Categories
ଅପରାଧ ଆଞ୍ଚଳିକ

ଶାଳ ବହ୍ଲା ଜବତ କଲା ବନ ବିଭାଗ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଡଇଁଚା ନିକଟସ୍ଥ ଖୋଲଗଡ ସଂରକ୍ଷିତ ଜଙ୍ଗଲରୁ ୫୦ ଖଣ୍ଡ ଶାଳ ବହ୍ଲାକୁ ଜବତ କରିଛି ବନବିଭାଗ। ଆଜି କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଶାଳ ବହ୍ଲାକୁ ଜବତ କରିଥିଲା। ବାରମ୍ବାର ସେଇ ସଂରକ୍ଷିତ ଜଙ୍ଗଲରେ ନିକଟସ୍ଥ ଗ୍ରାମବାସୀ ବାରମ୍ବାର ଶାଳଗଛ କାଟି ସଫା କରୁଥିବା ଜଣା ପଡ଼ିଛି। ବନ ବିଭାଗ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି। ବନବିଭାଗ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ଆହତ ହରିଣକୁ ଉଦ୍ଧାର କଲେ ବନ ବିଭାଗ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଚାରମାଳ ବନାଂଚଳ ସାନମୁଗପାଳ ଗ୍ରାମ ଜଙ୍ଗଲରୁ ୨ ବର୍ଷର ଏକ ମାଈ ହରିଣକୁ ଉଦ୍ଧାର କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ବନାଂଚଳ ସାନମୁଗପାଳ ଗ୍ରାମ ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବସୀ ବନ ବିଭାଗକୁ ଖବର ଦେଇଥିଲେ। ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ରେଞ୍ଜ ଅଧିକାରୀ ଦର୍ଶନୀୟା ଭୋଇ ପହଂଚି ଆହତ ହରିଣକୁ ପ୍ରାଥମିକ ଚିକିତ୍ସା କରିଥିଲେ।

ପ୍ରାଣୀଚିକିତ୍ସକ ପ୍ରଦୀପ କୁମାର ସାହୁ ହରିଣର ଚିକିତ୍ସା କରିଥିଲେ। ହରିଣର ଗୋଡ଼ରେ କ୍ଷତ ରହିଛି। ହରିଣଟି ସୁସ୍ଥ ଥିବା ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।  ହରିଣଟିକୁ ବୁଲା କୁକୁର କାମୁଡ଼ିଥିବା ଅନୁମାନ କରଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେନ୍ଦୁପତ୍ର ତୋଳିବାକୁ ଯାଇ ମହିଳା ନିଖୋଜ: ଦୁଇ ଦିନ ପରେ ଜଙ୍ଗଲରୁ ଉଦ୍ଧାର କଲା ବନ ବିଭାଗ

କନ୍ଦର୍ପ ବେହେରା
ରେଢାଖୋଲ: ନିଜ ଝିଅ ଘରକୁ କେନ୍ଦୁପତ୍ର ତୋଳିବାକୁ ଯାଇ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଂଚଳର ଜନୈକା ମହିଳା ନିଖୋଜ ହେବାର ୨ ଦିନ ପରେ ହିତସରା ନିକଟସ୍ଥ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଜରିପାଳ ଗ୍ରାମର ଗୁରୁବାରୀ ନାମକ ଜନୈକା ହରିଜନ ମହିଳା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମ ନିଜ ଝିଅଘରକୁ ଆସି ଗତ ତା ୧୫ ତାରିଖରେ ଗ୍ରାମର କେତେଜଣ ମହିଳା ଓ ନିଜ ଝିଅ ସହ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଗୁରୁବାରୀ ନାଏକ ର ଝିଅ ତାକୁ ସମୟ ବହୁତ ହେଇଯିବ ଖରା ହେଉଛି କହି ଘରକୁ ଯିବାକୁ କହିଥିଲେ। ଝିଅ କଥାରେ ସେ ଜଙ୍ଗଲରୁ ଏକୁଟିଆ ଫେରିଆସୁଥିଲା ହେଲେ ଜଙ୍ଗଲ ମଧ୍ୟରେ ବାଟ ନ ପାଇ ଗତ ତା ୧୫ ତାରିଖରୁ ୧୭ ତାରିଖ ସଂଧ୍ୟା ଯାଏଁ ନିଖୋଜ ହୋଇଯାଇଥିଲେ। ବନ ବିଭାଗ ତଥା ଗ୍ରାମବାସୀ ଅକ୍ଳାନ୍ତ ପରିଶ୍ରମ କରି ତାକୁ ଖୋଜି ଖୋଜି ପାଇ ନ ଥିଲେ।

