Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଅତ୍ୟାଧୁନିକ ଯୁଗରେ ତିଷ୍ଠି ରହିଛି ପ୍ରାଚୀନ ଗୋସେବା, ଲୋକଙ୍କ ଭିତରେ ବୃଦ୍ଧି ପାଉଛି ଆଗ୍ରହ

ସୁବାସ କୁମାର ତାରଣିଆଁ

କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ। ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ। ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି।

ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ। ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି। ମାଡ଼ ଭୟରେ ତଥା ଖାଦ୍ୟ ଅନ୍ୱେଷଣରେ ଗାଁ ଛାଡ଼ି ନିକଟସ୍ଥ ବଜାରରେ ଆଶ୍ରୟ ନେଇଥିବା ଷଣ୍ଢଟି ଏ ବୁଢା ବୟସରେ ପାଣି ମୁନ୍ଦିଏ ପିଇବା ପାଇଁ ବଜାରର ଏ ଦୋକାନ, ସେ ଦୋକାନରେ ମୁହଁ ବଢାଉଛି, ହେଲେ ପାଣି ମୁନ୍ଦିଏ ମିଳୁନି।

ଷଣ୍ଢଟିର ଏ ବିକଳ ରୂପ ଦେଖି ତା ପାଇଁ କିଛି ଚୋକଡ଼ ଆଉ ପାଣି ମୁନ୍ଦିଏ ଗୋଟିଏ ପାତ୍ରରେ ନେଇ ତାକୁ ପିଇବାକୁ ଦେଲାବେଳକୁ, ଜଣେ ପରିଚିତ ବ୍ୟକ୍ତି ଯିଏ ନିଜ ଗାଈଙ୍କ ଠାରୁ ସଂଗ୍ରହ କରିଥିବା ଦୁଗ୍‌ଧକୁ ବଜାରରେ ବିକ୍ରୟ କରିବାକୁ ଆସିଥିଲେ, ସେ ବ୍ୟକ୍ତିଜଣକ ମୋତେ କହିଲେ, ଏଇ ଗୋଟିଏ ଦିନ ଷଣ୍ଢଟିକୁ ପାଣି ମୁନ୍ଦିଏ ଦେଇଦେଲେ ଷଣ୍ଢଟିର ସବୁଦିନ ପାଇଁ କ’ଣ ଶୋଷ ମେଣ୍ଟିଯିବ? ମୁଁ ବି ଗୋସେବା କରୁଛି। ପ୍ରତିଦିନ ସକାଳେ, ମଧ୍ୟାହ୍ନରେ ଓ ସଞ୍ଜରେ ଗାଈମାନଙ୍କୁ ଖାଇବାକୁ ଦିଏ, ସେମାନଙ୍କର ଯତ୍ନ ନିଏ, ସେମାନଙ୍କୁ ବିଲକୁ ଚରାଇବାକୁ ନିଏ।

ମୋ ଭଳି ତୁମେ ଗୋସେବା କରିପାରିବ ତ? ସେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହିଥିଲି, ଆପଣ ଭଲ ପ୍ରଶ୍ନଟିଏ କରିଛନ୍ତି। ସମୟ ଅଭାବରୁ ହୁଏତ ମୁଁ ଆପଣଙ୍କ ଭଳି ସବୁଦିନ ଗୋସେବା କରିନପାରେ କି ଆପଣଙ୍କ ଭଳି ପୂଣ୍ୟ କାମ କରିବା ମୋର ଉଦ୍ଦେଶ୍ୟ ନୁହେଁ, ଷଣ୍ଢଟିର କରୁଣ ଦୃଶ୍ୟ ଦେଖି, ତାକୁ ପାଣିମୁନ୍ଦିଏ ପିଇବାକୁ ଦେଉଥିଲି। କିନ୍ତୁ ଆପଣ କହିଲେ ମୁଁ ପ୍ରତିଦିନ ଗୋସେବା କରୁଛି, ତାଙ୍କୁ ଖାଇବାକୁ ଦେଉଛି, ସେମାନଙ୍କର ଯତ୍ନ ନେଉଛି, ପ୍ରତିବଦଳରେ ଆପଣ ସେମାନଙ୍କଠାରୁ କିଛି ପାଇବାର ଆଶା ରଖି ସେମାନଙ୍କ
ସେବା କରୁଛନ୍ତି।

