ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଢ଼ାଖୋଲ ଥାନା ପୋଲିସ ଚଢ଼ାଉ କରି ଜଣେ ଆନ୍ତଃଜିଲ୍ଲା ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବା ସହ ତା’ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଅମରପାଲି ଗ୍ରାମର ଭାଗବତ ପ୍ରଧାନ (୨୭ ବର୍ଷ)। ସେ କଣ୍ଟାମାଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ସଂଗ୍ରହ କରି ସମ୍ବଲପୁର ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ।
ରେଢ଼ାଖୋଲ-ବୌଦ୍ଧ ରାସ୍ତା ଜାତୀୟ ରାଜପଥ-୧୫୩(ବି) ର କଟକ-ସମ୍ବଲପୁର ରେଳ ଓଭରବ୍ରିଜ୍ ନିକଟସ୍ଥ ପୁରୁଣାଗଡ଼ ଛକଠାରେ ରେଢ଼ାଖୋଲ ଥାନା ଆଇଆଇସି ଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚଢ଼ାଉ କରିଥିଲେ। ସେଠାରେ ଏକ ନୀଳ ରଙ୍ଗର ହୋଣ୍ଡା ସାଇନ୍ ଏସ୍ପି ମୋଟରସାଇକେଲ୍ ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅଭିଯୁକ୍ତ ଭାଗବତଙ୍କୁ କାବୁ କରାଯାଇଥିଲା।
ନିର୍ବାହୀ ମାଜିଷ୍ଟ୍ରେଟ୍ (EM) ଏବଂ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ନିକଟରୁ ଏକ କଳା ରଙ୍ଗର ଏୟାର ବ୍ୟାଗ୍ ଜବତ କରାଯାଇଥିଲା। ସେହି ବ୍ୟାଗ୍ ଭିତରୁ ମୋଟ୫ କିଲୋଗ୍ରାମ ୬୨୦ ଗ୍ରାମଗଞ୍ଜେଇ ଜବତ କରାଯାଇଛି। ଏହା ସହିତ ଚୋରା ଚାଲାଣରେ ବ୍ୟବହୃତ ବାଇକ୍ ଏବଂ ପଲିଥିନ ବ୍ୟାଗ୍ ମଧ୍ୟ ପୋଲିସ ଜବତ କରିଛି।
ଏହି ମାମଲାରେ ରେଢ଼ାଖୋଲ ଥାନାରେ କେସ୍ ନଂ ୯୯/୨୦୨୬, NDPS ଆକ୍ଟର ଧାରା ୨୦ (b)(ii)(B) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


