ହରଦୀପ ଏସ ପୁରୀ
ବର୍ତ୍ତମାନ ଯେତେବେଳେ ଆମେ ଇଂରାଜୀ ନୂଆବର୍ଷ ୨୦୨୬ରେ ପାଦ ଦେଉଛୁ, ସେତେବେଳେ ଭାରତରେ ନୂଆ ଆରମ୍ଭର ଉତ୍ସାହ ସହିତ ଏକ ସୁସ୍ଥ ଓ ଗମ୍ଭୀର ବିତର୍କ ଆରମ୍ଭ ହେବା ଉଚିତ। ଯାଞ୍ଚକୁ ସ୍ୱାଗତ କରିବା, ଆବଶ୍ୟକ ହେଲେ ତୀବ୍ର ସମାଲୋଚନାକୁ ମଧ୍ୟ ସ୍ୱୀକାର କରିବା-ଏହା ଏକ ସଜୀବ ଗଣତନ୍ତ୍ରର ଲକ୍ଷଣ। କିନ୍ତୁ ଏଥି ସହିତ ଏହି ଜିଦ୍ଟି ମଧ୍ୟ ରହିବା ଆବଶ୍ୟକ, ଯୁକ୍ତି ଓ ସମାଲୋଚନା ଗଭୀର ଦାୟିତ୍ୱବୋଧ ବହନ କରିବା ଉଚିତ। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବୃହତ୍ ଗଣତନ୍ତ୍ରର ନାଗରିକମାନଙ୍କୁ କେବଳ ନକାରାତ୍ମକ ଚିନ୍ତାଧାରା ମାଧ୍ୟମରେ ସଂସ୍କାର ଦେଇହେବ ନାହିଁ। କର୍ମନିଯୁକ୍ତି, ଉତ୍ପାଦକତା, ରପ୍ତାନୀ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ପରି ଲକ୍ଷ୍ୟଗୁଡ଼ିକ ସର୍ବୋତ୍ତମ ପରିସ୍ଥିତିରେ ମଧ୍ୟ ସାଧନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ଏପରି ପ୍ରଗତି କେବଳ ସେତେବେଳେ ସମ୍ଭବ, ଯେତେବେଳେ ନୀତିର ଡିଜାଇନ୍, ତାହାର ପ୍ରବର୍ତ୍ତନ, ସମୟୋପଯୋଗୀ ସଂଶୋଧନ ଓ ପ୍ରୟୋଗର ମାତ୍ରା ମଧ୍ୟରେ ସଠିକ୍ ସମନ୍ୱୟ ସ୍ଥାପିତ ହୁଏ।
‘ବିୟୋଣ୍ଡ ଗୁଡ ଏଣ୍ଡ ଇଭିଲ’ (§୨୧୧)ରେ ଫ୍ରେଡରିକ୍ ନିତଶେ ଯାହା ଲେଖିଥିଲେ, ତାହାର ସାରାଂଶ ନିମ୍ନମତେ: ‘ଜଣେ ଦାର୍ଶନିକ କେବଳ ମୂଲ୍ୟବୋଧର ଦର୍ଶକ କିମ୍ବା ସମାଲୋଚକ ହୋଇ ରହିବା ଉଚିତ ନୁହେଁ; ସେ ମୂଲ୍ୟବୋଧର ସୃଷ୍ଟା ହେବା ଦରକାର। ନିଜ ଜୀବନ ଅନୁଭୂତି ଓ ଦୃଷ୍ଟିକୋଣରୁ ଦାର୍ଶନିକ ମାନଦଣ୍ଡ ଗଢ଼ିତୋଳିବାକୁ ପଡ଼ିବ, ତାହାକୁ ଦୂରରୁ ବିରୋଧ କରିବା କିମ୍ବା ନିର୍ଲିପ୍ତ ଭାବେ ନିରୀକ୍ଷଣ କରିବା ତାଙ୍କର କାର୍ଯ୍ୟ ନୁହେଁ।’ ଜନସାଧାରଣଙ୍କ ନୀତି ପାଇଁ ସେହି ଭାବନା ମଧ୍ୟ ଆବଶ୍ୟକ। ସମାଲୋଚନା ସଦାବେଳେ ସ୍ୱାଗତ ଯୋଗ୍ୟ, କିନ୍ତୁ ଏହା ପ୍ରମାଣଯୋଗ୍ୟ ହୋଇଥିବା ବାଛନୀୟ ଏବଂ ଏକ ଜଟିଳ ତଥା ବିବିଧ ଗଣତାନ୍ତ୍ରିକ ପରିଚାଳନାର ଜୀବନ୍ତ ପ୍ରତିବନ୍ଧକ ପ୍ରମାଣଯୋଗ୍ୟ ସଂଯୁକ୍ତ ହୋଇ ରହିଥିବା ଉଚିତ। ଯେତେବେଳେ ସମାଲୋଚନା ଓ ସନ୍ଦେହ ଏକ ମୁଦ୍ରାରେ ପରିଣତ ହୁଏ ସେତେବେଳେ ଏହା ସଂସ୍କାର ପ୍ରକ୍ରିୟାକୁ ସାକାର କରୁଥିବା ସଂସ୍ଥାମାନଙ୍କ ଉପରେ ବିଶ୍ୱାସକୁ ମଧ୍ୟ ଆକ୍ରାନ୍ତ କରିଥାଏ।