ବ୍ୟବସାୟ ଲକ୍ଷ୍ୟରେ ଅନେକ ଗୁଡ଼ିଏ ଗାଈମାନଙ୍କୁ ରଖି, ସେମାନଙ୍କ ଠାରୁ ଦୁଗ୍‌ଧ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରୁଛନ୍ତି। ଅଧିକ ଦୁଗ୍‌ଧ ସଂଗ୍ରହ ପାଇଁ ଗାଈମାନଙ୍କୁ କୃତ୍ରିମ ଔଷଧ ଓ ମାରାତ୍ମକ ଇଞ୍ଜେକସନ ଦେଇ କମ୍ ଦିନରେ ରୁଗ୍‌ଣ କରି ଦେଉଛନ୍ତି। ପରିଣତ ବୟସ ହୋଇଗଲେ ସେମାନଙ୍କୁ କଂସେଇ ହାତକୁ ଟେକିଦେଉଛନ୍ତି। ଅଣ୍ଡିରା ବାଛୁରୀଟିଏ ଜନ୍ମ ହେଲେ, ବୋଝ ଭାବି ତାକୁ ନେଇ କେଉଁ ଦୁର୍ଗମ ଅଞ୍ଚଳରେ ଛାଡ଼ିଦେଇ ଆସୁଛନ୍ତି।

ଆପଣଙ୍କର ଗୋସେବା କରିବାର ମାନସିକତା କ’ଣ ଏଇଆ? ଆପଣ ପ୍ରକୃତରେ ଯଦି ଗୋସେବା କରୁଛନ୍ତି, ତେବେ ରାସ୍ତାଘାଟ, ବଜାରରେ ଅତି ଦୟନୀୟ ଅବସ୍ଥାରେ ବୁଲୁଥିବା ବୁଲା ଗୋରୁ, ଗାଈ, ଷଣ୍ଢମାନଙ୍କୁ ନେଇ ସେମାନଙ୍କର ସେବା, ଯତ୍ନ କରିପାରିବ, ସେମାନଙ୍କୁ ଦୁଇଓଳି ଖାଇବାକୁ ଦେଇପାରିବ? ଏହା ପରେ ସେ ବ୍ୟକ୍ତିଜଣଙ୍କ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇ ବାଟ କାଟି ଚାଲିଯାଇଥିଲେ।

କେନ୍ଦ୍ରାପଡା ଜିଲ୍ଲା ଅସୁରେଶ୍ୱର ଗୋରକ୍ଷଣୀ କେନ୍ଦ୍ର ଓଡ଼ିଶାରେ ଏକ ପ୍ରସିଦ୍ଧ ଗୋସେବା କେନ୍ଦ୍ର ଭାବେ ପରିଚିତ। ୧୯୪୩ ମସିହାର ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ୱର ନଦୀ କୂଳରେ ଜଣେ ହିନ୍ଦୁ ଯୁବକ, ତାଙ୍କର ଜଣେ ମୁସଲମାନ ବନ୍ଧୁଙ୍କ ସହିତ ବସି ଦୁଃଖ ସୁଖ ହେଉଥିବା ସମୟରେ କିଛି ମୁସଲମାନ ଲୋକ ଗୋଟିଏ ଗାଈକୁ ଜୋରଜବରଦସ୍ତ ନଦୀ କୂଳକୁ ନେଇଯାଉଥିଲେ ବୋଧହୁଏ ହତ୍ୟା କରିବା ଉଦ୍ଦେଶ୍ୟରେ। ଆସନ୍ନ ମୃତ୍ୟୁ ସମ୍ପର୍କରେ ସମ୍ଭବତଃ ସେହି ଗାଈଟି ଜାଣିପାରିଥିଲା। ତେଣୁ ସେ ଉଚ୍ଚସ୍ୱରରେ ରଡ଼ି ଛାଡ଼ିଥିଲା ନିଜ ଜୀବନ ବଞ୍ଚାଇବା ଲାଗି । ଗାଈଟିର ଏଭଳି କରୁଣ ଦୃଶ୍ୟ ଦେଖି ଦୁଇବନ୍ଧୁ ଉକ୍ତ ମୁସଲମାନ ଲୋକଙ୍କ ସହିତ ଦୀର୍ଘ ସମୟ ଯୁକ୍ତିତର୍କ, କଥା କଟାକଟି ପରେ ସେମାନେ ଗାଈଟିକୁ ଉଦ୍ଧାର କରିଥିଲେ।

