି ତୁମେ ମତେ ‘ମାଇକିନିଆା ବୋଲି ସମ୍ବୋଧନ କରିବନି କିନ୍ତୁ ତୁମେ କହିଲ ‘ଯେଉଁ ମାଇକିନିଆର ସ୍ବାମୀ ଅଛି ଓ ଗୋଟେ ପ୍ରେମିକ ଅଛି ସେ ଦୁଇଜଣଙ୍କ ଭିତରୁ ଜଣକ ପାଇଁ ବେଶ୍ୟା।’

ତୁମ ଗୀତ ଓ ତୁମେ ମୋ’ଠୁ ଦୂରେଇ ଗଲ ଯେମିତିକା ସକାଳର ଉଡ଼ାଜାହାଜ ଦେଖୁ ଦେଖୁ ଉଭେଇ ଯାଏ। ତୁମକୁ ହରେଇ ମୁଁ କିନ୍ତୁ ଅତି ଅଦ୍ଭୁତ ହୋଇଗଲି। ହୁଏତ ମୁଁ ଚାହୁଁଥିଲି ମୋ ଦ୍ବିତୀୟ ସନ୍ତାନ ତୁମ ଔରସରୁ ହେଉ। କିନ୍ତୁ ତୁମେ ଏତେ ଦୂରରେ। ମୁଁ ମୋ ସ୍ବାମୀଙ୍କ ପାଖକୁ ଫେରି ଆସିଲି। ହଠାତ୍‌ ଶାଢୀ ଛାଡି ସାଲ୍ଓ୍ବାର କୁର୍ତ୍ତା ପିନ୍ଧିବାକୁ ଆରମ୍ଭ କଲି । ପୁଣି ଯେଉଁ ଜିନିଷଟାକୁ ତୁମେ ସବୁଠୁ ଘୃଣା କର ସେଇ ଲିପିଷ୍ଟିକ୍‌ ଲଗେଇବା ଆରମ୍ଭ କଲି। ମୁଁ ପୁଣି ମୁଡ୍‌ ହୋଇଗଲି। ତୁମ ଲାଗି ସନ୍ନ୍ୟାସିନୀ ହେବାର କୌଣସି ମାନେ ନାହିଁ । ବରଂ ମୁଁ ଆଉ ଗୋଟେ ସନ୍ତାନର ମାଆ ହୁଏ । କାହିଁକି ମୋର କ’ଣ ସ୍ବାମୀ ନାହାନ୍ତି ? – ସେ ଅଛନ୍ତି ଏବଂ ସେ ତୁମଠାରୁ ଯଥେଷ୍ଟ ସୁନ୍ଦର, ଯଥେଷ୍ଟ ଯୋଗ୍ୟ – ଏବଂ.. ।

ମୁଁ ଗର୍ଭବତୀ ହେଲି। କିନ୍ତୁ ଜାଣେନା ତୁମେ ଏ ଖବର ପାଇଲ କି ନାହିଁ। ବହୁତ ଇଚ୍ଛା ଥିଲା ରାନି ଦାସ୍‌ ହାତରେ ଏ ଖବର ତୁମକୁ ପଠେଇବାକୁ। କିନ୍ତୁ ସୁଯୋଗ ମିଳିଲାନି। ମୋ ସ୍ବାମୀଙ୍କ ସହିତ ମୁଁ ଅନେକ ଥର ଯାଇଛି ବାହାରେ ବୁଲିବାକୁ ଓ କେବଳ ସାଲ୍‌ଓ୍ବାର କମିଜ୍‌ ପିନ୍ଧି। କାରଣ ସେଥିରେ ମୋର ଉଦରର ସ୍ଫୀତି ପରିଷ୍କାର ଦେଖାଯିବ। କିନ୍ତୁ ତମେ ଦେଖଲନି।

ତୁମ ଗୀତ ପରି ପିଲାଟା ମୋ ପେଟରେ ବୁଲୁଥିଲା ଅହରହ। ତୁମେ କୁହ ପରା – ଗୋଟେ ଗୀତ ଲେଖିବା ପୂର୍ବରୁ ତମେ ଯେଉଁ ଗର୍ଭ ଯନ୍ତ୍ରଣା ପାଅ ? ମୁଁ ବି ଭାବୁଥିଲି ଏ ପିଲାଟି ଗୋଟେ ଝିଅ ଯାହାର ନାମ ଦେବି କବିତା –

