ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ସଦର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ଃ ମନୋରଞ୍ଜନ ସାହୁ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ସାଧାରଣ ପରିଚାଳିକା (ଯୋଜନା ଏବଂ ପ୍ରଶାସନ) ଡ଼ଃ ସରିତା ଜେନା, ମଣ୍ଡଳ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଖୋର୍ଦ୍ଧା ପୌର ପରିଷଦ, ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।
ବୈଠକରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ବିଭାଗ, ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ବିଭିନ୍ନ ବିଭାଗର ପିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।
ସେହିପରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ବିପର୍ଯ୍ୟୟ ସମୟରେ ରିଲିଫ୍ ବାଣ୍ଟିବା,ରିଲିଫ୍ ଗାଡ଼ି ରାସ୍ତାରେ ଚାଲିବା, କିରୋସିନ ପେଟ୍ରୋଲ ବଣ୍ଟନ ଆଦି ବିଭିନ୍ନ ଖାଉଟି ସେବା ଦିଗରେ ପୋଲିସ ପ୍ରଶାସନ ର ଆଇନଶୃଙ୍ଖଳା ଅତି ଆବଶ୍ୟକ ବୋଲି ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ, ଭୁବନେଶ୍ୱର କହିଲେ ବିପର୍ଯ୍ୟୟ ପରିଚାଳନା ସମୟରେ ବିପଦ ସଙ୍କୁଳ ସ୍ଥାନରେ ଥିବା ଜନସାଧାରଣଙ୍କୁ ସ୍ଥାନାନ୍ତରଣ, ଗୃହ ପାଳିତ ଗାଈଗୋରୁ ପଶୁ ପକ୍ଷୀ କୁ ସୁରକ୍ଷା ଦେବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ସମନ୍ୱୟ ରକ୍ଷା କରି ଉତ୍ତମ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ନିଷ୍ଠାପର ଭାବେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସାଧାରଣ ପରିଚାଳିକା , ଡ଼ଃ ସରିତା ଜେନା କେଉଁ ବିଭାଗର କି କି ଦାୟିତ୍ଵ ନିର୍ବାହ କରିବାର ଅଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।
ବ୍ଲକ୍ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା ସିଦ୍ଧାର୍ଥ ପଟ୍ଟନାୟକ ଓ ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା, କାବେରୀ ମୁଦୁଲି ନିଜ ନିଜ କାର୍ଯ୍ୟାଳୟର ପ୍ରସ୍ତୁତି ସଂପର୍କରେ ଆଲୋକ ପାତ କରିଥିଲେ। ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଟି ପି ସି ଓ ଡି ଏଲ, ଓଡ୍ରାଫ, ଏନଡ୍ରାଫ, ଜିଲ୍ଲା ବେସରକାରୀ ଯୋଗାଣ ଅଧିକାରୀ, ଅଗ୍ନିଶମ ସେବା, ଜିଲ୍ଲା ସ୍ୱାସ୍ଥ୍ୟ ସେବା, ଜିଲ୍ଲା ସମାଜ ମଙ୍ଗଳ ସେବା, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ,ୱାଟକୋ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, କୃଷି ଓ ଉଦ୍ୟାନ କୃଷି, ଜିଲ୍ଲା ପଶୁ ଚିକିତ୍ସା ସେବା, ଜଳସେଚନ, ପ୍ରାଚିଖଣ୍ଡ ଜଳ ସେଚନ, ଜଳ ନିଷ୍କାସନ, ଭାରତ ସଂଚାର ନିଗମ ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ସେବା ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରି ଶୂନ୍ୟ ମୃତ୍ୟୁ ହାର ଆଖି ଆଗରେ ରଖି ନିଷ୍ଠାପର ଭାବେ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