ସେହିଠାରେ ହିଁ ଏକ ଗୋସେବା କେନ୍ଦ୍ର ସ୍ଥାପନ କରାଯାଇଥିଲା ଯାହାର ନାମ ହେଉଛି ଅସୁରେଶ୍ୱର ଗୋରକ୍ଷଣୀ କେନ୍ଦ୍ର। କିଛି ସହୃଦୟ ବ୍ୟକ୍ତି ଓ ଗୋସେବକ ଏହି ଗୋସେବା କେନ୍ଦ୍ରର ତଦାରଖ କରୁଛନ୍ତି। ଇତି ମଧ୍ୟରେ ଏହି ଗୋସେବା କେନ୍ଦ୍ରଟି ୮୦ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ। କିଛି ପାଇବାର ଆଶା ନଥାଇ ଚାଲିଛି ଏହି ଗୋରକ୍ଷଣୀ କେନ୍ଦ୍ର। ଗୋସେବା ପାଇଁ ଉତ୍ସର୍ଗୀକୃତ ଭାବନା ଥିବା ବ୍ୟକ୍ତିମାନେ ଏଠାରେ ନିୟୋଜିତ ଅଛନ୍ତି, ଯେଉଁମାନେ କି ବିଭିନ୍ନ ଅଞ୍ଚଳ ବୁଲି ବୁଲି ଏହି ଗୋରକ୍ଷଣୀ ପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି।

ମୁର୍ମୁଷ ତଥା ଦୟନୀୟ ଭାବେ ବୁଲୁଥିବା ଗୋମାତାମାନଙ୍କୁ ଦେଖାଶୁଣା କରିବା ପାଇଁ ଏହି ଗୋରକ୍ଷଣୀକୁ ନେଇଆସନ୍ତି। ଏହା ସମଗ୍ର ଦେଶରେ ଏକ ବିରଳ ଗୋସେବା କେନ୍ଦ୍ର। କାରଣ କେବଳ ଶାରୀରିକ ଅକ୍ଷମ, ଅନ୍ଧ, ଦୁର୍ଘଟଣାଗ୍ରସ୍ତ, ହଡ଼ାବୁଢା, ରୋଗଗ୍ରସ୍ତ ତଥା ବିକୃତ ଗାଈଗୋରୁଙ୍କୁ ଏଠାରେ ରଖାଯାଇଥାଏ। ଏପରିକି ଏହି ଗୋସେବା କେନ୍ଦ୍ରରୁ ଦୁଗ୍‌ଧ ସଂଗ୍ରହ କରାଯାଏ ନାହିଁ କିମ୍ବା ମୁତ୍ର ଓ ଗୋବର ବିକ୍ରି କରାଯାଏ ନାହିଁ । ସେଠାରେ ଜନ୍ମ ନେଉଥିବା ଦାମୁଡ଼ି କିମ୍ବା ଛଡ଼ାଙ୍କୁ ବିକ୍ରି କରାଯାଏ ନାହିଁ।

