ସୁବାସ କୁମାର ତାରଣିଆଁ
ପ୍ରତିଦିନ ଖବରକାଗଜ ପଢିଲା ବେଳେ, ଯୌତୁକ ଲୋଭରେ ନବବଧୁକୁ ହତ୍ୟା, ସ୍ୱାମୀ, ଶଶୂର ଓ ଶାଶୁ ଗିରଫ। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ଭାଇକୁ ହତ୍ୟା କଲା ସାନଭାଇ। ସମ୍ପତ୍ତି ଲୋଭରେ ଶଶୂରଙ୍କୁ ବିଷଦେଇ ମାରିଲା ବୋହୁ। ଜମିବାଡ଼ିକୁ କେନ୍ଦ୍ର କରି ପଡ଼ୋଶୀ ପରିବାରକୁ ଆକ୍ରମଣ, ପୂର୍ବ ଶତୃତାକୁ କେନ୍ଦ୍ର କରି ଠିକାଦାରଙ୍କୁ ଗୁଳି କରି ହତ୍ୟା ଆଦି ଅନେକେ କାହାଣି ବିଷୟରେ ଜାଣିଛେ। ହେଲେ ଏମିତି ଏକ ଅଦ୍ଭୁତ କାହାଣି କେହି କେବେ ଶୁଣିନଥିବେ। ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ୍ୟ। ପିତାଙ୍କ ଅନ୍ତିମ ସଂସ୍କାରକୁ କେନ୍ଦ୍ର କରି ଭ୍ରାତୃ ବିବାଦ, ମୃତଦେହକୁ ଦୁଇଖଣ୍ଡ କରି କାଟିବାକୁ ଦାବିକଲା ବଡ଼ଭାଇ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ମଧ୍ୟପ୍ରଦେଶରେ।
ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାରେ ଏଭଳି ବିଚିତ୍ର ଘଟଣା ଲୋକଲୋଚନକୁ ଆସିଥିଲା। ଟିକମଗଡ଼ ଜିଲ୍ଲା ଅନ୍ତର୍ଗତ ଲଢୋରାତାଲ ଗ୍ରାମରେ ସାନପୁଅ ଦେଶରାଜଙ୍କ ସହିତ ରହୁଥିବା ଧ୍ୟାନୀ ସିଂ ଘୋଷଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଥିଲା। ଧ୍ୟାନୀ ସିଂଙ୍କ ଜ୍ୟେଷ୍ଠପୁତ୍ର କିଷାନ ବାହାରେ ରହୁଥିଲେ। ପିତାଙ୍କ ମୃତ୍ୟୁ ଖବର ଦେଶରାଜ ବଡ଼ଭାଇ କିଷାନଙ୍କୁ ଜଣାଇବା ପରେ, କିଷାନ ଗାଁରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାରକୁ ନେଇ ଦୁଇଭାଇଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। କିଷାନ ଜ୍ୟୋଷ୍ଠପୁତ୍ର ହୋଇଥିବାରୁ ପିତାଙ୍କ ଶବ ସତ୍କାର କରିବାକୁ ହକ୍ଦାର ବୋଲି ଦାବି କରିଥିଲେ।
ଅପର ପକ୍ଷରେ ପିତାଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିବାରୁ ଏବଂ ସାନପୁତ୍ର ଶେଷକୃତ୍ୟ ସମ୍ପନ୍ନ କରିବାକୁ ମୃତ୍ୟୁ ପୂର୍ବରୁ ପିତା କହିଥିବାରୁ ଏହି ସୁଯୋଗ ଦେଶରାଜଙ୍କୁ ମିଳୁ ବୋଲି ଯୁକ୍ତି ଦର୍ଶାଇଥିଲେ। ବିବାଦ ଏତେ ବଢିଯାଇଥିଲା ଯେ, ଶେଷରେ ବଡ଼ଭାଇ ପିତାଙ୍କ ମୃତହେଦକୁ ଦୁଇଖଣ୍ଡ କରି କାଟି ପରସ୍ପର ଭିତରେ ବାଣ୍ଟି ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ବିଚିତ୍ର ପ୍ରସ୍ତାବ ଦେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଥିଲା। ଶେଷରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ଓ ପୁଲିସ୍ ସହାୟତାରେ ସାନଭାଇ ଦେଶରାଜ ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାପଡ଼ିଥିଲା।