ଠିକ୍‌ ସମୟରେ ମୁଁ ହସ୍ପିଟାଲ୍‌କୁ ଗଲି। ଠିକ୍‌ ସମୟରେ ପେନ୍‌ ହେଲା। ଠିକ୍‌ ସମୟରେ ଡେଲିଭରୀ ଟେବଲ୍ ଉପରେ ହାଉସ୍‌ ସର୍ଜନମାନେ ମୋ ପେଟରେ ଷ୍ଟେଥୋ ଲଗେଇ ପରୀକ୍ଷା କରୁଥିଲେ – କିନ୍ତୁ କିନ୍ତୁ – ଏ କ’ଣ ? ମୋତେ କାହିଁକି କଷ୍ଟ ହେଉନି ? ଡକ୍ଟର ଭଲ କରି ଦେଖ – ମତେ କାହିଁକି କଷ୍ଟ ହେଉନି – ମୁଁ ସେଇ କଷ୍ଟ ଖୋଜୁଛି ଯାହା ତୁମ ମନକୁ କଷ୍ଟ ଦେବ – ନା – ମୁଁ ବେହୋସ ହୋଇଗଲି।

ମୋ ହୋସ ଫେରି ଆସିଲା – ଏବଂ ପରେ ଶୁଣିଲି ଏକ ମୃତସନ୍ତାନ ଜନ୍ମ ନେଇଥିଲା – ବିକଳାଙ୍ଗ ପୁଅଟିଏ । ବାହାରୁ କୌଣସି ମାଇକ୍‌ରେ ଭାସି ଆସୁଥିଲା ତମ ଗୀତ ….।

ହାଏ, ହାଏ ନାରୀମାନଙ୍କର ପ୍ରେମରେ ଅସଫଳତାରେ ସେମାନେ ଲିପିଷ୍ଟିକ୍‌ ଲଗେଇ ପାରନ୍ତି –ସେମାନେ ପ୍ରସାଧାନ ବଦଳେଇ ଦେଇ ପାରନ୍ତି କିନ୍ତୁ ଅସଫଳତାର କାହାଣୀ କ’ଣ ଏକ ମୃତ ସନ୍ତାନର ଜନ୍ମ କାହାଣୀ !!!

ସୌଜନ୍ୟ : ଅକ୍ଷୟ ମହାନ୍ତିଙ୍କ ଗଳ୍ପ ସମଗ୍ର, ଅକ୍ଷୟ ମହାନ୍ତି ଟ୍ରଷ୍ଟ, କଟକ । 

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ବରିଷ୍ଠ ଟିଭି ମିଡିଆ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର: ଓଡିଶା ଟିଭି ମିଡିଆ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କର ଆଜି ସକାଳ ସାତଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ନୀଳାଦ୍ରି ବିହାର ସେକ୍ଟର ୧ରେ ଥିବା ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସେ ଜଣେ ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଥିଲେ। ସେ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ଇଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।

ଆଜି ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ସେ ହେଉଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନିଜ ବଡବାପା।

ତାଙ୍କ ବିୟୋଗରେ ଓଡିଆ ଟିଭି ମିଡିଆ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ବିଶେଷ ଖବର ମନୋରଂଜନ

ମୂଲ୍ୟବୋଧ ବିଜ୍ଞାପନ ପ୍ରଚାରର ଦୁଇଟି ଉଦାହରଣ, ବିଜୁ ପଟ୍ଟନାୟକ ଆଉ ଅକ୍ଷୟ ମହାନ୍ତି

ପ୍ରଦୀପ ମହାନ୍ତି

ଏବେ ଏଇ କିଛି ଦିନ ପୂର୍ବେ ଅମିତାଭ ବଚନ ଗୋଟେ ପାନ ମସଲା (କମଳା ପସନ୍ଦ )ପାଇଁ ଵିଜ୍ଞାପନ କରି ସମାଲୋଚିତ ତଥା ଲୋକହସା ହେବା ପରେ ସେ ସେଥିରୁ ବାଧ୍ୟ୍ୟ ହେଲେ ଓହରି ଯିବାପାଇଁ! ମୋ ଭଳି ଅନେକ ଅମିତାଭ ପ୍ରେମୀ ତାଙ୍କର ଏତାଦୃଶ କାର‌୍ୟ୍ୟ କଳାପ ପାଇଁ ବିରକ୍ତ ଓ ବ୍ୟଥିତ ହେବା ସ୍ୱାଭାବିକ।