ଅନ୍ୟ ଗୋପାଳନ କେନ୍ଦ୍ର ବା ଗୋଶାଳା ଗୁଡ଼ିକ ପରି ଏଠାରେ ଗୋ-ପ୍ରଦର୍ଶନୀ କରାଯାଏ ନାହିଁ। ପବିତ୍ର ଗୋଷ୍ଠାଷ୍ଟମୀରେ ଗୋ ସମ୍ବର୍ଦ୍ଧନା କରାଯାଏ। ଗୋସେବା କ୍ଷେତ୍ରରେ ଉଭୟ ହିନ୍ଦୁ ଓ ମୁସଲମାନ ସଂହତିର ଏକ ଅଦ୍ଭୁତପୂର୍ବ ଅନୁଷ୍ଠାନ ଭାବରେ ସମଗ୍ର ବିଶ୍ୱରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି ଏବଂ ବିରଳ ଗୋତୀର୍ଥ ଭାବେ ହିନ୍ଦୁ ଏବଂ ମୁସଲମାନ ମାନଙ୍କର ଭାବାବେଗ ସହିତ ଜଡ଼ିତ ହୋଇ ରହିଛି।

ଏହା ଦ୍ୱାରା ରାଜ୍ୟ ଓ ଦେଶର ବହୁ ସ୍ଥାନରେ ଏପରି ଗୋସେବା କେନ୍ଦ୍ର ସ୍ଥାପନ ହୋଇପାରିଛି। ଗାଈଗୋରୁଙ୍କ ପ୍ରତି ହିଂସାଭାବ ଦୂର କରିବା, ଗୋରୁ ଗାଈଙ୍କ ପ୍ରତି ଶ୍ରଦ୍ଧା ଓ ସମବେଦନା ଜଣାଇବା ହିଁ ଏପରି ଗୋସେବା କେନ୍ଦ୍ରର ଉଦ୍ଦେଶ୍ୟ। ଆମ ରାଜ୍ୟରେ ଅନେକ ସ୍ଥାନରେ ବିଭିନ୍ନ ଗୋସେବା କେନ୍ଦ୍ର ସ୍ଥାପନ କରାଯାଇ ରାସ୍ତାଘାଟରେ ଅସହାୟ ଓ ରୋଗାଗ୍ରସ୍ତ ଅବସ୍ଥାରେ ବୁଲୁଥିବା ଗୋରୁ, ଗାଈମାନଙ୍କୁ ନେଇ ସେମାନଙ୍କ ସେବା ଶୁଶ୍ରୁଷା କରାଯାଉଛି। କିଛି ସହୃଦୟ ବ୍ୟକ୍ତି ନିଜ ସାମର୍ଥ୍ୟ ମୁତାବକ ଏହି ଗୋସେବା କେନ୍ଦ୍ରକୁ ଅର୍ଥ ପ୍ରଦାନ କରୁଛନ୍ତି ଯାହାଦ୍ୱାରା ଏହି ଗୋସେବା କେନ୍ଦ୍ର ସୁରୁଖୁରୁରେ ଚାଲୁଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବହୁ ସ୍ୱେଚ୍ଛାସେବୀ ସଂଗଠନ ଅଛନ୍ତି, ଯେଉଁମାନେ କି ରାଜଧାନୀ ରାଜରାସ୍ତାରେ ରୋଗାଗ୍ରସ୍ତ ଓ ଦୁର୍ଘଟଣାଗ୍ରସ୍ତ ଗୋରୁଗାଈମାନଙ୍କୁ ନେଇ ସେମାନଙ୍କୁ ଚିିକିତ୍ସିତ କରାଇଥାନ୍ତି। ସେହିପରି ଅନେକ ସହୃଦୟ ବ୍ୟକ୍ତି ରାତି ପାହିଲେ ରାଜଧାନୀରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଗାଈ, ଗୋରୁ ଓ ଷଣ୍ଢମାନଙ୍କୁ ରୁଟି, କଦଳୀ, ସେଓ ଆଦି ବିଭିନ୍ନ ଖାଦ୍ୟ ପ୍ରଦାନ କରି ସେମାନଙ୍କ ତୃଷ୍ଣା ମେଣ୍ଟାଇଥାନ୍ତି।