ସେହିପରି ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା ବଲାଙ୍ଗୀର ଜିଲ୍ଲାରେ। ଉକ୍ତ ଜିଲ୍ଲାର ବାନ୍ଧନବାହାଲ ସରକାରୀ ପ୍ରାଇମେରୀ ବିଦ୍ୟାଳୟରେ ପ୍ରଭୂଦତ୍ତ ସାହୁ ସହକାରୀ ଶିକ୍ଷକ ରୂପ କାର୍ଯ୍ୟ କରି ଆସୁଥିଲେ। ମାତ୍ର ଦୀର୍ଘ ତିନିମାସ ଧରି ଉକ୍ତ ଶିକ୍ଷକଙ୍କର ଦରମା ନ ମିଳିବାରୁ ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତେଣୁ ସେ ବାଧ୍ୟ ହୋଇ ମଜୁରୀ କାମ କରିବା ପାଇଁ ଛୁଟି ମଞ୍ଜୁର ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖିଥିଲେ। ପ୍ରଧାନ ଶିକ୍ଷକ ମଧ୍ୟ ତାଙ୍କ ଛୁଟି ମଞ୍ଜୁର କରିବାରୁ ପ୍ରଭୂଦତ୍ତ ମଜୁରୀ କାମ ଆରମ୍ଭ କରି ଥିଲେ ଯାହା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା।
ସର୍ବସମ୍ମୁଖରେ ସ୍ତ୍ରୀର ବିବାହ ଆୟୋଜନ କରିଥିଲା ସ୍ୱାମୀ। ପୁରୁଷ ବନ୍ଧୁ ଆସିଲା, ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ଭରିଲା, ସ୍ୱାମୀ ସେମାନଙ୍କୁ ଆଶୀର୍ବାଦ ଦେଲେ ଓ କହିଲେ ଦୁଇ ଛୁଆଙ୍କୁ ମୁଁ ରିଖିଦେବି, ତୁମେ ତୁମ ନୂଆ ସ୍ୱାମୀ ସହ ଖୁସିରେ ରୁହ। ଉତ୍ତର ପ୍ରଦେଶରେ ଘଟିଛି ଏଭଳି ଏକ ଘଟଣା। କଟାରଜୋତ ଗ୍ରାମର ରାଧିକା ବବୁଲୁକୁ ୨୦୧୭ ମସିହାରେ ବିବାହ କରିଥିଲେ। ଉଭୟ ପରିବାର ସହ ଖୁସିରେ ବିତାଉଥିଲେ। ସେମାନଙ୍କ ମଧ୍ୟ ଦୁଇଟି ସନ୍ତାନ୍ତ ଥିଲେ। ତେବେ ବବୁଲୁ କାମ ସନ୍ଧାନରେ ବାହାରେ ରହୁଥିବା ବେଳେ ତାଙ୍କ ପତ୍ନୀ ରାଧିକାଙ୍କ ସେହି ଗାଁର ଜଣେ ଯୁବକ ବିକାଶ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯେତେବେଳେ ସ୍ୱାମୀ ବବୁଲୁ ଏକଥା ଜାଣିବାକୁ ପାଇଲେ, ଘରେ ପାରିବାରିକ କଳହ ଆରମ୍ଭ ହୋଇଯାଇଥିଲା। ଏପରିକି ରାଧିକା ପ୍ରେମିକ ବିକାଶ ସହ ଘରୁ ପଳାଇ ଯାଇଥିଲେ ଓ ଚାରିଦିନ ପରେ ଫେରିଥିଲେ।
ବବୁଲୁ ଏ ଘଟଣାର ସ୍ଥାୟୀ ସମାଧାନ ଚାହୁଥିବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ହେଲେ ରାଧିକା ଥାନାରେ ପୋଲିସ୍କୁ କହିଥିଲେ ସେ ବିକାଶ ସହିତ ରହିବେ। ଏହାପରେ ବବୁଲୁ ଗ୍ରାମବାସୀଙ୍କୁ ଡ଼ାକି ପତ୍ନୀ ରାଧିକାର ବିବାହ ଆୟୋଜନ କରିଥିଲେ। ଗ୍ରାମବାସୀଙ୍କ ସମ୍ମୁଖରେ ବିକାଶ ରାଧିକାଙ୍କ ମଥାରେ ସିନ୍ଦୁର ଭରିଥିଲେ ଆଉ ଦୁହେଁ ପରସ୍ପରକୁ ମାଳ ପିନ୍ଧାଇଥିଲେ ଓ ରାଧିକା ବିକାଶଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହାପରେ ବବୁଲୁ କହିଥିଲେ ତୁମେ ଦୁଇ ପିଲାକଥା ଚିନ୍ତା କରିବନି, ତାଙ୍କୁ ମୁଁ ପାଖରେ ରଖିବି, ତୁମେ ନୂଆ ସ୍ୱାମୀ ସହ ଖୁସିରେ ରୁହ। ଏହାଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ରାଧିକା ଏହାପରେ ଉପସ୍ଥିତ ଲୋକେ ରାଧିକାକୁ ସାନ୍ତ୍ୱନା ଦେଇଥିଲେ। ବବୁଲୁଙ୍କ କହିବା କଥା, ରାଧିକାକୁ ଯେତେ ବୁଝାଇଲେ ବି ସେ ବୁଝିନଥିଲେ। ଫଳରେ ସେ ବାଧ୍ୟ ହୋଇ ନିଜ ପତ୍ନୀର ବିବାହ କରାଇଥିଲେ।
ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପିତାମାତା, ଭାଇ, ସାଙ୍ଗସାଥୀଙ୍କୁ ହତ୍ୟା କରିବାର ଅନେକ ନଜିର ରହିଛି। ହେଲେ ଯାଜପୁର ଟାଉନ୍ଥାନା ଅରକପଡ଼ା ଗ୍ରାମର ଆଶିଷ ମଲ୍ଲିକ ନାମକ ଜଣେ ନିଶାସକ୍ତ ଯୁବକ ଭଗବାନ ମଲ୍ଲିକଙ୍କ ବାଛୁରୀକୁ ହାଣି ଦେଇଥିବା ଅଭିଯୋଗ ହୋଇଥିଲା। ଭଗବାନ ଗୋପାଳନ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ପ୍ରତିଦିନ ପରି ଭଗବାନ ନିଜ ଗାଈ ଓ ବାଛୁରୀକୁ ଏକ ଖୋଲା ପଡ଼ିଆରେ ଘାସ ଚରିବାକୁ ଛାଡ଼ି ଦେଇ ଆସିଥିଲେ। କିଛି ସମୟ ପରେ ପଡ଼ିଆରୁ ଜୋର୍ରେ ଶବ୍ଦ ଶୁଭିବାରୁ ଭଗବାନ ଯାଇ ଦେଖିଥିଲେ ଯେ, ଗାଈ ଘାସ ଚରୁଥିବା ବେଳେ ବାଛୁରୀଟି ଗାଈ ପାଖରେ ନଥିଲା। ତେଣୁ ଭଗବାନ ବାଛୁରୀକୁ ଖୋଜୁଥିବା ସମୟରେ ଆଶିଷ ଏକ ପନିକିରେ ବାଛୁରୀକୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଛୁରୀଟି ତଳେ ଛଟପଟ ହେଉଥିବା ବେଳେ ଭବବାନଙ୍କୁ ଦେଖି ନିଶାସକ୍ତ ଆଶିଷ ସେଠାରୁ ପଳାଇ ଯାଇଥିଲା।
ଏହି ଖବର ପ୍ରକାଶ ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମରେ ବୈଠକ ପରେ ଅଭିଯୁକ୍ତର ଅମାନୁଷିକ କାଣ୍ଡକୁ ନେଇ ଗ୍ରାମବାସୀ ଯାଜପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିିକିତ୍ସାଳୟକୁ ପଠାଇଥିଲେ ଓ ବ୍ୟବହାର କରିଥିବା ହତିଆରକୁ ଜବତ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିଲେ।
ଜମିବାଡ଼ି ହେଉ ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଅକାଳରେ ଅନେକ ଜୀବନଦୀପ ଲିଭି ଯାଉଥିବା ବେଳେ ଏଥିରେ ରୋକ ଲଗାଇଛନ୍ତି ଜଣେ ୧୬ ମାସର ଶିଶୁ ଅନ୍ମେଶ ଲେଙ୍କା। ଯେଉଁ ବୟସରେ ଖେଳକୁଦ କରି ଘରକୁ କମ୍ପାଇ ଦେଉଥିଲା, ସମସ୍ତଙ୍କର ପ୍ରିୟପାତ୍ର ଥିଲା। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଜନ୍ମେଶ ଖାଇସାରି ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଏମ୍ସ ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ ଡାକ୍ତରଙ୍କ ପରୀକ୍ଷା ପରେ ଜନ୍ମେଶ ଶ୍ୱାସକ୍ନାନ୍ତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ତତ୍ତ୍ୱାବଧାନରେ ଜନ୍ମେଶଙ୍କର ଚିିକିତ୍ସା ଚାଲିଥିଲା। ଦୁଇ ସପ୍ତାହ ଆଇସିୟୁରେ ରହିବା ପରେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଜନ୍ମେଶଙ୍କୁ ବ୍ରେନ୍ ଡେଡ୍ ଷୋଷଣା କରାଯାଇଥିଲା। ଅନ୍ୟମାନଙ୍କୁ ଜୀବନ ଉପହାର ଦେବା ପାଇଁ ଡାକ୍ତରୀଦଳ ଅଙ୍ଗଦାନ ବିଷୟରେ ଜନ୍ମେଶଙ୍କ ବାପା ମା’ଙ୍କୁ ପରାମର୍ଶ ଦେଇଥିଲେ। ବାପା, ମା’ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ଡାକ୍ତରଙ୍କ ନେତୃତ୍ୱରେ ଦୁଇଜଣ ରୋଗୀଙ୍କୁ ଜନ୍ମେଶଙ୍କ ଦୁଇଟି କିଡ୍ନୀ ଓ ଲିଭର ପ୍ରଦାନ କରାଯାଇଥିଲା। ମାତ୍ର ୧୬ମାସ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରି ଜନ୍ମେଶ ଆରପାରିକୁ ଚାଲିଯିବା ପୂର୍ବରୁ ସାରା ଦୁନିଆ ପାଇଁ ଉଦାହରଣ ପାଲଟି ଯାଇଛନ୍ତି।
୧୯୯୧ ମସିହାରେ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ୧୩ ବର୍ଷୀୟା ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହେବାରୁ ଯୁବକଜଣଙ୍କ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ଏ ନେଇ ପୀଡ଼ିତାଙ୍କ ପିତା ଆନନ୍ଦପୁର ଏସ୍ଡିଜେଏମ୍ ଅଦାଲତରେ ଅଭିଯୋଗ ଦାୟର କରିଥିଲେ। ଆନନ୍ଦପୁର ସହକାରୀ ଦୌରାଜଜ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ୧୯୯୨ ମସିହା ଫେବୃଆରୀ ୧୨ ତାରିଖରେ ଅଦାଲତ ରାୟ ପ୍ରକାଶ କରି ଆଇପିିସି ଦଫା ୩୧୩ ଓ ୪୯୩ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଓ ୧ ହଜାର ଟଙ୍କା ଜାରିମାନା ଦଣ୍ଡ ପ୍ରଦାନ କରିଥିଲେ। ସହକାରୀ ଦୌରାଜଜ ଅଦାଲତଙ୍କ ରାୟ ବିରୁଦ୍ଧରେ ଆବେଦନକାରୀ ୧୯୯୩ ମସିହା ଫେବୃଆରୀ ୨୨ରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ବିଚାରଧୀନ ଥିବାବେଳେ ୧୯୯୩ ଅଗଷ୍ଟ ୩ ତାରିଖରେ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ଇତିମଧ୍ୟରେ ୩୧ ବର୍ଷ ଅତିକ୍ରାନ୍ତ ହୋଇସାରିଛି ଓ ଆବେଦନକାରୀ ଜାମିନର କୌଣସି ସର୍ତ୍ତ ଉଲଙ୍ଘନ କରିନଥିବା ନେଇ ଅଭିଯୋଗ ନାହିଁ। ତେଣୁ ତଥ୍ୟ ଓ ପ୍ରମାଣ ଦୃଷ୍ଟିରୁ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶରରେ ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିନଥିଲେ ମଧ୍ୟ ବର୍ତ୍ତମାନ ଆବେଦନକାରୀଙ୍କୁ ୬୩ ବର୍ଷ ବୟସ ବିଚାରକୁ ନେଇ ପିଓ ଆଇନରେ ଥିବା ବ୍ୟବସ୍ଥାରେ ଯୁବକଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର
ମୋ : ୮୩୨୮୮୪୦୨୧୪


