ଭୁବନେଶ୍ଵର: ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ପରବ ବା ବାହା ବଙ୍ଗା ଭୁବନେଶ୍ୱରସ୍ଥିତ ନିଳାଦ୍ରୀବିହାରଠାରେ ମହାଆଡମ୍ବର ସହିତ ପାଳନ କରାଯାଉଛି। ପାରମ୍ପରିକ ପୋଷାକ ପିନ୍ଧି ସାନ୍ତାଳୀ ସମ୍ପ୍ରଦାୟର ପୁରୁଷ ଏବଂ ମହିଳାମାନେ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ନୃତ୍ୟଗୀତରେ ଝୁମିଛନ୍ତି। ବସନ୍ତ ମାସରେ, ଗଛଗୁଡ଼ିକରେ ନୂତନ ଫୁଲ ଆସିଲେ ସାନ୍ତାଳୀ ଲୋକମାନେ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ ପୂର୍ବକ ଏକାଠି ହୋଇ ଜାହେର ଥାନରେ ପୂଜାର୍ଚ୍ଚନା କରନ୍ତି।
ଗ୍ରାମର ପୁରୋହିତ ବା ନାଏକେ ବାବା ମାରଙ୍ଗ ବୁରୁ ଓ ଜାହେର ଆୟୋକୁ ଶାଳ ଫୁଲ ଆଉ ମହୁଲ ଫୁଲ ଅର୍ପଣ କରନ୍ତି। ଲୋକମାନେ ପରସ୍ପର ଉପରେ ପବିତ୍ର ଜଳ ଛିଞ୍ଚି ଆନନ୍ଦ ବାଣ୍ଟିଥାନ୍ତି। ଏହି ପର୍ବକୁ ସାନ୍ତାଳି ସମ୍ପ୍ରଦାୟର ପରମ୍ପରା ଏବଂ ପ୍ରକୃତି ମଧ୍ୟରେ ଗଭୀର ସଂଯୋଗର ପ୍ରତୀକ ବୋଲି କୁହାଯାଏ।