ବିଗ-ବି ବୋଲାଉଥିବା ସୁପର ମେଗା ଷ୍ଟାର ଅମିତାଭ ବଚନ ଏମିତି ମର୍ଯ୍ୟଦାହୀନ କାମ କାହିଁକି କରୁଥିଲେ ତାହା ଏକ ସମ୍ବେଦନଶୀଳ ଅଧ୍ୟାୟ। ଏକଥା ସତ କି ବିଗ୍-ବି କମ୍ପାନୀ ପ୍ରତିଷ୍ଠା କରି ଦେବାଳିଆ ହେଲାପରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲେ.. ବିଭିନ୍ନ ବ୍ୟାଙ୍କରୁ ଆଣିଥିବା କୋଟି କୋଟି ଟଙ୍କାର ଋଣ ସୁଝି ନପାରିବାର ଅସହାୟତା ତାଙ୍କ ପାଇଁ ଥିଲା ଏକ ମସ୍ତବଡ଼ ଆହ୍ୱାନ! ଘଟଣାକ୍ରମେ ସେ “କୌନ ବନେଗା କରୋଡ଼ପତି” ଭଳି ରିୟଲିଟି ସୋ’ରେ ଆଙ୍କରିଂ କରି ପୁନଶ୍ଚ କରୋଡ଼ପତି ହେଇଗଲେ!! ତା’ପରଠୁ ତାଙ୍କର ସେକେଣ୍ଡ ଇନିଂସ ଆରମ୍ଭ ହେଇଗଲା ଏବଂ ତା’ ପରଠୁଁ ସେ ଆଉ ପଛକୁ ଫେରି ନାହାନ୍ତି କ୍ଷ

କେବିସିର ରେ ଉପସ୍ଥାପନା ସହିତ ଅନେକ ବଛା ବଛା ସିନେମାରେ ତାଙ୍କର ଔଜଲ୍ୟପୂର୍ଣ୍ଣ ଅଭିନୟ ତାଙ୍କ ଗୌରବାଜ୍ଜଳ ଇମେଜକୁ ବଜାୟ ରଖିପାରିବାରେ ସମର୍ଥ ହେଇପାରିଲା। ତା’ପରଠୁଁ ଭଳିକି ଭଳି ଵିଜ୍ଞାପନ ଫିଲ୍ମରେ ଅଭିନୟ କରି ସେ ପ୍ରଚୁର ଅର୍ଥ ଉପାର୍ଜ୍ଜନ କରି ଚାଲିଛନ୍ତି କ୍ଷ ସିଏ ତେଲ ମାଲିସ ହଉ କି ସୁନା ଗହଣା ବିକା ହେଉ, ଅଧିକାଂଶ ଆଡ୍ ରେ ଅମିତାଭଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି।

ଏଇ ଅଣାଅଶୀ ବର୍ଷ ବୟସରେ ତାଙ୍କର ଆକର୍ଷଣ ଓ ଲୋକପ୍ରିୟତା ଅପ୍ରତିହତ ରହିବା କିଛି କମ କଥା ନୁହେଁ!! ଅନ୍ୟ ଷ୍ଟାର ମାନଙ୍କ ପାଖରେ ସେ ନିଶ୍ଚୟ ଇର୍ଷଣୀୟ ହେଇ ପଡିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମତେ ଲାଗେ ଅନେକ କମ୍ପାନୀର ମାଲିକମାନେ ଅମିତାଭ ବଚ୍ଚନଙ୍କୁ ତାଙ୍କର ବ୍ରାଣ୍ଡ ଅମ୍ବାସାଡ଼ର କରିବାକୁ ଯେମିତି ପ୍ରତିଯୋଗୀତା କରୁଛନ୍ତି ଏବଂ ତାଙ୍କର ବହୁ ଦିନର ଅରମାନ ପୁରା କରୁଛନ୍ତି। ସେଥିପାଇଁ ସେମାନେ ୫-୧୦ କୋଟି ଟଙ୍କା ଯାଏ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି!

