ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ରାଜନୀତି ଜୋରଦାର ହୋଇପଡିଛି। କାରଣ ହେଲା ବିଧାୟକଙ୍କ କ୍ରସ ଭୋଟିଂ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି କ୍ରସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ବିରୋଧରେ କଂଗ୍ରେସ ପଦକ୍ଷେପ ଆଗମ୍ଭ କରିଛି। ଆଜି ଦଳ ଏହି ତିନି ଜଣଙ୍କୁ ଦଳରୁ ନିଲମ୍ବନ କରିଛି।
ସେତିକି ନୁହେଁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛି। ସେମାନେ ହେଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦ୍ଦୋଷ, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗ। ଏଥିସହିତ ବିଧାନସଭାରେ ଏମାନଙ୍କ ଆସନ ଅଲଗା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ତିନି ବିଧାୟକ କଂଗ୍ରେସ ଟିକେଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ଏମାନେ ଦଳୀୟ ନିୟମ ଭିତରେ ରହିବା କଥା। ହେଲେ ସେମାନେ ଦଳିୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ସେଥିପାଇଁ ଦଳ ବିରୋଧୀ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଉ ବୋଲି ଦାବୀ କରାଯାଇଛି।


