ଭୁବନେଶ୍ୱର: ରାଜ୍ୟର ହଜାର ହଜାର ଫ୍ଲାଟ୍ ମାଲିକ ଓ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ପାଇଁ ବଡ଼ ଖବର। ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ଓଡ଼ିଶା ସରକାର ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ଏହି ନୂଆ ଏସଓପି ଦ୍ଵାରା ଆପାର୍ଟମେଣ୍ଟ କିଣାବିକାରେ ସ୍ଵଚ୍ଛତା ଆସିବ । ଆପାର୍ଟମେଣ୍ଟ ମାଲିକାନାରେ ଆଉ ଜାଲିଆତି ହୋଇପାରିବ ନାହିଁ । ନୂତନ ଏସଓପି ଅନୁସାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ଦଲିଲ, ଯାଞ୍ଚ ପ୍ରକ୍ରିୟା ଓ ପଞ୍ଜୀକରଣ ସର୍ତ୍ତାବଳୀ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି।
ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ପୋଷ୍ଟ-ରେରା ଆପାର୍ଟମେଣ୍ଟ ପଞ୍ଜୀକରଣ ପୂର୍ବରୁ ରେରା ପଞ୍ଜୀକରଣ, ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଆଲୋଟି ସଂଘର ପଞ୍ଜୀକରଣ, ଧାରା-୯ ଅନୁଯାୟୀ ଘୋଷଣାପତ୍ର ଏବଂ ସାଧାରଣ କ୍ଷେତ୍ର ହସ୍ତାନ୍ତର ନିୟମ ପାଳନ ବାଧ୍ୟତାମୂଳକ ହେବ। ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ପଞ୍ଜୀକରଣ ସମ୍ଭବ ହେବ।
ରାଜ୍ୟ ସରକାର ମହିଳାଙ୍କ ନାମରେ ଆପାର୍ଟମେଣ୍ଟ ହସ୍ତାନ୍ତର କ୍ଷେତ୍ରରେ ୧ ପ୍ରତିଶତ ଷ୍ଟାମ୍ପ ଶୁଳ୍କ ରିହାତି ସୁବିଧାକୁ ଜାରି ରଖିଛନ୍ତି।


