ବାଣପୁର: ବାଣପୁର ପୋଲିସକୁ ଆଜି ବଡ ସଫଳତା ମିଳିଛି। ପଲଟଣ ପଡିଆ ସ୍ଥିତ ଶ୍ରୀ ବ୍ରହ୍ମେଶ୍ୱର ଦେବ ମନ୍ଦିରରୁ ଚୋରୀ ଘଟଣାର ବାଣପୁର ପୋଲିସ ପର୍ଦ୍ଦାଫାସ କରିଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ପୋଲିସ ଧରିବା ସହିତ ଚୋରୀ ସାମଗ୍ରୀ ଜବତ କରିଛି।
ସୂଚନା ଅନୁଯାୟୀ, ଶ୍ରୀ ବ୍ରହ୍ମେଶ୍ୱର ଦେବ ମନ୍ଦିରରୁ ଦୁଇଟି ତାଲା ଭାଙ୍ଗି ଦାନ ବାକ୍ସରୁ ପ୍ରାୟ ୧୫ ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଣପୁର ପୋଲିସ ୬୨/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ହରି (୨୨) କୁ ଧରିବାରେ ସଫଳ ହୋଇଥିଲା। ସେ ଏହି ଘଟଣାରେ ସାମିଲ ଥିବା ନେଇ ପୋଲିସ ନିକଟରେ ନିଜ ଦୋଷ ସ୍ଵୀକାର କରିଥିଲା। ପୋଲିସ ଅଭିଯୁକ୍ତଙ୍କ ଠାରୁ ୨ ହଜାର ୪୯୦ ଟଙ୍କା ସହ ଦୁଇଟି ହେକ୍ସା ବ୍ଲେଡ୍, ଗୋଟିଏ ଲୁହାର କାନ୍ଥ ଖୋଳିବା ଉପକରଣ ଜବତ କରିଥିଲା।
ଅଭିଯୁକ୍ତ ହରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି। ତାଙ୍କୁ ଆଜି ଅପରାହ୍ନ ୧.୩୦ ରେ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି।