ଏଇ ଘଟଣାରେ ସବୁଠୁଁ କ୍ଷୋଭ ଓ ପରିତାପର ବିଷୟ ହେଉଛି ତାଙ୍କର ଏଇ ସ୍ୱାସ୍ଥ୍ୟହାନୀ କାରକ ପାନ ମସାଲାର ଵିଜ୍ଞାପନ କରିବା!! ଯେଉଁଠି ତାଙ୍କ ଶୁଭେଛୁ ତଥା ପ୍ରଶଂସକ ମାନେ ତାଙ୍କୁ ଭାରତରତ୍ନ ଅବା ରାଷ୍ଟ୍ରପତି ଆସନରେ ଦେଖିବାକୁ ଭାବୁଛନ୍ତି, ସେଠି ଲଜ୍ଜାହୀନ ଲୋଭ ଦ୍ୱାରା ବଶବର୍ତ୍ତୀ ହେଇ ଅମିତାଭ ଏମିତି ନାଁ ପକା କାମ କରି ନିନ୍ଦିତ ହେବାଟା ଆଦୌ ସ୍ପୃହଣୀୟ ନୁହେଁ! ଯଦିଓ ସେ ଅପଯଶ ହେବା ଭୟରେ ଏଇ ଶସ୍ତା ଵିଜ୍ଞାପନରୁ ଓହରି ଯାଇଛନ୍ତି, ତଥାପି ତାଙ୍କ ଭଳି ଜଣେ ଲିଭିଙ୍ଗ ଲିଜେଣ୍ଡ ଏମିତି କରିବାର ନଥିଲା।

ଏଇ ପରିପ୍ରେକ୍ଷୀରେ ମୁଁ ଉତ୍ଥାପନ କରୁଛି ଆଉ ଦୁଇଜଣ ଦିବଂଗତ କିମ୍ବଦନ୍ତୀ ପୁରୁଷଙ୍କ କଥା.. ସେମାନେ ହେଲେ ଆମ ଅକ୍ଷୟ ମହାନ୍ତି ଓ ବିଜୁ ପଟ୍ଟନାୟକ।

୧୯୮୩-୮୪ ମସିହା କଥା.. ସେତେବେଳେ ଓଡ଼ିଶାରେ ପ୍ରଥମ ଵିଜ୍ଞାପନ ଫିଲ୍ମ ନିର୍ମାତା (ଉଇଙ୍କ ଫିଲ୍ମ ମେକର )ଭାବେ ଆମେ ଅନେକ ଆଡ୍ ଫିଲ୍ମ କରୁଥାଉ ଏବଂ ଓଡ଼ିଶାର ଅଧିକାଂଶ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପ୍ରଡକ୍ଟ ପାଇଁ ଅଭିନୟ କରୁଥାନ୍ତି ଏବଂ ସେସବୁ ସେତେବେଳେ ବିଭିନ୍ନ ସିନେମା ହଲରେ ରିଲିଜ ହେଉଥାଏ। ଥରେ ଓଡ଼ିଶା ବିଖ୍ୟାତ ଆକବର ଖାଁ ଗୁଡ଼ାଖୁ ପାଇଁ ଗୋଟେ ମିନିଟିକିଆ ଆଡ଼ ଫିଲ୍ମ କରିବାକୁ ଅଫର ଆସିଲା ଏବଂ ସେଥିପାଇଁ ମୁଁ ଅକ୍ଷୟ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ଏଇ ଅଡ଼ିଓ ଭିଜୁଆଲ ମିଡ଼ିଆରେ ଅଭିନୟ ପାଇଁ ପ୍ରସ୍ତାବ ଦେଲି, କାରଣ ଖୋକା ଭାଇ ଗୁଡ଼ାଖୁ ଘଷୁଥିଲେ ଏବଂ ଗୁଡ଼ାଖୁ ଘଷିବା ପରର ମିଞ୍ଜାସ ତାଙ୍କର ପୁରା ବିନ୍ଦାସ ହେଇଯାଉଥିଲା!!

ସେଇ ସମୟରେ ଗୀତ ଲେଖା, ସ୍ୱର ସଂଯୋଜନା ପୁରା ମାତିକି କରୁଥିଲେ! ମାନେ ପାନ ଖିଲେ କି ଟେଳାଏ ଗୁଡ଼ାଖୁରେ ସେ ଚଉଦ ଭୁବନ ଦେଖିପାରୁଥିଲେ କହିଲେ ଅତ୍ୟୁକ୍ତି ହେବନି!