ଯଦି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଇ ଅଧିକ ପରିମାଣରେ ଗୋସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇ ପାରନ୍ତା, ତେବେ ଅସହାୟ ଅବସ୍ଥାରେ ବୁଲୁଥିବା ଗାଈ ଗୋରୁମାନଙ୍କୁ ଏହି ଗୋସେବାକେନ୍ଦ୍ରଗୁଡ଼ିକରେ ଅବସ୍ଥାପିତ କରାଯାଇ ପାରନ୍ତା ଓ ରାସ୍ତାରେ ବୁଲା ଗୋରୁ ଗାଈଙ୍କ ସଂଖ୍ୟା ହ୍ରାସ ପାଇପାରନ୍ତା, ଅନେକ ଦୁର୍ଘଟଣାକୁ ମଧ୍ୟ ରୋକାଯାଇ ପାରନ୍ତା।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର, ମୋ : ୮୩୨୮୮୪୦୨୧୪

Categories
ବିଶେଷ ଖବର

ସତରେ କଣ ଆମେ ସ୍ୱାଧୀନ!!

ସୁବାସ କୁମାର ତାରଣିଆଁ

ଆମ ଦେଶ ଭାରତ ଯେତେବେଳେ ବ୍ରିଟିଶ କବଳରେ କରାୟତ ଥିଲା, ସେତେବେଳେ ଇଂରେଜମାନେ ଭାରତୀୟଙ୍କୁ ବହୁ ନିର୍ଯ୍ୟାତନା ଦେଉଥିଲେ। ଭାରତୀୟମାନଙ୍କ ମୌଳିକ ଓ ସାମାଜିକ ଅଧିକାର ଛଡ଼ାଇନେଇ, ସେମାନଙ୍କୁ ନିଜର ଗୋଲାମୀ କରି ରଖିଥିଲେ। ଅନେକ ଲୋକ ସେମାନଙ୍କ ନିର୍ଯ୍ୟାତନା ସହିନପାରି ଜୀବନ ହାରୁଥିଲେ। ତେଣୁ ବ୍ରିଟିଶଙ୍କ କ୍ରୁର ଶାସନ କବଳରୁ ଦେଶକୁ ଛଡ଼ାଇ ଆଣିବାକୁ ଦୀର୍ଘବର୍ଷ ଧରି ଯେଉଁ ଲଢେଇ ଚାଲିଥିଲା, ସେଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ମହାମାନବ, ଦେଶପ୍ରେମୀ ସାମିଲ୍ ହୋଇ ନିଜ ତ୍ୟାଗ, ନିଷ୍ଠା ଓ ସଂଘର୍ଷର ପ୍ରମାଣ ଦେଇଥିଲେ। ହିନ୍ଦୁ ହେଉ ବା ମୁସ୍‌ଲିମ୍‌, ଶିଖ୍ ହେଉ ବା ଜୈନ ଅବା ଖ୍ରୀଷ୍ଟିୟାନ, ସମସ୍ତେ ଏଥିରେ ନେତୃତ୍ୱ ନେଇଥିଲେ।

ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ, ସୁବାଷ ବୋଷ, ଅବୁଲ୍ କାଲାମ ଆଜାଦ, ଆସଫକୁଲ୍ଲା ଖାଁ, ଡ. ଖାଁ ଅବଦୁଲ ଗଫୁର ଖାନ୍‌, ଆସିଫ ଅଲ୍ଲୀ, ଜାକିର ହୁସେନ ପ୍ରମୁଖ ଦେଶପ୍ରେମୀଗଣ ଏକାଠି ହୋଇ ନିଜ ଜୀବନକୁ ବାଜି ଲଗାଇ ବ୍ରିଟିଶ ବିରୋଧୀ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଦେଶ ଓ ଦେଶ ପ୍ରେମରେ ଧର୍ମକୁ ନେଇ ଭେଦଭାବ ବା ପାତର ଅନ୍ତର ଦେଖାଯାଉନଥିଲା ବରଂ ହିନ୍ଦୁ ମୁସଲମାନ, ଶିଖ, ଜୈନ ଏକତା ହିଁ ଭାରତର ମୂଳମନ୍ତ୍ର ବୋଲି ବ୍ରିଟିଶ ଶାସକ ହୃଦ୍‌ବୋଧ କରି ଏହି ବନ୍ଧୁତ୍ୱ ଓ ସମ୍ବଳକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ।