ନିକଟ ଅତୀତର ବର୍ଷମାନଙ୍କରେ ଏକ ପ୍ରକାର ମନ୍ତବ୍ୟର ଧାରା ମୁଣ୍ଡ ଟେକିଛି ଯେ ବଜାର ସନ୍ଦେହକୁ ସୁସଂସ୍କୃତି ଭାବରେ ଗ୍ରହଣ କରାଯାଇଥାଏ। ଏହା ସଂସ୍କାର କାର୍ଯ୍ୟକୁ ଉପହାସରେ ପରିଣତ କରି, ପ୍ରତ୍ୟେକ ଅସମ୍ପୂର୍ଣ୍ଣ ପରିବର୍ତ୍ତନକୁ ସ୍ଥାୟୀ ବିଫଳତାର ପ୍ରମାଣ ଭାବରେ ଉପସ୍ଥାପନ କରେ। ଏଥିପାଇଁ ଏକ ପରିଚିତ ଆଶ୍ୱାସନା ପ୍ରଦାନ କରାଯାଇଥାଏ: ଭାରତ ଏହାର ନିଜସ୍ୱ ନୀତିକାରମାନଙ୍କ ଦ୍ୱାରା ନଷ୍ଟ ହୋଇଯାଉଛି ବୋଲି ଅନୁମାନ କରାଯାଏ। ଏଭଳି ମୁଦ୍ରାର ମଧ୍ୟ ଏକ ପରିଣାମ ରହିଛି। ଏହା ପରିସଂଖ୍ୟାନ ଏବଂ ବଜାର ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ଦୁର୍ବଳ କରିଦେଇଥାଏ। ଏହା ଉଦ୍ୟୋଗୀ ଓ ନିବେଶକମାନଙ୍କ ମଧ୍ୟରେ ଭାଗ୍ୟବାଦକୁ ପ୍ରୋତ୍ସାହିତ କରେ। ଏହା ସହ ବାହ୍ୟ କାରକମାନଙ୍କୁ ତୁରନ୍ତ ସ୍କ୍ରିପ୍ଟ ପ୍ରସ୍ତୁତ କରି ଭାରତ ଉପରେ ଚାପ ପ୍ରୟୋଗ କରିବାର ଅବସର ପ୍ରଦାନ କରିଥାଏ। ବିଶେଷତା ସଦାବେଳେ ତଥ୍ୟ ପ୍ରତି ଉତ୍ତରଦାୟୀ ରହୁଥିବା ଆବଶ୍ୟକ।
ଏହା ଏକ ଚିନ୍ତାଜନକ କଥା ଯାହା ଉଲ୍ଲେଖଯୋଗ୍ୟ ଯେ କେତେକ ସମାଲୋଚକ, ଯେଉଁମାନଙ୍କର ନିଜର ଏକ ମଜଭୁତ ପେସାଦାରୀ ଏବଂ ଶୈକ୍ଷିକ ପୃଷ୍ଠଭୂମି ରହିଛି ବୋଲି ସେମାନେ ଦାବି କରନ୍ତି, ସେମାନେ ମଧ୍ୟ ଏଭଳି ଆଚରଣ ପ୍ରଦର୍ଶନ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ଯେଉଁମାନଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଜାଣେ ଏବଂ ସେମାନେ ଭାରତ ସମ୍ପର୍କରେ ନିଜର ପରିଚୟ ଏବଂ ବିଶ୍ୱସନୀୟତା ମଧ୍ୟ ସ୍ଥାପନ କରିଛନ୍ତି, ସେମାନେ ଦେଶ ସମ୍ପର୍କରେ ଖରାପ କଥାମାନ କହି ନିଜର ଭବିଷ୍ୟତ ଗଢ଼ିବାରେ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି। କାରଣ ସେମାନେ ଏବେ ଆଉ ସରକାରର ଅଂଶବିଶେଷ ହୋଇ ରହିନାହାନ୍ତି।
