ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେଉଥିବା ଦଣ୍ଡ ନାଚ ନେଇ ଏକ ଏସଓପି ଜାରି କରାଯାଇଛି। ଏସଓପି ଜାରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଶ୍ଳୀଳତା ବନ୍ଦ କରିବା ଓ ଆମର ସ୍ୱକୀୟ କଳା ଓ ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା। ଏସଓପି, ଜନ ସଚେତନତା ଓ ଗଣମାଧ୍ୟମ ଜରିଆରେ ଅନୁରୋଧ ସତ୍ତ୍ୱେ ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରକାଶ ପାଉଛି।
ଏକ ସୁସ୍ଥ ଓ ସଚେତନ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ଏହି ସଦ୍ୟ ଅତୀତରେ ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ୱାରା ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ ଜଣ ଆୟୋଜକଙ୍କ ଉପରେ ପୋଲିସ ମାମଲା ଦାୟର କରିଥିଲା ବେଳେ ଛତ୍ରପୁର ତହସିଲଦାର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜ଼ିଲ୍ଲା ପ୍ରଶାସନ ଆଉଥରେ ସ୍ପଷ୍ଟ କରୁଛି ଯେ, ବ୍ୟାପକ ଜନ ସଚେତନତା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ ଦଣ୍ଡ ନାଚରେ ଅଶ୍ଳୀଲତା ବନ୍ଦ ହେଇପାରିନାହିଁ। ଏହାପରେ ଯେଉଁଠି ବି ଅଶ୍ଳୀଳତା ପ୍ରକାଶ ପାଇବ ଆୟୋଜକଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