ମୁଁ ସେଇ ତାଙ୍କର ଜୀବନଚର୍ଯ୍ୟା ମାନେ ଲାଇଫ ଷ୍ଟାଇଲକୁ ମୁଣ୍ଡରେ ରଖି ଗୋଟେ ରଫ ସ୍କ୍ରିପ୍ଟ କରିଦେଇ ପାର୍ଟିକୁ ଶୁଣାଇ ଦେଲି। ଆକବର ଖାଁ ପୁରା ଖୁସ୍ ହେଇଗଲେ ଏମିତିକା ଆଇଡ଼ିଆ ଶୁଣି…ପୁଣି ସୁପ୍ରସିଦ୍ଧ ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଗୀତ ଗାଇବା ସହ ଏଥିରେ ଅଭିନୟ କରିବେ, ୟାଠୁଁ ବଳି ସୁଯୋଗ ଓ ଆକର୍ଷଣ ଆଉ କଣ ହେଇପାରେ?

ମୁଁ ଗୁଡ଼ାଖୁ କମ୍ପାନୀରୁ ସବୁଜ ସଂକେତ ପାଇ ଧାଇଁ ଗଲି ଖୋକା ଭାଇଙ୍କ ପାଖକୁ ଏ ବିଷୟରେ କଥା ପକ୍କା କରିବାକୁ ଏବଂ ସେ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ କରିବାକୁ। ଗୀତ, ସଂଗୀତ, କଣ୍ଠ ପୁଣି ଅଭିନୟ ସବୁ ଏକାକାର ହେଇଯିବ ଗୋଟେ ମାଡ଼ରେ!!! ଏଇ ପ୍ରଡକ୍ସନ ନିମନ୍ତେ ଆମେ ୩୦ହଜାର ଟଙ୍କା ପାଇବାକୁ କମ୍ପାନୀ ସହିତ କଥା ଛିଣ୍ଡିଥିଲା ଏବଂ ମୁଁ ଖୋକାଇଙ୍କୁ ଏ ବାବଦରେ ୫୦୦୦ ଟଙ୍କା ଦେବାକୁ କହିଦେଲି। ମୁଁ ଜାଣିଥିଲି ସେ ବହୁତ ଖୁସି ହେଇଯିବେ ଏବଂ ହେଲେ ମଧ୍ୟ.. କାରଣ ସେ ସମୟରେ ଗୋଟେ ଓଡ଼ିଆ ଫିଲ୍ମରେ ମୁଖ୍ୟ ଅଭିନେତା, ଅଭିନେତ୍ରୀ ମାନେ ୩-୪ ହଜାର ଟଙ୍କା ଯାଏ ପାଉଥିଲା ବେଳେ ଅକ୍ଷୟ ମହାନ୍ତିଙ୍କ ପରି ଆଗ ଧାଡ଼ିର ମ୍ୟୁଜିକ ଡାଇରେକ୍ଟର ମାନେ ବି ପାଖାପାଖି ସେତିକି ପାଉଥିଲେ।