ସେମାନେ ଅଭିଯୋଗ ବାଢ଼ନ୍ତି ଯେ, ଭାରତ ଯେଉଁ ତଥ୍ୟାବଳୀ ପ୍ରଦାନ କରେ ତାହା ସ୍ୱତନ୍ତ୍ର ଭାବରେ ଅବିଶ୍ୱସନୀୟ ଯାହା ସେମାନଙ୍କ ଅଭିଯୋଗର ଗତି ସହିତ ଅସହଜ ବୋଲି ଅନୁମିତ ହୋଇଥାଏ। ଜିଏସଟି ଦେଶରେ ଏକ ଜାତୀୟ ଇନଭଏସ୍ ଧାରା ଏବଂ ଅନୁପାଳନର ସଂସ୍କୃତି ସୃଷ୍ଟି କରିଥିଲା, ଯାହା ସରଳ ଭାବରେ କହିଲେ ଏକ ଦଶନ୍ଧି ପୂର୍ବରୁ ଭାରତରେ ନଥିଲା। ୨୦୨୪- ୨୫ ମସିହାରେ, ମୋଟ ଜିଏସଟି ସଂଗ୍ରହ ପରିମାଣ ୨୨ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଥିଲା ଯାହାକୁ ଅନ୍ୟ ଭାଷାରେ କହିଲେ ମାସ ପିଛା ଜିଏସଟି ସଂଗ୍ରହ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ସେହିଭଳି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆଉ ଏକ ଅଡିଟ୍ ପଦଚିହ୍ନ ସୃଷ୍ଟି କରିଥିଲା। ୨୦୨୫ ମସିହା ନଭେମ୍ବର ମାସରେ, ୟୁପିଆଇ ୨୦ ବିଲିୟନ କାରବାର ରେକର୍ଡ କରିବା ସହିତ ଏହା ମାଧ୍ୟମରେ ପ୍ରାୟ ୨୬ ଲକ୍ଷ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବାର ଜଣାଯାଏ। ଏଗୁଡ଼ିକ ସବୁ ବଡ଼ ବଡ଼ ପ୍ରମାଣଯୋଗ୍ୟ ବ୍ୟବସ୍ଥା ଏବଂ ସେମାନେ ମାପ, ପୁନର୍ବାର ଯାଞ୍ଚ ଏବଂ ମାର୍ଗ ପରିବର୍ତ୍ତନ ପାଇଁ ପରିସରକୁ ସମ୍ପ୍ରସାରଣ କରିଥାଆନ୍ତି।
ସରକାରଙ୍କ ଆକଳିତ ଜନକଲ୍ୟାଣ କାର୍ଯ୍ୟକ୍ରମ ଏବଂ ଅନ୍ତର୍ଭୁକ୍ତିକରଣ ଯୋଜନାକୁ ଏଭଳି ନିନ୍ଦାବାଦ ଅଧିକ ଦୁର୍ବଳ କରିଥାଏ। ନୀତି ଆୟୋଗଙ୍କ ଜାତୀୟ ବିବିଧସୂଚକଧର୍ମୀ ଦାରିଦ୍ର୍ୟ ସୂଚକାଙ୍କ ଦର୍ଶାଏ ଯେ, ୨୦୧୩-୧୪ ଏବଂ ୨୦୨୨-୨୩ ଅବଧି ମଧ୍ୟରେ ବିବିଧସୂଚକଧର୍ମୀ ସୂଚକାଙ୍କରେ ପ୍ରାୟ ୨୪ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖାଠାରୁ ଉପରକୁ ଉଠି ପାରିଥିଲେ । ଫଳରେ ଦେଶର ଦାରିଦ୍ର୍ୟର ମାତ୍ରା ୩୦ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ ପାଇଥିଲା। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ବଣ୍ଟନ ବ୍ୟବସ୍ଥାକୁ କଠୋର କରିଥିଲା। ୨୦୨୫ ମସିହାରେ ଡିବିଟି ହସ୍ତାନ୍ତରଣର ପୌନଃପୁନିକ ପରିମାଣ ୪୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଥିଲା, ଯାହା ଫଳରେ ଏହି ଅବଧି ମଧ୍ୟରେ ବାଟମାରଣ ହ୍ରାସ ପାଇବା ଯୋଗୁଁ ପ୍ରାୟ ୩.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଇ ପାରିଥିଲା। ଆର୍ଥିକ ସମାଯୋଜନ ବ୍ୟବସ୍ଥା ବର୍ତ୍ତମାନ ଏକ ଗଣ ସଂସାଧନରେ ପରିଣତ ହୋଇଛି ଏବଂ ଦେଶରେ ୫୬ କୋଟିରୁ ଅଧିକ ଜନ ଧନ ଜମାଖାତା ଖୋଲାଯାଇଛି।
ଆର୍ଥିକ ଶୃଙ୍ଖଳରେ ଘଟାଯାଇଥିବା ସଂସ୍କାରର ଫଳାଫଳ ବାସ୍ତବ କ୍ଷେତ୍ରରେ ଦୃଶ୍ୟମାନ ହୋଇପାରିଛି। ସୂଚୀବଦ୍ଧ ବ୍ୟାବସାୟିକ ବ୍ୟାଙ୍କଗୁଡ଼ିକର ମୋଟ ଅଣ-କାରକ ସମ୍ପତ୍ତିର ଅନୁପାତ ୨୦୨୫ ମସିହାରେ ୨.୧ ପ୍ରତିଶତକୁ ହ୍ରାସ ପାଇଛି, ଯାହାର ପରିମାଣ ୨୦୧୮ ମସିହାରେ ପ୍ରାୟ ୧୧.୨ ପ୍ରତିଶତ ଥିଲା। ଏହା କେବଳ ମନମୁଖୀ ଚିନ୍ତାଧାରା ଯୋଗୁଁ କଦାପି ସମ୍ଭବପର ହୋଇପାରି ନଥାଆନ୍ତା। ବାଲାନ୍ସ ସିଟରେ ନିରବଚ୍ଛିନ୍ନ ଭାବରେ ଘଟାଯାଇଥିବା ସଂସ୍କାର, ଦୃଢ଼ ତଦାରଖ ପ୍ରକ୍ରିୟା ଦ୍ୱାରା ହିଁ ଏହା ସାକାର ହୋଇପାରିଛି । ପୁନଶ୍ଚ ଏକ କ୍ରମାଗତ ଭାବରେ ସଦା ସକ୍ରିୟ ଋଣ ଦାନ ବ୍ୟବସ୍ଥା ଏବଂ ଲୁକ୍କାୟିତ କ୍ଷତିକୁ ମଧ୍ୟ ଏହା ପ୍ରଗତିଶୀଳ ଭାବରେ ହ୍ରାସ କରିଚାଲିଛି। ଯେତେବେଳେ ସମାଲୋଚକମାନେ କହୁଛନ୍ତି ଯେ ଦେଶ କଦାପି ସଂସ୍କାର କରିପାରିବ ନାହିଁ, ଏହି ନୀରବ ପରିବର୍ତ୍ତନ ହେଉଛି ସେମାନଙ୍କ ପ୍ରତି ପ୍ରଥମ ଜବାବ।
ଭାରତ କଦାପି ଏକ ଉଲ୍ଲେଖନୀୟ ମାତ୍ରାର ଢାଞ୍ଚା ଗଠନ କରିପାରିବ ନାହିଁ ବୋଲି ଯେଉଁ ସମାଲୋଚନା କରାଯାଉଛି ତାହାକୁ ବାସ୍ତବତା ପ୍ରତ୍ୟାଖ୍ୟାନ କରେ। ବିଶେଷ କରି ଦେଶର ଉତ୍ପାଦନ ଦୃଶ୍ୟପଟ୍ଟ ଏହାର ପ୍ରମାଣ। ପ୍ରୋତ୍ସାହନଧର୍ମୀ ଉତ୍ପାଦନ କାର୍ଯ୍ୟକ୍ରମ ଅଧୀନରେ, ସଂଗୃହୀତ ନିବେଶର ପରିମାଣ ୧୪ ଗୋଟି କ୍ଷେତ୍ରରେ ୨ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ଏବଂ ୧୨ ଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ସହିତ ୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସାମଗ୍ରୀ ଉତ୍ପାଦନ ଓ ବିକ୍ରୟ ହାସଲ କରାଯାଇପାରିଛି। ଇଲେକ୍ଟ୍ରୋନିକ୍ସ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ: ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପରିମାଣ କେବଳ ୨୦୨୪-୨୫ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ମୋବାଇଲ ଫୋନ୍ ଉତ୍ପାଦନ ୫.୫ ଲକ୍ଷ କୋଟି ଛୁଇଁଛି, ଏବଂ ମୋବାଇଲ୍ ରପ୍ତାନୀ ପରିମାଣ ୨ ଲକ୍ଷ କୋଟି ଟଙ୍କା ହୋଇଛି।
ଏହିସବୁ ପ୍ରତିଦ୍ୱନ୍ଦ୍ୱୀ କ୍ଷେତ୍ରମାନଙ୍କରେ ବଜାର ପରୀକ୍ଷଣ କରାଯାଇଛି, ଯାହାଫଳରେ ସେମାନେ ଏଥିରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବାଣିଜ୍ୟିକ ଲାଭ କେବଳ କାର୍ଯ୍ୟଦକ୍ଷତା ଏବଂ ନିରବଚ୍ଛିନ୍ନତା ଦ୍ୱାରା ହିଁ ଗଠିତ ହୋଇଥାଏ, କୌଣସି ପ୍ରଦର୍ଶନମୂଳକ ହତାଶା ଦ୍ୱାରା ନୁହେଁ। ୨୦୨୪-୨୫ ମସିହାରେ ବସ୍ତୁ ଓ ସେବା ରପ୍ତାନୀର ମୋଟ ପରିମାଣ ସର୍ବକାଳୀନ ଶୀର୍ଷ ଛୁଇଁବା ସହିତ ୮୨୫ ବିଲିୟନ ଡଲାର ଛୁଇଁଥିଲା। ଟାରିଫ ଏବଂ ସୁରକ୍ଷାବାଦୀ ପ୍ରତିଫଳନର ଦୁନିଆରେ, ହିତଧାରକମାନେ ସକ୍ଷମତା ପ୍ରତି ସର୍ବଦା ପ୍ରତିକ୍ରିୟାଶୀଳ ହୋଇଥାଆନ୍ତି। ଭାରତର ସ୍ଥିତି ଏହା ଦ୍ୱାରା ମଜଭୁତ ହୋଇଥାଏ ଯେତେବେଳେ ଉତ୍ପାଦିତ ସାମଗ୍ରୀ ଏବଂ ବିପଣନକୁ ଏକ ବଜାର ଦୃଷ୍ଟିରୁ ଦେଖାଯାଇଥାଏ ଓ ଏହା ମାତ୍ରାକୁ ମଧ୍ୟ ଗ୍ରହଣ କରିପାରିଥାଏ। ପୁନଶ୍ଚ, ଯେତେବେଳେ ଏହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ବିଶ୍ୱସନୀୟ ଭାବେ ବିବିଧା ଯୋଗାଣ ପ୍ରକ୍ରିୟାକୁ ସିଦ୍ଧ କରିଥାଏ। ଘରୋଇ ସଂସ୍କାର ଏବଂ ବାହ୍ୟ ଯୋଗାଣର ମିଶ୍ରଣ ଏକ ସହନଶୀଳତାକୁ ଜନ୍ମ ଦେଇଥାଏ ତଥା ସହନଶୀଳତାରୁ ସ୍ଥିରତା ସୃଷ୍ଟି ହୋଇଥାଏ।
ପ୍ରଦିଦ୍ୱନ୍ଦ୍ୱୀ ବାତାବରଣ କୌଣସି ଗୋଟିଏ ଯୋଜନା ଦ୍ୱାରା ସୁରକ୍ଷିତ ହୋଇ ନଥାଏ କିମ୍ବା କୌଣସି ଗୋଟିଏ ମନ୍ତ୍ରଣାଳୟ ଦ୍ୱାରା ଏହା ପରିଚାଳିତ ହୋଇ ନଥାଏ। ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ପ୍ରଶାସନିକ ସଂସ୍କାରର ଏହା ପୌନଃପୁନିକ ପ୍ରଭାବ। ଏଥିରୁ ପ୍ରାପ୍ତ ସୁଫଳ ଶିଳ୍ପ କରିଡୋରମାନଙ୍କର ବିସ୍ତାର, ଉନ୍ନତ ମାଲ ପରିବହନ ସଂଯୋଗୀକରଣ, ଉତ୍ତମ ବନ୍ଦର ସଂଯୋଗ ଏବଂ ସମନ୍ୱିତ ଯୋଜନା ପ୍ଲାଟଫର୍ମମାନଙ୍କରେ ଦୃଶ୍ୟମାନ ଯାହାକି ସମୟର ମୂଲ୍ୟକୁ ହ୍ରାସ କରିଥାଏ। ଏହାର ଅର୍ଥ ନୁହେଁ ଯେ, ସବୁକିଛି ସମସ୍ୟା ଦୂର ହୋଇଯାଇଛି। ପ୍ରସଙ୍ଗଟି ହେଉଛି ଯେ, ରାଷ୍ଟ୍ର ତା’ର ବ୍ୟବସ୍ଥା ନିର୍ମାଣର ଦକ୍ଷତା ପ୍ରଦର୍ଶନ, ପ୍ରକ୍ରିୟାର ଅବଧିକୁ ହ୍ରାସ କରି ଡେଲିଭରୀ ମାତ୍ରାକୁ ମଧ୍ୟ ବଢ଼ାଇଛି, ଯାହାକି ବାସ୍ତବ ପକ୍ଷେ ସୂଚାଏ କି ଉତ୍ପାଦନ ଉନ୍ନତିକରଣ କିଭଳି ଭାବରେ ସପ୍ତାହ ସପ୍ତାହ ମଧ୍ୟରେ ନୁହେଁ ବର୍ଷ ବର୍ଷର ସଂସ୍କାର ଦ୍ୱାରା ହାସଲ କରାଯାଇଥାଏ।
କୃଷି ଏବଂ ଗ୍ରାମାଞ୍ଚଳ ସ୍ଥିରତା ପ୍ରସଙ୍ଗରେ, ବିଫଳତା ଓ ବିକୃତିର ତାଲିକା କରିବା ସହଜ ଏବଂ ନିର୍ଯ୍ୟାସରେ କୁହାଯାଇପାରେ ଯେ କୌଣସି ଜିନିଷ ସ୍ଥିର ନୁହେଁ। ନୀତିଗତ ଦିଗ ଲକ୍ଷ୍ୟ ନିର୍ଦ୍ଧାରିତ ସମର୍ଥନ ଏବଂ ସଂପଦ ସୃଷ୍ଟି ଦିଗରେ ଅଗ୍ରସର ହୋଇଛି, ଯଦ୍ୟପି ମୌଳିକ ସେବା ନିର୍ମାଣ ଯାହାକି ଉତ୍ପାଦିକା ଏବଂ ମର୍ଯ୍ୟାଦା ବୃଦ୍ଧି କରେ ତାହା ମଧ୍ୟ ବୃଦ୍ଧି ପାଇଛି। ଜଳ ଜୀବନ ମିଶନ, ସର୍ବଶେଷ ସରକାରୀ ତଥ୍ୟାବଳୀ ଅନୁସାରେ, ଦେଶର ୧୨.୫ କୋଟିରୁ ଅଧିକ ଗ୍ରାମାଞ୍ଚଳ ପରିବାରଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇଛି, ଜନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଛି ଏବଂ ଗ୍ରାମୀଣ ପରିବାରଙ୍କ ଉପରେ ପଡ଼ୁଥିବା ସମୟ ବୋଝକୁ ମଧ୍ୟ ହ୍ରାସ କରିଛି।