ବ୍ରିଟିଶମାନଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବା ପାଇଁ ଦେଶର କୋଟି କୋଟି ଜନତା ଏହି ମହାନ୍ ସଂଗ୍ରାମରେ ସାମିଲ ହୋଇଥିଲେ। ଫଳରେ ଏମାନଙ୍କ ଅକୁଣ୍ଠ ସମର୍ଥନ ଓ ଦେଶପ୍ରେମୀଙ୍କ ବଳିଦାନ ଯୋଗୁ ଆମ ଦେଶ ଭାରତ ବ୍ରିଟିଶ କବଳରୁ ସବୁଦିନ ପାଇଁ ମୁକ୍ତି ପାଇଥିଲା ସତ କିନ୍ତୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା କିଛି ବ୍ୟକ୍ତି ବା ସଂଗଠକଙ୍କ ହୀନ ପ୍ରୟାସ ନିଶ୍ଚିତ ଭାବେ ନିନ୍ଦନୀୟ ଥିଲା। ସେମାନଙ୍କୁ ଯେତେ ଭର୍ତ୍ସନା କଲେ ତାହା କମ୍ ହେବ। ଏପରି ବିକୃତ ମାନବିକତା ଓ ସଂକୀର୍ଣ୍ଣତା ଆମ ତମାମ ସମାଜକୁ ଏମିତି ସଂକ୍ରମିତ କରିଦେଇଛି ଯେ ଆମେ ଏକପ୍ରକାର ଦୃଷ୍ଟିଶକ୍ତି ହରାଇ ବସିଛୁ!

ଆମ ଦେଶ ସ୍ୱାଧୀନ ହୋଇଛି ସତ, କିନ୍ତୁ ସାଧାରଣ ଜନତା ପରାଧୀନତାର କଷାଘାତରେ ଏବେ ବି ଜର୍ଜରିତ। ଜଣେ ମେଧାବୀ ଛାତ୍ରର ସବୁ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ଖଣ୍ଡିଏ ପାଇବାକୁ ହେଲେ କିରାଣୀ, ଚପରାଶି ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସବୁଠି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗରୀବ ଲୋକଟିଏ ସରକାରୀ ଯୋଜନା ପାଇବାକୁ ହେଲେ କୁଜି ନେତାଙ୍କ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ସବୁଠି ଲାଞ୍ଚ ଦେବାକୁ ପଡୁଛି। ପ୍ରିୟାପ୍ରୀତି ତୋଷଣ ଯୋଗୁ ଅଯୋଗ୍ୟ ହିତାଧିକାରୀ ସବୁ ସରକାରୀ ସହାୟତା ପାଉଥିଲା ବେଳେ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଛି। କିଛି କୁଚକ୍ରି ଓ ବାହୁବଳୀ ରାଜନେତା ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାରେ ଲାଗିପଡ଼ିଛନ୍ତି।

ଯେଉଁ ମହାନ୍ ସଂଗ୍ରାମୀମାନଙ୍କ ବର୍ଷ ବର୍ଷର ସଂଗ୍ରାମ ଓ ତ୍ୟାଗ ବଳରେ ଆଜି ଦେଶ ସ୍ୱାଧୀନତା ଲାଭ କଲା, ସେହି ଦେଶରେ ବର୍ତ୍ତମାନ ବାହୁବଳୀ ରାଜନେତାମାନେ କ୍ଷମତା ଉପଭୋଗ କରିବା ସହ ନିରୀହ ଜନସାଧାରଣଙ୍କୁ ପୁଣି ଥରେ ପରାଧୀନତାର ଶିକୁଳି ଭିତରକୁ ଠେଲି ଦେଇଛନ୍ତି। ଗଣତନ୍ତ୍ରର ମୂଳମନ୍ତ୍ର ଆଜି ନ୍ୟସ୍ତସ୍ୱାର୍ଥ ରାଜନୈତିକ ଚକ୍ରାନ୍ତର ଶିକାର ହୋଇଛି। ତମାମ ଦେଶ ଘୃଣା ଓ ବିଦ୍ୱେଷର ବାତାବରଣ ଉଗ୍ର ରୂପ ନେବାରେ ଲାଗିଛି।

