ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରି ହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ ଖାଇଲେ, ନଖ ଓ ହାତ ସଫା ନକରି ଖାଇବା ଓ ଅଧିକ ମିଠା ଆମିଷ ଖାଇଲେ କୃମି ରୋଗ ହୁଏ, ଏହି ସବୁ ଅଭ୍ୟାସ ଛାଡି ହଳଦୀ, ନିମ୍ବ, ଜୁଆଣି ଓ ସପୁରୀପତ୍ର ରସ ଯେ କୌଣସି ଗୋଟିଏ ଦ୍ରବ୍ୟ କିଛିଦିନ ଖାଇଲେ ଭଲ ହୋଇଯାଏ। କୃମି ଯୋଗୁ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଉଦରଶୂଳ ରକ୍ତହୀନତା, ଶ୍ଵେତପ୍ରଦର, ହୃଦ୍ରୋଗ ମଧ୍ଯ ହୋଇ ପାରେ। ସମସ୍ତେ ପ୍ରତି ସପ୍ତାହରେ ଥରେ ଦୁଇଥର ନିମ୍ବ କିମ୍ବା ହଳଦୀ ଖାଇବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସମାଜସେବୀ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଓ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତ।