ଅନ୍ତର୍ଭୁକ୍ତିକରଣର କାହାଣୀ ମଧ୍ୟ ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଉପଲବ୍ଧ କ୍ଷେତ୍ରରେ ଜଳଜଳ ହୋଇ ଦୃଶ୍ୟମାନ। ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ପିଏମ- ଜେଏୱାଇ ଅଧୀନରେ ଦେଶରେ ବର୍ତ୍ତମାନ ସୁଦ୍ଧା ୪୨ କୋଟି କାର୍ଡ ବଣ୍ଟନ କରାଯାଇଛି। ଏହା ଫଳରେ ଜଟିଳ ସ୍ୱାସ୍ଥ୍ୟସେବା ବ୍ୟୟ ବିରୁଦ୍ଧରେ ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନର କ୍ଷେତ୍ରକୁ ସମ୍ପ୍ରସାରିତ କରିପାରିଛି। ପିଏମ ଆବାସ ଅଧୀନରେ, ପ୍ରାୟ ୩ କୋଟି ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ଯାହାକି ହିତଧାରକ ପରିବାରଙ୍କୁ ଆନୁଷ୍ଠାନିକ ସମ୍ପଦ ଏବଂ ସେମାନଙ୍କ ପାଇଁ ଚଳନର ଏକ ଆଧାର ପ୍ରଦାନ କରିଛି। ପିଏମ ଉଜ୍ଜ୍ୱଳା ଯୋଜନା ଅଧୀନରେ, ୧୦ କୋଟିରୁ ଅଧିକ ଏଲପିଜି ସଂଯୋଗ ପରିବାରଙ୍କ ସ୍ୱଚ୍ଛ ଜାଳେଣି ଇନ୍ଧନ ଯୋଗାଇଛି ଯେଉଁମାନେ ଏକଦା ଧୂଆଁ କୁଣ୍ଡଳୀ ଭିତରେ ଦୁର୍ବିସହ ଜୀବନ ବଞ୍ଚୁଥିଲେ। ଏହିସବୁ ସୁଫଳ ଏବଂ ପରିଣାମ କଦାପି ମାମୁଲି ନୁହେଁ। ସେସବୁ ହେଉଛି ବାସ୍ତବ ଭିତ୍ତିଭୂମି ଯାହା, ଉପରେ ଆକାଂକ୍ଷା ଏବଂ ଉତ୍ପାଦକତାର ପରୀକ୍ଷଣ କରାଯାଇପାରିବ।
ସବୁଠାରୁ ବ୍ୟାପକ ନକାରାତ୍ମକ ମନ୍ତବ୍ୟ ଅଧିକତର ଭାବେ ରାଜ୍ୟମାନଙ୍କ ନିମନ୍ତେ ସୁରକ୍ଷିତ ରହିଥାଏ, ସତେ ଯେପରି ଶହେ କୋଟି ଲୋକଙ୍କୁ ମାତ୍ର ଗୋଟିଏ ଆହ୍ୱାନ ଜରିଆରେ ଶାସନ କରାଯାଇ ପାରିବ। ଭାରତର ସଂଘୀୟ ବ୍ୟବସ୍ଥା କୋଳାହଳମୟ, କିନ୍ତୁ ଏହା ମଧ୍ୟ ଆହରଣ ଅନୁକୂଳ ମଧ୍ୟ। ଅନେକ ରାଜ୍ୟ, ବିଶେଷ କରି ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଅଧୁନା ଆଇନ ଶୃଙ୍ଖଳା ପରିସ୍ଥିତିରେ ଉତ୍ତମ ପରିଣାମ ପ୍ରଦର୍ଶନ କରିଛନ୍ତି, ସେସବୁ ଦୁଷ୍କୃତିକୁ ଅଧିକତର ସ୍ୱଚ୍ଛ କରିଛନ୍ତି। ଦୀର୍ଘସ୍ଥାୟୀ ସଂସାଧନ ପ୍ରଦାନ ଯୋଗୁଁ ନିବେଶ ଏବଂ ଆନୁଷ୍ଠାନିକ କର୍ମନିଯୁକ୍ତି ମଧ୍ୟ ମିଳିପାରୁଛି। ଏହି ସଂଘୀୟତାକୁ କେନ୍ଦ୍ର ସରକାର ଜାତୀୟ ସ୍ତରର ଡିଜିଟାଲ ମଞ୍ଚ ସୃଷ୍ଟି କରି, ଯେଉଁଥିରେ ରାଜ୍ୟମାନେ ସହଜରେ ସାମିଲ ହୋଇପାରିବେ। ସେହି ସହିତ କାର୍ଯ୍ୟଦକ୍ଷତାକୁ ପୁରସ୍କୃତ କରୁଥିବା ଅର୍ଥସାହାଯ୍ୟ ବ୍ୟବସ୍ଥା ଓ ପାରଦର୍ଶୀ ସଂସ୍କାର ତଥ୍ୟ ପ୍ରକାଶ କରି, ନାଗରିକମାନଙ୍କୁ ରାଜ୍ୟଗୁଡ଼ିକର କାର୍ଯ୍ୟଦକ୍ଷତା ମୂଲ୍ୟାୟନ କରିବାର ସୁଯୋଗ ମଧ୍ୟ ଦେଇଛନ୍ତି।