ଏହାର ଏକ ଉଦାହରଣ ହେଲା ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କମଳ ଲୋଚନ ସାର୍। କମଳ ଲୋଚନ ସାର୍ ଥିଲେ ଜଣେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷକ। ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସେ ଥିଲେ ବେଶ୍ ପାରଙ୍ଗମ। ସ୍କୁଲ୍‌ର ସବୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ସମସ୍ତେ ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ ମଧ୍ୟ ଦେଉଥିଲେ। ସେଥିପାଇଁ କମଳ ଲୋଚନ ସାର୍‌ଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା।

ଏକଦା ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ସମୟରେ ସ୍ଥାନୀୟ ଜଣେ ମନ୍ତ୍ରୀଙ୍କ ପୁଅ ପରୀକ୍ଷାରେ କପି କରୁଥିବାର ଦେଖି କମଳ ଲୋଚନ ସାର୍ ମନ୍ତ୍ରୀଙ୍କ ପୁଅଠାରୁ କପି ଜବତ କରିଥିଲେ ଏବଂ ପରୀକ୍ଷାରେ କପି ନ କରି, ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଖବର ମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଏହାର ଭୟଙ୍କର ପରିଣତି କମଳ ଲୋଚନ ସାର୍‌ଙ୍କୁ ଭୋଗିବାକୁ ପଡ଼ିଥିଲା। ତାଙ୍କୁ ମାର୍ଥାପୁର ନାମକ ଏକ ସମ୍ବେଦନଶୀଳ ତଥା ଉତ୍ତେଜନାପ୍ରବଣ ଅଞ୍ଚଳକୁ ବଦଳି କରି ଦିଆଯାଇଥିଲା ଯେଉଁ ଅଞ୍ଚଳରେ ରାଜୁ ବୋଲି ଏକ ଦୁର୍ଦ୍ଦାନ୍ତ ଅପରାଧୀ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଆଖପାଖ ୫୦ଟି ଗାଁରେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇ ଆସୁଥିଲା।

ଏପରିକି ଉକ୍ତ ଅଞ୍ଚଳର ଲୋକମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ଗାଁରେ ଥିବା ସରକାରୀ ଜମିରେ ଦୋକାନ ଖଣ୍ଡିଏ କରିବାକୁ ହେଲେ ରାଜୁ ନାଁରେ ହିଁ ଦୋକାନ ଖୋଲିବାକୁ ହୁଏ ଓ ମାସିକିଆ ଦାଦାବଟି ଦେବାକୁ ପଡ଼େ। ଯିଏ ଦାଦାବଟି ଦେବାକୁ ଅକ୍ଷମ ହେଉଥିଲା, ରାଜୁ ତାକୁ ହତ୍ୟା କରୁଥିଲା। ସେହି ଅଞ୍ଚଳର ଜଣେ ଗରିବ ଲୋକ ଗାଁରେ ଥିବା ନିଜ ପୈତୃକ ଜମିରେ ରାଜୁର ବିନା ଅନୁମତିରେ ତାଙ୍କ ମାଆଙ୍କ ନାମରେ ଏକ ଜଳଖିଆ ଦୋକାନ ଖୋଲିବାରୁ, ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ରାଜୁ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଓ ସେଠାକାର ଥାନାର ଇନିସ୍‌ପେକ୍ଟର ଏହି ଘଟଣାର ତଦନ୍ତ କରିବାକୁ ଆସିବାରୁ ତାଙ୍କୁ ମଧ୍ୟ ରାଜୁର ଲୋକମାନେ ହତ୍ୟା କରିଥିଲେ।

କମଳ ଲୋଚନ ସାର୍‌ଙ୍କ ପୁଅ ଅଭିଜିତ ଯେ କି ଜଣେ ଶିକ୍ଷିତ ଯୁବକ ସେ ରାଜୁର ଏଭଳି ଘଟଣାକୁ ଘୋର ବିରୋଧ କରୁଥିଲେ। କିନ୍ତୁ ବାପାଙ୍କ ଆଦର୍ଶ ଯୋଗୁ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ। ସେହି ଅଞ୍ଚଳରେ ସରକାରୀ ଜାଗାରେ ରାଜୁର ନାମରେ ଏକାଧିକ ଦୋକାନ ଖୋଲିଥିବାରୁ ଜଣେ ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ତାଙ୍କୁ ରାଜୁର ଲୋକମାନେ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲେ।

