ଭୁବନେଶ୍ବର: ଭାରତୀୟ ମହିଳା ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ୨୦୨୬ ବର୍ଷ ପାଇଁ ପ୍ରତିଷ୍ଠିତ ୩୪ତମ ‘ଏକଲବ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଇମ୍ପାକ୍ଟ ଟ୍ରଷ୍ଟ ପକ୍ଷରୁ ଘୋଷିତ ଏହି ପୁରସ୍କାର ବାବଦରେ ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ରାଶି ଓ ଟ୍ରଫି ମିଳିବ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଜୁରୀ ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ସର୍ବସମ୍ମତିକ୍ରମେ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛି।
ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ୱାରା ପ୍ରତିଷ୍ଠିତ ଏବଂ ଭାରତର ସର୍ବବୃହତ ଫେରୋ କ୍ରୋମ୍ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଦ୍ୱାରା ପରବର୍ତ୍ତୀ ସମୟରେ ଅନୁଷ୍ଠିତ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ହକି କ୍ଷେତ୍ରରେ ଜଣେ ଉଦୀୟମାନ ପ୍ରତିଭା ସୁନେଲିତା ଟପ୍ପୋ ତାଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ପାଇଁ ଏହି ସ୍ୱୀକୃତି ଲାଭ କରିଛନ୍ତି। ଏହି ପୁରସ୍କାର ବାବଦରେ ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ରାଶି ସହ ଏକ ଟ୍ରଫି ପ୍ରଦାନ କରାଯିବ।
ଏହାବ୍ୟତୀତ ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡ୍ମିଣ୍ଟନ ଖେଳାଳି ତନ୍ଭୀ ପାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶସ୍ତିପତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ଉପବିଜେତାଙ୍କୁ ସମାରୋହରେ ମାନପତ୍ର ସହ ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ତଥା “ଇମ୍ପାକ୍ଟ’ର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ଏହି ଘୋଷଣା କରିଛନ୍ତି।