ଗୋଟେ ରଙ୍ଗୀନ ଓଡ଼ିଆ ଫିଲ୍ମର ବଜେଟ ସେତେବେଳେ ସମୁଦାୟ ୫-୬ଲକ୍ଷ ଭିତରେ ଥିଲା। ଏମିତିକା ସୁଆଦିଆ ଅଫର ପାଇ ଖୋକା ଭାଇ ତ ରାଜି ହେଇଯାଇଥିଲେ, ହେଲେ କିଛି ଦିନ ପରେ ମୁଁ ଯେତେବେଳେ ତାଙ୍କ ସହ ଫାଇନାଲ ସ୍କ୍ରିପ୍ଟ ଡିସ୍କସନ ପାଇଁ ଗଲି, ସେ ମୋ ସହ କେମିତି ଗୋଟେ ଦୋ ଦୋ ପାଞ୍ଚିଆ ହେଇ କଥା ବାର୍ତ୍ତା କଲେ.. ” ଶଳା ମୁଁ ଆକବର ଖାଁ ଗୁଡ଼ାଖୁ ପାଇଁ ଵିଜ୍ଞାପନ କଲେ ଲୋକମାନେ କଣ କହିବେ… ମୋ ପ୍ରେଷ୍ଟିଜ ରହିବ?? ନିତେଇଦା (ନିର୍ଦ୍ଦେଶକ ନିତାଇ ପାଲିତ ), ପ୍ରଶାନ୍ତ ନନ୍ଦ, ଦେବଦାସ ଏମାନେ ସବୁ ମତେ କମେଣ୍ଟ କରିବେନି.. ମୁଁ କଣ ସତରେ କରିବି ତୁ କହୁଚୁ….. ” ଖୋକାଇଙ୍କ ଏମନ୍ତ ରଙ୍ଗ ବଦଳା କଥା ଶୁଣି ମୁଁ ଟିକେ ଥତମତ ହେଇଗଲି ଓ କହିଲି, ” ତମେ ତ ସବୁଦିନ ଗୁଡ଼ାଖୁ ଘଷୁଛ ପୁଣି ଦି ତିନ ଥର ଲେଖାଁ, ଆଉ ଗୁଡ଼ାଖୁ ଵିଜ୍ଞାପନ ପାଇଁ ଡରୁଚ କିପାଇଁ ?”

ମୁଁ ଦେଖିଲି ଖୋକା ଭାଇକୁ ନ ମନେଇଲେ ଏତେ ଭଲ ବଜେଟର କାମଟା ହାତଛଡା ହେଇଯିବ କ୍ଷ ମୁଁ ଏଥର ଭାଉଜଙ୍କୁ ପଟେଇବାକୁ ଚେଷ୍ଟା କଲି.. ସେ କିନ୍ତୁ ତାଙ୍କର ଚିରାଚରିତ ମୁର୍କୀ ହସ ଫୁଟାଇ ଖୋକାଇଙ୍କ ଆଡ଼କୁ ଚାହିଁଲେ। ଖୋକାଇ କହିଲେ, ” ହଉ ତୁ ଯା.. କାଲି ଆଡ଼କୁ କଥା ହେବା.. ” ମୁଁ ସେଦିନ ଟିକେ ମନ ଊଣା କରି ପଳେଇ ଆସିଲି କ୍ଷ ଆସିଲା ବେଳେ ମନେ ମନେ ଭାବୁଥାଏ, ଦି ଚାରିଦିନ ମାତ୍ର କାମ କରି ପାଞ୍ଚ ହଜାର ପାଇବ, ସେଥିରେ ଏତେ କୁଂଥୁ କୁଂଥୁ କଣ ପାଇଁ କେଜାଣି!!

ତା’ର ଦି ଦିନ ପରେ ଫେର ଆସି ସକାଳୁ ସକାଳୁ ଖୋକାଭାଇଙ୍କ ଘରେ ହାଜର ହେଲି, ସେ ମତେ ଦେଖି ଦେଇ କହିଲେ, ” ନାଇଁ ପ୍ରଦୀପ ମୁଁ ଏ ଗୁଡ଼ାଖୁ ଆଡ୍ କରିବି ନାହିଁ.. ତୁ ଆଉ କାହାକୁ ନେଇଯା.. ମତେ ଆମର ବନ୍ଧୁ ବାନ୍ଧବ ମାନେ, ମୋ ଫ୍ୟାନ ମାନେ ଖରାପ ଭାବିବେ.. ତୁ କହିଲେ ମୁଁ ତା’ପାଇଁ ଗୀତ ଜିଙ୍ଗଲ କମ୍ପୋଜ କରିଦେବି, କିନ୍ତୁ ଆକ୍ଟିଙ୍ଗ କରିବି ନାହିଁ… ”