ସେହିପରି ମହାମାରୀ କରୋନା ସମୟରେ ଗୁଜୁରାଟର ସୁରତ ସହରରେ ରାତି କର୍ଫ୍ୟୁ ଜାରି ରହିଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କର ୪ଜଣ ସାଙ୍ଗ ଏହାକୁ ଉଲଂଘନ କରି ବିନା ମାସ୍କରେ ବୁଲୁଥିବା ସମୟରେ ସେଠାରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ସୁନୀତା ଯାଦବ ସେମାନଙ୍କୁ ଅଟକାଇଥିଲେ ଏବଂ କାହିଁକି ମାସ୍କ ପିନ୍ଧି ନାହାଁନ୍ତି ଓ ସାମାଜିକ ଦୂରତ୍ୱ ନିୟମ ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ଗାଳି ଶୁଣିଥିଲେ ଓ ମନ୍ତ୍ରୀଙ୍କ ପୁଅକୁ କ୍ଷମା ମାଗିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥଲା। ଗାଳି ଶୁଣି ମଧ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ କ୍ଷମା ନ ମାଗିନଥିଲେ କନେଷ୍ଟବଳ ସୁନୀତା ଯାଦବ। ପରେ ସୁରଟ ପୋଲିସ୍ କମିଶନର ଆର.ବି. ବ୍ରହ୍ମଭଟ୍ଟ ଏସ୍‌.ପି. ସି.କେ. ପଟେଲଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ସୁନୀତାଙ୍କ ବିରେଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ କନେଷ୍ଟବଳ ସୁନିତା ତାଙ୍କ ଚାକିରୀରୁ ଇସ୍ତଫା ଦେଇଥିଲେ।

ମହାମାରୀ ସମୟରେ ଅମ୍ଲଜାନ ଅଭାବରୁ ବହୁ କରୋନା ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଲଜାନ ଆବଶ୍ୟକ ଥିବା ଟୁଇଟ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା। ସେହିପରି ବିଗତ ଦିନରେ ହାଥରସ୍‌ରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପ୍ରତିବାଦ କରି ଅନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି ଯାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ଯେଉଁମାନେ ଗରିବ, ଅସହାୟ ଓ ଦରିଦ୍ର‌୍ୟର ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂଗ୍ରାମ କରୁଛନ୍ତି, ଗରିବ ଲୋକଙ୍କ ମୌଳିକ ଅଧିକାର ଫେରାଇ ଆଣିବା ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇ ଜେଲ୍‌ରେ ଭର୍ତ୍ତି କରିଦେଉଛନ୍ତି। ଏସବୁ ଘଟଣାକୁ ତର୍ଜମା କଲେ ଲାଗୁଛି ଦେଶ ସ୍ୱାଧୀନ ହୋଇଛି ସତ, ମାତ୍ର ଆମେ ଏବେ ବି ପରାଧୀନ ହୋଇ ରହିଯାଇଛୁ।

ତେଣୁ ଯେତେଦିନ ପର୍ଯ୍ୟନ୍ତ ନିଜର ହକ୍ ଓ ଅଧିକାର ପାଇଁ ମୁହଁ ନଖୋଲିଛେ, ସେତେଦିନ ପର୍ଯ୍ୟନ୍ତ ରାଜନୀତିରେ ଗୁଣ୍ଡାରାଜ ଚାଲିଥିବ, ଦେଶରେ ଆତଙ୍କରାଜ ଦୁର୍ନୀତି, ବ୍ୟଭିଚାର ବଢିଚାଲିଥିବ ଆଉ ଧର୍ମ ଧର୍ମ ନାଁରେ ଏବଂ ଜାତି ଜାତି ଭିତରେ ହଣାକଟା ଚାଲିଥିବ, ଏଥିରେ ଦ୍ୱିମତ ହେବାର ନାହିଁ।

ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪, କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର