ନବରଙ୍ଗପୁର: ବନ ବିଭାଗ ହାତରେ ବଡ଼ ସଫଳତା। ୧୦ ଲକ୍ଷ ଟଙ୍କାରେ ମହାବଳ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଏହି ସମୟରେ ବାଘ ଛାଲ ମଧ୍ୟ ଜବତ କରାଯାଇଛି। ତେବେ ଆଉ ଦୁଇ ଜଣ ଅଭିଯୁକ୍ତ ଜଙ୍ଗଲ ଭିତରକୁ ପଳାଇ ଯାଇଛନ୍ତି।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ହେବାକୁ ଯୋଜନା ହୋଇଥିଲା। ଗତ କିଛି ଦିନ ଧରି ଜିଲ୍ଲାରେ ବାଘ ଛାଲ କାରବାର ଚାଲିଥିବା ନେଇ ବନ ବିଭାଗ ଗୁପ୍ତ ସୂଚନା ପାଇଥିଲା।
ଏହାପରେ ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅପରେସନ ଆରମ୍ଭ କରିଥିଲା। ବନ କର୍ମଚାରୀମାନେ ଗ୍ରାହକ ସାଜି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ କିଣିବା ପାଇଁ କଥାବାର୍ତ୍ତା କରିଥିଲେ।
ଡିଲ୍ ଚାଲିଥିବା ସମୟରେ ବନ ବିଭାଗର ଟିମ୍ ଚଢ଼ାଉ କରି ବାଘ ଛାଲ ସହ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରିଥିଲା। ତେବେ ବନ କର୍ମଚାରୀଙ୍କୁ ଦେଖି ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇ ଯାଇଥିଲେ।
ଗିରଫ ଅଭିଯୁକ୍ତଙ୍କ ନାମ ଶିବୁନ ଟାକ୍ରି ବୋଲି ଜଣାପଡ଼ିଛି। ତାଙ୍କଠାରୁ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି।
ବାଘ ଛାଲ କେଉଁଠାରୁ ଆସିଥିଲା ଏବଂ ଏହି ଚୋରାକାରବାର ଚକ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ବନ ବିଭାଗ ଅଧିକ ତଦନ୍ତ ଚଳାଇଛି। ଫେରାର ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।


