ଭୁବନେଶ୍ଵର: ଓଡିଶା-ଛତିଶଗଡ ସୀମା ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କିରମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ୱାରା ମାଟି ତଳେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ମାଲକାନଗିରି ଏସ୍ ପି ବିନେଦ ପାଟିଲ ଏଚ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ବିଏସଏଫ, ଡିଭିଏଫ ଓ ପୁଲିସ ପକ୍ଷରୁ ଏକ ମିଳିତ ଅନୁସନ୍ଧାନ ଅଭିଯାନ ଆରମ୍ଭ କରାଯାଇଥିଲା। ଘଞ୍ଚ ଜଙ୍ଗଲରୁ ପୁଲିସ ଓ ସୁରକ୍ଷାବାହିନୀକୁ ଏକ ବଡ ଧରଣର ଅସ୍ତ୍ର ଭଣ୍ଡାର ମିଳିଥିଲା।
ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ୨ଟି ଇନସାସ୍ ରାଇଫଲ୍, ଆଇଇଡି, ଟିଫିନ ବୋମା, ଗ୍ରେନେଡ ଏବଂ ୩୨ରୁ ଅଧିକ ସାମଗ୍ରୀ ରହିଛି। ମାଲକାନଗିରି ଜିଲ୍ଲା ମାଓମୁକ୍ତ ହୋଇଥିବା ବେଳେ ଏହା ପୁଲିସ ଓ ସୁରକ୍ଷା ବାହିନୀ ପାଇଁ ଏକ ବଡ ସଫଳତା ବୋଲି ମାଲକାନଗିରି ଏସ୍ପି କହିଛନ୍ତି।