ଭାରତର କାହାଣୀର କେବେ ଅନ୍ତ ନାହିଁ; ଏହା ସଦାବେଳେ ବିତର୍କକୁ ଆହ୍ୱାନ କରେ। ନୂଆ ବର୍ଷର ଆରମ୍ଭ ସହିତ ଆମେ ଯେଉଁ ଗୁଣାତ୍ମକ ମାନଦଣ୍ଡ ଓ ଚିନ୍ତାଧାରାକୁ ଆପଣାଉଛୁ, ସେଗୁଡ଼ିକ ସଠିକ୍ କି ନୁହେଁ-ଏହି ପ୍ରଶ୍ନ ନିଜେ ନିଜକୁ ଆଲୋଚନା କରିବାର ଆବଶ୍ୟକତାକୁ ସ୍ପଷ୍ଟ କରେ। କିନ୍ତୁ ଯେତେବେଳେ କିଛି ପ୍ରଭାବଶାଳୀ ବୃତ୍ତିଜୀବୀ ବ୍ୟକ୍ତିତ୍ୱ ନିରାଶାକୁ ନିର୍ବିକାର ବିଶ୍ଳେଷଣ ଭାବେ ପ୍ରଦର୍ଶନ କରନ୍ତି, ସେତେବେଳେ ସେମାନେ ସେହି ସଂସ୍ଥାଗତ ପରିବେଶକୁ ଦୁର୍ବଳ କରିଦିଅନ୍ତି, ଯେଉଁଠାରେ ପରିବର୍ତ୍ତନ ଓ ସଂସ୍କାର ସମ୍ଭବ। ଏହି ପ୍ରସଙ୍ଗରେ ଫ୍ରିଡ୍ରିକ୍ ନିତସେଙ୍କ ଚେତାବନୀ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ। ତାଙ୍କ ମତାନୁସାରେ, ଜଣେ ଗଭୀର ଓ ଜଟିଳ ଚିନ୍ତାଶୀଳ ବ୍ୟକ୍ତି ଏମିତି ମୂଲ୍ୟବୋଧ ସୃଷ୍ଟି କରନ୍ତି, ଯାହା ସମାଜକୁ କେବଳ ବଞ୍ଚିବା ପାଇଁ ନୁହେଁ, ବରଂ ଉନ୍ନତି କରିବା ପାଇଁ ମଧ୍ୟ ସକ୍ଷମ କରେ। ଭାରତ ଏହିପରି ଏକ କଠିନ, କିନ୍ତୁ ସଚେତନ କାର୍ଯ୍ୟାନ୍ବୟନର ପଥ ଆପଣାଇଛି। ଏହି ପଥର ପରିଣାମ କେବଳ ନୀତିଗତ ଦଲିଲ୍ରେ ନୁହେଁ, ସଂଖ୍ୟାରେ ଅଡିଟ୍ ହୋଇଥିବା ତଥ୍ୟରେ ଏବଂ ପ୍ରତ୍ୟେକ ପରିବାରର ଦୈନନ୍ଦିନ ଅନୁଭୂତିରେ ମଧ୍ୟ ପ୍ରକାଶ ପାଉଛି। ସେହି ଅନୁଭୂତି ଯେକୌଣସି ସାମୟିକ ନିରାଶାକୁ ଅତିକ୍ରମ କରିବାର ଶକ୍ତି ରଖେ। ୨୦୨୬ ମସିହାରେ ଭାରତ ସେହି ପ୍ରକାର ସମାଲୋଚନାକୁ ସ୍ୱାଗତ କରେ, ଯାହା ନୀତିକୁ ଉନ୍ନତ କରେ ନିନ୍ଦାକୁ ନୁହେଁ; ଯାହା ଆତ୍ମବିଶ୍ୱାସକୁ ଧ୍ୱଂସ କରେ ନାହିଁ, ବରଂ ସଂସ୍କାର, ନିବେଶ ଏବଂ ଗଣତାନ୍ତ୍ରିକ ଚେତନାକୁ ସମାଜର ମୂଳ ଏକକ ପରିବାର ପର୍ଯ୍ୟନ୍ତ ସୁରକ୍ଷିତ ରଖେ।


