ଭୁବନେଶ୍ଵର : ରାଜ୍ୟରେ ବୈଦ୍ୟୁତିକ ଯାନ (EV) ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବା ସହ ଚାର୍ଜିଂ ସୁବିଧାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଏଥିପାଇଁ ରାଜ୍ୟରେ ଆଉ ୨୯୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ଯୋଜନା ହୋଇଛି। କେନ୍ଦ୍ର ସରକାରଙ୍କ PM E-DRIVE ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏନେଇ ପ୍ରସ୍ତାବ ଦାଖଲ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ୧୩ଟି ପ୍ରମୁଖ ସହର ସମେତ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ଇଭି ଚାଳକଙ୍କୁ ଚାର୍ଜିଂ ସୁବିଧା ମିଳିବ।
ଓଡ଼ିଶାରେ ଇଭି ଚାର୍ଜିଂ ନେଟୱର୍କର ସମ୍ପ୍ରସାରଣ ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟର ୧୩ଟି ପ୍ରମୁଖ ସହରରେ ନୂଆ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ। କେବଳ ସହରାଞ୍ଚଳରେ ସୀମିତ ନରହି ଦୀର୍ଘ ଦୂରତା ଯାତ୍ରା କରୁଥିବା ଇଭି ଚାଳକଙ୍କ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ପାରାଦୀପ-ବଡ଼ବିଲ ରାସ୍ତା ସମେତ ବିଭିନ୍ନ ପ୍ରମୁଖ ରାଜପଥରେ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଯୋଜନା ରହିଛି। ଫଳରେ ଦୂରଯାତ୍ରା ସମୟରେ ବ୍ୟାଟେରି ଚାର୍ଜ ସରିଯିବା ନେଇ ଇଭି ଚାଳକଙ୍କ ଚିନ୍ତା ଅନେକାଂଶରେ କମିପାରିବ।
କେବଳ କେନ୍ଦ୍ରୀୟ ଯୋଜନା ଉପରେ ନିର୍ଭର ନକରି ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ମଧ୍ୟ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ ୨୪ଟି ଚାର୍ଜିଂ ଷ୍ଟେସନ କାର୍ଯ୍ୟକ୍ଷମ ରହିଛି। ଆଗକୁ ଏହି ସଂଖ୍ୟା ବୃଦ୍ଧି ସହ ରାଜ୍ୟର ଅନ୍ୟ ସହର ଓ ପ୍ରମୁଖ ଯାତାୟାତ ମାର୍ଗରେ ଚାର୍ଜିଂ ସୁବିଧାର ନେଟୱର୍କ ବିସ୍ତାର କରିବା ଲକ୍ଷ୍ୟ ରହିଛି।
ପେଟ୍ରୋଲ ଓ ଡିଜେଲ ଚାଳିତ ଯାନର ବିକଳ୍ପ ଭାବେ ଇଲେକ୍ଟ୍ରିକ୍ ଯାନର ଚାହିଦା ବଢ଼ୁଥିବା ବେଳେ ଚାର୍ଜିଂ ଭିତ୍ତିଭୂମିର ଅଭାବ ଏକ ବଡ଼ ସମସ୍ୟା ହୋଇ ରହିଛି। ରାଜ୍ୟରେ ଅଧିକ ଚାର୍ଜିଂ ଷ୍ଟେସନ ସ୍ଥାପନ ହେଲେ ଏହି ସମସ୍ୟା ଦୂର ହେବା ସହ ଇଭି କିଣିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିପାରିବ। ମୋଟାମୋଟି ଭାବେ, ୨୯୦ଟି ନୂଆ ଚାର୍ଜିଂ ଷ୍ଟେସନ ପ୍ରସ୍ତାବ ଓଡ଼ିଶାର ସବୁଜ ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେଇପାରେ। ଏବେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବା ଏବଂ ତାହାର କାର୍ଯ୍ୟକାରିତା ଉପରେ ନଜର ରହିଛି।