ଖୋକା ଭାଇଙ୍କର ଏମିତି ନାସ୍ତିବାଚକ କଥା ଶୁଣି ମୁଁ କିଛି ସମୟ ଭକୁଆ ବନିଗଲି ଓ କମ୍ପାନୀକୁ କଣ କହି ବୁଝେଇବି ମୋ ଅକଲ ଗୁଡ଼ୁମ ହେଇଗଲା! ସେତେବେଳେ ମୁଁ ଜାଣିବାରେ ଖୋକାଭାଇଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନଥିଲା…୫୦୦ ଟଙ୍କାର ଟେଲିଫୋନ ବିଲ ଦେଇ ନପାରିଥିବାରୁ ତାଙ୍କ ଫୋନ ଲାଇନ କାଟି ଦିଆଯାଇଥିଲା, ସେଥିପାଇଁ ଥରେ ସେ ରାଗିକି ତାଙ୍କର ସେ କଳା ରଙ୍ଗର ଫୋନ ସେଟକୁ ତଳେ କଚାଡି ଭାଙ୍ଗି ଦେଇଥିଲେ!! ଏଭଳିଆ ଅଭାବ ଅନାଟନ ସତ୍ତ୍ୱେ ବି ସେ ନିଜର ମାନ ମର୍ଯ୍ୟଦା, ସ୍ୱାଭିମାନ ଛାଡୁନଥିଲେ। ଲୋଭରେ ପଡ଼ି କେବେବି ସେ ତାଙ୍କର ଭାବମୂର୍ତ୍ତିକୁ ବିକଳ କରିବାକୁ ଚାହୁଁ ନଥିଲେ। ନହେଲେ ୫୦୦ ଟଙ୍କା ଟେଲିଫୋନ ଦେୟ ଦେଇ ପାରୁନଥିବା ଜଣେ ମଣିଷ ୫୦୦୦ ଟଙ୍କା ରୋଜଗାରକୁ ଏଡ଼ାଇ ଯାଇନଥାନ୍ତେ!

ଏବେ ଆସନ୍ତୁ ଫେରିବା ୧୯୬୩-୬୪ ମସିହାକୁ… ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବର କାଗଜ “କଳିଙ୍ଗ” ସେତେବେଳେ ଘୋର ସଙ୍କଟ ଭିତର ଦେଇ ଗତି କରୁଥାଏକ୍ଷ ବିଜୁ ପଟ୍ଟନାୟକ ମାତ୍ର ଅଢ଼େଇ ବର୍ଷରୁ କମ୍ ସମୟ ମୁଖ୍ୟମନ୍ତ୍ରୀ ହେଇ ଇସ୍ତଫା ଦେଇସାରିଥାନ୍ତି। ନା ଅଛି କ୍ଷମତା ନା ଅଛି ଆର୍ଥିକ ସ୍ଵଛଳତା କ୍ଷ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଥାଆନ୍ତି ସେତେବେଳେ କଳିଙ୍ଗର ସମ୍ପାଦକ।

ତାଙ୍କ ଆତ୍ମ ଜୀବନୀ “ପଥ ଓ ପୃଥିବୀ”ରେ ସେ ଲେଖିଛନ୍ତି ଏମିତି କିଛି ଅଜଣା ରୋଚକ କଥା… ଖବର କାଗଜ ପ୍ରକାଶନ ହେଉ କି ପତ୍ରପତ୍ରିକା, ଏସବୁକୁ ନିୟମିତ ରୂପେ ପ୍ରକାଶନ ଜାରି ରଖିବା ଏତେ ସହଜସାଧ୍ୟ ନୁହେଁ! କାଗଜ ବିକ୍ରୀ ଟଙ୍କାରେ ଲାଭ ନଥାଏ, ସେଥିପାଇଁ ଵିଜ୍ଞାପନ ଅର୍ଥ ଉପରେ ସବୁବେଳେ ନିର୍ଭରଶୀଳ ସବୁ ଖବରକାଗଜ। ସେତେବେଳେ ସମାଜ ଏକ ନମ୍ବର କାଗଜ ଭାବରେ ଗୁରୁତ୍ୱ ରଖୁଥାଏ ଏବଂ ପ୍ରାୟ ଵିଜ୍ଞାପନ ସମାଜକୁ ମିଳିଥାଏ। ତେବେ ସମାଜ କୌଣସି ଅରୁଚିକର ଅଥବା ତମାଖୁ ମାଦକଦ୍ରବ୍ୟ ଇତ୍ୟାଦିର ଵିଜ୍ଞାପନ ଗ୍ରହଣ କରୁନଥିଲା।

