ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପ୍ରଦାନ ଉତ୍ସବ: ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ମିଳିଲା ‘ଅକ୍ଷୟ ସାହିତ୍ୟ ସମ୍ମାନ’

Published: Nov 18, 2023, 12:03 pm IST

ଭୁବନେଶ୍ଵର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ସାହିତ୍ୟିକ ଓ ସଙ୍ଗୀତ ପ୍ରତିଭାର କ୍ଷୟ ନାହିଁ। ତାଙ୍କର ଯାଦୁକାରୀ କଣ୍ଠସ୍ଵର ଓ ସଙ୍ଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡିଆ ଜାତି ସେହି ପ୍ରତିଭାର ସଠିକ ମୂଲ୍ୟାୟନ ଏଯାବତ କରି ନାହିଁ। ଗୋଟିଏ ଦୁଇଟି ସଙ୍ଗୀତ ଗାଁ କରିଥିବା କଳାକାରମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଉଥିବା ବଲେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ। ବାସ୍ତବ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା।

ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଏକବିଂଶତମଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡିଶା ସିନେକ୍ରିଟିକ ଆସୋସିଏସନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପ୍ନ କରାଯାଇଛି। ଏଥିରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଓ କାଦମ୍ବିନୀ’ ର ସମ୍ପାଦିକା ତଥା ଲେଖିକା ଡା. ଇତି ସାମନ୍ତ ଅତିଥି ରୂପେ ଯୋଗଦେଇ ଅକ୍ଷୟଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ବାରିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ କୁମାର ହାଳି ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରଯୋଜକ ଲୁଟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ଚଳିତ ବର୍ଷର ସମ୍ମାନଜନକ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ବିଶିଷ୍ଟ ସାହିତ୍ୟିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଜଣାଶୁଣା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କୁ ‘ଅକ୍ଷୟ ସଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶେଷରେ ଆୟୋଜିତ ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ଅକ୍ଷୟ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ଉଦୀୟମାନ ଭାଓଲୀନ ବାଦକ ମାଷ୍ଟର ରାକେଶ ବିଶ୍ଵାଳ ଅକ୍ଷୟ ସଙ୍ଗୀତର ସ୍ଵର ବାଦନ କରିଥିବା ବେଳେ ଇଂ ବିଚିତ୍ରାନନ୍ଦ ଦେଓ, ଶୈଳଭାମା ମହାପାତ୍ର, ଆଦ୍ୟଶା ଦାସ, ପ୍ରୀତିନନ୍ଦା ରାଉତରାୟ, ପ୍ରତିଭା ପ୍ରଧାନ, ସିଦ୍ଧାନ୍ତ ଶତପଥି, ବିଜୟଲକ୍ଷ୍ମୀ ପଟି, ୟଶ ମହାନ୍ତି, ଅର୍ଣ୍ଣବ ପଣ୍ଡା, ସଞ୍ଜୟ ମିଶ୍ର ପ୍ରମୁଖ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ବାଦ୍ୟଗୁରୁ ଅବନୀକାନ୍ତ ଦାସ ଏହି ସଙ୍ଗୀତ ସନ୍ଧ୍ୟାକୁ ପରିଚାଳନା କରିଥିଲେ। ଏହି ଉତ୍ସବରେ କମିଟିର ସଦସ୍ୟ ରବି ବିଶ୍ଵାଳ, ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗୀତା କରିଥିଲେ।

Related posts