ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୫ ଦିନିଆ ଗସ୍ତକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଉଠାଇଛି । ସୂଚନା ଅଧିକାର (ଆର୍ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଟ୍ରିବ୍ୟୁନାଲଙ୍କ ଏହି ସ୍ୱଳ୍ପ ସମୟର ଗସ୍ତ ପାଇଁ ୧ କୋଟି ୪୫ ଲକ୍ଷ ୫୫ ହଜାର ୪୮୦ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ମାତ୍ର ୫ ଦିନର ଗସ୍ତ ପାଇଁ ଏତେ ବିପୁଳ ରାଶି ଖର୍ଚ୍ଚ ହୋଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଶାସନିକ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଗତ ଫେବ୍ରୁଆରି ମାସରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲେ। ମହାନଦୀ ଜଳ ବିବାଦ ସମ୍ପର୍କିତ ସ୍ଥିତିର ଅନୁଧ୍ୟାନ କରିବା ସହ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପ ଓ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବା ଏହି ଗସ୍ତର ଉଦ୍ଦେଶ୍ୟ ଥିଲା। ଟିମ୍ଟି ସମ୍ବଲପୁରରେ ଅବସ୍ଥିତ ହୀରାକୁଦ ଡ୍ୟାମ, ବୁର୍ଲା ପାୱାର ହାଉସ ଓ ଚିପିଲିମା ପାୱାର ହାଉସ ପରିଦର୍ଶନ କରିଥିଲା।
ଏହା ସହିତ ଟ୍ରିବ୍ୟୁନାଲ ଟିମ୍ ତିନି ଦିନ ଧରି ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳଗୁଡ଼ିକ ବୁଲିଥିଲେ। ପୁରୀ, କୋଣାର୍କ ସୂର୍ଯ୍ୟ ମନ୍ଦିର,ସାତପଡା,ଚିଲିକା ହ୍ରଦ ଏବଂ ଲିଙ୍ଗରାଜ ମନ୍ଦିର ପରି ସ୍ଥାନ ସେମାନଙ୍କ ଗସ୍ତ ତାଲିକାରେ ଥିଲା। ଏହି ଗସ୍ତ ସମୟରେ ବିଭିନ୍ନ ହୋଟେଲରେ ରହଣୀ, ଯାତାୟାତ, ଖାଦ୍ୟ ବ୍ୟବସ୍ଥା ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ବିପୁଳ ଅର୍ଥ ବ୍ୟୟ ହୋଇଥିବା ତଥ୍ୟ ଆର୍ଟିଆଇ ମାଧ୍ୟମରେ ସାମ୍ନାକୁ ଆସିଛି।
ସରକାରୀ ଅର୍ଥରେ ହୋଇଥିବା ଏହି ଖର୍ଚ୍ଚକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଜଳ ବିବାଦ ପରି ଗୁରୁତ୍ୱପୂର୍ଣ୍ଣ ବିଷୟର ସମାଧାନ ପାଇଁ ଗସ୍ତ ଆବଶ୍ୟକ ହୋଇଥିଲେ ମଧ୍ୟ, ମାତ୍ର ୫ ଦିନରେ ଦେଢ଼ କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହେବାକୁ ନେଇ ଜନସାଧାରଣ ଓ ବିଭିନ୍ନ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ଗସ୍ତରେ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ ଓ ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥା ପାଇଁ କେତେ ଟଙ୍କା ବ୍ୟୟ ହୋଇଛି, ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ, ମହାନଦୀ ଜଳ ବିବାଦ ଦୀର୍ଘ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଛି। ଏହି ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା ଏବଂ ସମୟ ସମୟରେ ଏହାର ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ତେବେ ଏଥର ଗସ୍ତରେ ହୋଇଥିବା ବିପୁଳ ବ୍ୟୟର ତଥ୍ୟ ପ୍ରକାଶ ପାଇବା ପରେ ସରକାରୀ ଖର୍ଚ୍ଚର ସ୍ୱଚ୍ଛତା ଓ ଜବାବଦେହିତାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି।