ଗତକାଲି ସଂଧ୍ୟା ପ୍ରାୟ ୫ଘ. ୩୦ ମିନିଟ୍ ସମୟରେ ହିତସରା ନିକଟସ୍ଥ ଲାଣ୍ଡିମାଳ ଜଙ୍ଗଲରୁ ମହିଳା ଜଣଙ୍କୁ ବନବିଭାଗ ଉଦ୍ଧାର କରିଥିଲା। ସେ ୨ ଦିନ ହେଲା କିଛି ବି ଖାଇ ନ ଥିଲେ ବୋଲି ବନବିଭାଗ ଆଗରେ ମହିଳା ଜଣଙ୍କ ପ୍ରକାଶ କରିଥିଲା। ବାଟଗାଁ ଫରେଷ୍ଟର ଅନିଲ କିସାନ୍ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଥିଲେ। ରାତିରେ ସେ ଗଛ ମୂଳେ ଆଶ୍ରୟ ନେଉଥିବା ପ୍ରକାଶ କରିଥିଲା। ଭାଗ୍ୟକୁ ଘଂଚ ଜଙ୍ଗଲ ମଧ୍ୟରେ ମହିଳା ଜଣଙ୍କୁ କୈାଣସି ହିଂସ୍ରଜୀବ ଆକ୍ରମଣ କରି ନ ଥିଲା।

ମହିଳା ଜଣଙ୍କୁ ଅକ୍ଷତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିବାରୁ ପ୍ରଶଂସାର ପାତ୍ର । ହିତସରା ଅଂଚଳ ହାତୀମାନଙ୍କର ଚରା ଭୂଇଁ। ସେ ଯେଉଁ ଜଙ୍ଗରେ ୨ ରାତି ଅବସ୍ଥାନ କରିଥିଲେ ଭଗବାନ ତାଙ୍କୁ ସାହା ହୋଇଥିଲେ। ୨ ଦିନ କାଳ କିଛି ନ ଖାଇ ନ ପିଇ ସେ ଅତି ଦୁର୍ବଳ ହୋଇଯାଇଥିଲେ। ବନବିଭାଗ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବାବେଳେ ଚାରି ଜଣ ଦୁର୍ବୁତ୍ତଙ୍କୁ ବାନ୍ଧିଲା ବାଲୁଗାଁ ବନ ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)।  ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ସନ୍ତୋଷ ପଟ୍ଟନାୟକ, ଇତିଶ୍ରୀ ଲେଙ୍କା, ସର୍ବେଶ୍ୱର ପ୍ରଧାନ, ସ୍ଥାନୀୟ ଗ୍ରାମବାସୀ ଏବଂ ଅର୍ଦ୍ଧ ସାମରିକ ଯବାନମାନେ ଆଦି ସାମିଲ ଥିଲେ।

ତେବେ ଏଭଳି ଘଟଣା ବାଲୁଗାଁ ବନଖଣ୍ଡ ଅଞ୍ଚଳରେ ବଢୁଥିବା ବେଳେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ପ୍ରମାଣିତ ହେଉଛି। ତେଣୁ ଏହାକୁ ଗୁରୁତର ସହ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର: ଏକକାଳୀନ ୫ ଟି ସ୍ଥାନରେ ଚଢାଉ

ବଲାଙ୍ଗୀର: ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି। ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

ବଲାଙ୍ଗିର ସାଗରପଡା ବାସଭବନ, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, ରେଞ୍ଜ କାର୍ୟ୍ୟାଳୟ ସମେତ ସୋନପୁର ମଝିପଡା ପେତୃକ ବାସଭବନରେ ଚଢାଉ କରାଯାଉଛି।

Categories
ଆଞ୍ଚଳିକ

ବନବିଭାଗ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାଣପୁରରେ ତଦନ୍ତ କଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି

ସୀତାରାମ ଅଗ୍ରୱାଲ

ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ।

ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ କିଛି ତଥ୍ୟ ଆସେ, ତାହାଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଣପୁର ପ୍ରଶାସନ ପ୍ରତିଶୃତି ଦେବା ପରେ ବୁଧବାର ସନ୍ଧ୍ୟାରେ ଧାରଣାରୁ ଉଠିଥିଲେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ। ଏହା ସହିତ ବାଣପୁର ବନବିଭାଗର କେତେକ କର୍ମଚାରୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର ୩୧୯/୨୦ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମୃତକଙ୍କ ପତ୍ନୀ ପ୍ରତିମା ବେହେରା।

