ଜାତୀୟ ଆୟୁର୍ବେଦ କଂଗ୍ରେସ: ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମିଳନୀ ପକ୍ଷ ରୁ ଆସନ୍ତା ରବିବାର ୨୪ତାରିଖରେ ଭୁବନେଶ୍ୱର ଭରତପୁର ସ୍ଥିତ କେନ୍ଦ୍ର ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ରେ ପାଳିତ ହେବାକୁ ଯାଉଛି ଜାତୀୟ ଆୟୁର୍ବେଦ କଂଗ୍ରେସ ର୧୨୦ ତମ ପ୍ରତିଷ୍ଠା ଦିବସ। ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦର ସୁରକ୍ଷା, ପ୍ରଚାର ଓ ଉନ୍ନତି ପାଇଁ ଗଠିତ ଏକ ପ୍ରମୁଖ ସଂଗଠନ,ଏହାର ସ୍ଥାପନା ୨୪ ମେ ୧୯୦୭ ମସିହାରେ ମହାରାଷ୍ଟ୍ରର ନାସିକରେ ହୋଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଗଠନ ଆୟୁର୍ବେଦର ପୁନରୁତ୍ଥାନ ଓ ଆଧୁନିକ ଯୁଗରେ ଏହାର ପ୍ରସାର ପାଇଁ ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଆସୁଛି ।
ଆଜିର ଅସୁସ୍ଥ ଜୀବନଶୈଳୀ, ମାନସିକ ଚାପ ଓ ଦୀର୍ଘକାଳୀନ ରୋଗ ବୃଦ୍ଧି ମଧ୍ୟରେ ଆୟୁର୍ବେଦ ନୂତନ ଆଶା ସୃଷ୍ଟି କରୁଛି । ଯୋଗ, ପଞ୍ଚକର୍ମ, ଔଷଧୀୟ ଉଦ୍ଭିଦ ଓ ସ୍ୱାସ୍ଥ୍ୟକର ଜୀବନ ପଦ୍ଧତିକୁ ବିଶ୍ୱସ୍ତରରେ ପରିଚିତ କରିବାରେ ଏବଂ ଭାରତୀୟ ଚିକିତ୍ସା ପଦ୍ଧତି କୁ ବିଶ୍ୱ ଦରବାରରେ ପ୍ରସିଦ୍ଧି ଅର୍ଜନ କରିବା ପାଇଁ ଭାରତୀୟ ଆୟୁର୍ବେଦ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ।
ଭୁବନେଶ୍ୱର ରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ସରକାର ଙ୍କ ଆୟୁର୍ବେଦ ଗବେଷଣା ସଂସ୍ଥା ର ମହାନିର୍ଦ୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ,କେନ୍ଦ୍ର ଆୟୁର୍ବେଦ ମହାସମ୍ମିଳନୀର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ବୈଦ୍ୟ ହିତ୍ୟିକ କୌଶିକି,କେନ୍ଦ୍ର ଆୟୁର୍ବେଦ ଗବେଷଣା ସଂସ୍ଥାନ ର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଡା ମଦନ ମୋହନ ପାଢ଼ୀ,କେଟିଏସ ଆୟୁର୍ବେଦ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ତଥା ଆୟୁର୍ବେଦ କଂଗ୍ରେସ ଓଡ଼ିଶା ପ୍ରଦେଶ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା ବଲଃବ ଜୟସିଂ ପ୍ରମୁଖ ଯୋଗ ଦେବେ।
ଚଳିତ ବର୍ଷ ରାଜ୍ୟ ର କୋଣ ଅନୁକୋଣରୁ ୪୦୦ ରୁ ଉର୍ଦ୍ଧ୍ବ ରାଜ୍ୟ ଆୟୁର୍ବେଦ ଡାକ୍ତର,ବିଭିନ୍ନ କଲେଜ ର ପ୍ରଫେସର, ଅଧ୍ୟାପକ, ଆୟୁର୍ବେଦ କଂଗ୍ରେସ ର ସଦସ୍ୟ ଯୋଗ ଦେବେ ଏଥିରେ ରାଜ୍ୟରେ ଆୟୁର୍ବେଦ ପ୍ରସାର ପ୍ରଚାର ଓ ଗବେଷଣା ପାଇଁ ବୈଠକ ରେ ବିସ୍ତ୍ରୁତ ଆଲୋଚନା ହେବ।ରାଜ୍ୟରେ ଆୟୁର୍ବେଦ ର ବିକାଶ ଓ ବିଶେଷ ଅବଦାନ ପାଇଁ ସମ୍ମିଳନୀରେ ରାଜ୍ୟର କିଛି ଆୟୁର୍ବେଦ ଚିକିତ୍ସକ ଙ୍କୁ ସମ୍ମାନିତ କରାଯିବ ବୋଲି ରାଜ୍ୟ ଆୟୁର୍ବେଦ ସମ୍ମିଳନୀ ର ଅଧ୍ୟକ୍ଷ ଡା ଧନେଶ୍ୱର ବଳିଆରସିଂ ଜଣାଇଛନ୍ତି।
ଆସନ୍ତା ଡିସେମ୍ବର ମାସ ୧୦ ତାରିଖରୁ ୧୩ ତାରିଖ ୪ ଦିନ ଧରି ଭୁବନେଶ୍ୱର ରେ ବିଶ୍ୱ ଆୟୁର୍ବେଦ ମହା ସମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଶ୍ୱର କୋଣ ଅନୁକୋଣରୁ ବହୁ ଆୟୁର୍ବେଦ ଗବେଷକ, ପ୍ରଫେସର, ଡାକ୍ତର, ଅନୁସନ୍ଧାନ ସଂସ୍ଥା ଆଦି ବହୁ ଗଣ୍ୟମାନ୍ୟ ଅତିଥି ଓଡ଼ିଶା ଆସୁଥିବାରୁ ଏହି ସମ୍ମିଳନୀ ଏଥିପାଇଁ ଗୁରୁତ୍ୱ ବହନ କରୁଛି।ଏଥିରେ ବହୁ ସଂଖ୍ୟାରେ ଆୟୁର୍ବେଦ ଡାକ୍ତର ଯୋଗଦେବାକୁ ସଂପାଦକ ଡା ଶରତ କୁମାର ରାଉତ ଅନୁରୋଧ ଜଣାଇଛନ୍ତି।


