ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ରଚିବ ଏକ ନୂଆ ଇତିହାସ। କାରଣ ହେଲା ଆଜି ବିଧାନସଭାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଅଭିଭାଷଣ ରଖିବେ। ପୂର୍ବରୁ ଓଡିଶା ବିଧାନସଭାରେ କୌଣସି ରାଷ୍ଟ୍ରପତି ଅଭିଭାଷଣ ରଖି ନାହିଁନ୍ତି। ଓଡିଶା ମାଟିର ଝିଅ ରାଷ୍ଟ୍ରପତି ଏବଂ ସେ ପ୍ରଥମଥର ପାଇଁ ବିଧାନସଭାରେ ଅଭିଭାଷଣ ରଖିବା ଏକ ବିରଳ ଘଟଣା ହେବାକୁ ଯାଉଛି।
ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର୍ୟ୍ୟନ୍ତ ନିଜର ଅଭିଭାଷଣ ରଖିବେ।
ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି। ଏହାପରଦିନ ରାଷ୍ଟ୍ରପତି ୯ ଟା ୧୫ ମିନଟରେ ରାଜଭବନରୁ ବିମାନ ବନ୍ଦର ଯିବେ। ସେଠାରୁ ସେ ଲକ୍ଷ୍ମୌ ଯିବାର କାର୍ଯ୍ୟକ୍ରମ ରହିଛି।