ଆଜି ସକାଳେ ଏହି ଘଟଣାର ଟିକିନିକି ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ପ୍ରଶାସନ ସହ ଧୂଆଁନଳୀ ଫରେଷ୍ଟ ସେକ୍ସନ ଅଞ୍ଚଳରେ ପହଞ୍ଚିଥିଲେ l ତଦନ୍ତ ସାରି ବାଣପୁର ଫେରିବାପରେ ଏହାର ଫଳାଫଳ ବିଷୟରେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ଉଭୟ ଜିଲ୍ଲପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ପଚରାଉଚୁରା କରିଛନ୍ତି। ଏହାର ଏକ ଯୁଗ୍ମ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଶେଷରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ ସହ ଏକ ବୈଠକରେ ଭାଗ ନେଇ କରୋନା ସ୍ଥିତି ସମୀକ୍ଷା କରିଥିଲେ। ବର୍ତ୍ତମାନ ଚିଲିକାରେ କୋଭିଡ ସ୍ଥିତି ବହୁତ ସୁଧୁରୁଛି ଏବଂ ଖୁବ କମ ସକ୍ରିୟ କେସ ଅଛି ବୋଲି କହିଥିଲେ ଜିଲ୍ଲାପାଳ। ଏଥିପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରଶାସନର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଜନସାଧାରଣଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ ଅନ୍ୟଥା କୋଭିଡ କେସ ପୁନର୍ବାର ବଢିପାରେ ବୋଲି ଜିଲ୍ଲାପାଳ ମତ ରଖିଥିଲେ। ଏହାସହ ଜିଲ୍ଲାପାଳ ଏନ୍ଫୋର୍ସମେଣ୍ଟକୁ କଡାକଡି କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଏବଂ ଏସପିଙ୍କ ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ଏ.ସି.ଏଫ.ଓ, ବାଣପୁର ତହସିଲଦାର, ବାଲୁଗାଁ ଏସ.ଡ଼ି.ପି.ଓ, ବାଣପୁର ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ 

ବାଣପୁର: ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। କାଠ ଚୋର ସନ୍ଦେହରେ ବାଣପୁର ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡିଛି।

କିନ୍ତୁ ବଳଭଦ୍ରଙ୍କୁ ବନବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତାଙ୍କର ମୃତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଆଜି ଧାରଣା ଦେବାସହ ପାଟି ତୁଣ୍ଡ କରିଛନ୍ତି।

ଏହି ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଆଜି ବାଣପୁର ମେଡିକାଲ ପରିସରରେ ଖୋର୍ଦ୍ଧା ଏଚ.ଆର.ପି.ସି ଡ଼ି.ଏସ.ପି ଓମ ପ୍ରକାଶ ପାତ୍ର, ବାଲୁଗାଁ ଏସ.ଡ଼ି.ପି.ଓ ସୁରେଶ କୁମାର ଦାସ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା ଓ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଗଣ୍ଡଗୋଳ ଆଶଙ୍କାରେ ବାଣପୁର ମେଡିକାଲର ସୁରକ୍ଷାକୁ ବଢ଼ାଇଦିଆଯାଇଛି।

ବନ ବିଭାଗ କହିବା ମୁତାବକ, ଗତକାଲି ରାତିରେ ଧୂଆଁନଳୀ ସେକ୍ସନ ବନ କର୍ମଚାରୀଙ୍କ ପାଟ୍ରୋଲିଂ ସମୟରେ ତିନି ଗୋଟି କାଠ ଗଣ୍ଡି ସହ ବଳଭଦ୍ର ଧରାପଡିଥିଲେ ଏବଂ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଖସି ପଳାଇଥିଲେ। ଟାମଣା ପାହାଡରୁ ଧରି ବନ ବିଭାଗ କର୍ମଚାରୀ ବିଟ୍‌ ହାଉସ୍‌ ନେଇଥିଲେ। କୌଣସି କାରଣରୁ ବଳଭଦ୍ରଙ୍କ ଶରୀର ଅସୁସ୍ଥ ହେବାରୁ ପ୍ରଥମେ ନୀଳାଦ୍ରିପ୍ରସାଦ ଡାକ୍ତରଖାନା ଏବଂ ପରେ ବାଣପୁର ଡାକ୍ତରଖାନାରେ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ବାଣପୁର ହସ୍ପିଟାଲରେ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ବନ ବିଭାଗ କହିଛି।

ଅପରପକ୍ଷରେ ଖୋର୍ଦ୍ଧା ଡ଼ି.ଏଫ.ଓ  ସୌମ୍ୟକ ସାମନ୍ତରାୟଙ୍କୁ ଏ ବିଷୟ ନେଇ ଆମ ପ୍ରତନିଧି ପଚାରିବାରୁ ପ୍ରଥମେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ରିପୋର୍ଟ ନଆସିବା ଯାଏଁ ସେ କିଛି କହିପାରିବେନି ବୋଲି ପ୍ରକାଶ କରିଥିଲେ। ଅନୁରୂପ ଭାବେ ବାଲୁଗାଁ ଏସ.ଡ଼ି.ପି.ଓ ମଧ୍ୟ ସମାନ ଉତ୍ତର ରଖିଛନ୍ତି।

ତେବେ ଶେଷ ଖବର ନେବା ପର୍ଯ୍ୟନ୍ତ ବଳଭଦ୍ରଙ୍କ ପରିବାରବର୍ଗ ବନ ବିଭାଗ ବିରୁଦ୍ଧରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ତତ୍ପର ହେଉଥିବାର ଜଣାପଡିଛି ଏବଂ ଆସନ୍ତାକାଲି ମୃତକଙ୍କ ଶବ  ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।