କଳିଙ୍ଗରେ ସଙ୍କଟ ଚାଲିଥିଲାବେଳେ ଆକସ୍ମିକ ଭାବେ ଆସିଲା ଗୋଟେ ସୁବର୍ଣ୍ଣ ସୁଯୋଗ… ମାକଡୁଏଲ ମଦ କମ୍ପାନୀ ତରଫରୁ ଚାରିଟା ଚଉଠ ପୃଷ୍ଠାର ଵିଜ୍ଞାପନ ଅର୍ଡର ଆସି ପହଁଚିଲା କଳିଙ୍ଗ ରେ ଚାରି ଥର ବାହାରିବାପାଇଁ କ୍ଷ ପ୍ରାୟ ୧୦ହଜାର ଟଙ୍କାର ଆୟ.. କିଛି କମ୍ କଥା ନୁହେଁ କ୍ଷ ମରୁଡ଼ିଆ ଅବସ୍ଥା ଭିତରେ ଧିମେଇ ଯାଇଥିବା କଳିଙ୍ଗ ପ୍ରେସରେ କେବେ କାଗଜ ଥିଲେ କାଳି ନାହିଁ,କେବେ କର୍ମଚାରୀ ମାନଙ୍କୁ ନିୟମିତ ଦରମା ଦେଇ ହେଉନି!!! ଏମିତି ଅଭାବନୀୟ ଅବସ୍ଥାରେ ଏଇ ମଦ ଵିଜ୍ଞାପନର ଅର୍ଡର ମରୁଭୂମିରେ ଓଏସିସ ପରି ଅନୁଭୁତ ହେଉଥିଲା କର୍ମଚାରୀଙ୍କ ମହଲରେ। ଯଥା ସମୟରେ ଏଇ ଖୁସି ଖବର ବିଜୁ ପଟ୍ଟନାୟକଙ୍କ କାନକୁ ଗଲା.. ସେ ବି ଖୁସି ହେଲେ ଏତେଦିନ ପରେ ଏତେ ବଡ଼ ଅର୍ଡର ଆସିଥିବାରୁ, ହେଲେ ପୁଣି ଆସିଲା ଧର୍ମସଙ୍କଟ.. ବିଜୁବାବୁ ଏଇ ମଦ ଵିଜ୍ଞାପନକୁ ଛାପିବେ ନା ନାହିଁ ଚିନ୍ତାରେ ପଡିଗଲେ।

ଏପଟେ ଅର୍ଥାଭାବର ଦୁରାବସ୍ଥା, ସେପଟେ ଵିଜ୍ଞାପନର ମୋଟା ଅର୍ଥର ଆକର୍ଷଣ କ୍ଷ ବାସ୍ତବ ଅବସ୍ଥା ଦୃଷ୍ଟିରୁ ସମସ୍ତେ ଚାହୁଁଥିଲେ ଏଇ ଵିଜ୍ଞାପନ ପ୍ରକାଶିତ ହେଉ, କିଛିଟା ତ ଉଶ୍ୱାସ ହେଇଯିବ ଅବସ୍ଥା। ଶେଷରେ କିନ୍ତୁ ବିଜୁବାବୁ ମନା କରିଦେଲେ ଏଇ ସରୋଗେଟ ମଦ ଵିଜ୍ଞାପନ ଛାପିବାକୁ!! ଜନହିତରେ ବା ଲୋକ କଲ୍ୟାଣ ବିପକ୍ଷରେ ଏହା ଯାଉଥିବାରୁ ବିଜୁ ପଟ୍ଟନାୟକ ରୋକଠୋକ ରିଫ୍ୟୁଜ କରିଦେଲେ। ଇଏ ହେଉଛି ମର୍ଯ୍ୟଦାର କଥା.. ମୂଲ୍ୟବୋଧର ଗାଥା.. ଏମିତି ଆଦର୍ଶକୁ ବଜାୟ ରଖିବା ଏକ ଅନନ୍ୟ ମହାନତା।

( ଲେଖକ ହେଉଛନ୍ତି ଜଣେ ବିଜ୍ଞାପନ ଚଳଚିତ୍ର ଜଗତର ପରିଚିତ ବ୍ୟକ୍ତିତ୍ବ, ଏହି ଲେଖାଟି ତାଙ୍କର ଫେସବୁକ ପୋଷ୍ଟିଂରୁ ଗ୍ରହଣ କରାଯାଇଛି। ତାଙ୍କର ଯୋଗାଯୋଗ ନମ୍ବର ହେଲା -୯୪୩୮୦୧୭୦୨୯ )