ରାୟଗଡ଼ା:ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ପଡ଼ିଆରେ ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଡିଏଫଓ ସଚ୍ଚିନ ଆନା ସାହେବ ଆହୋଲଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବନାଞ୍ଚଳ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ରାୟଗଡ଼ା ବନାଞ୍ଚଳ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ପଡ଼ିଆରେ ଚଢ଼ାଉ କରିଥିଲେ। ସେଠାରେ କାତିଗୁଡ଼ିକ ଚାଲାଣ ପାଇଁ ମୂଲଚାଲ ଚାଲିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ। ଘଟଣାସ୍ଥଳରୁ ବଜ୍ରକାପ୍ତା କାତି ଜବତ ହେବା ସହ ଏହି ବେଆଇନ ଚାଲାଣ ରାକେଟରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ ହିମିରିକା, ନିଳାମ୍ବର ଖୋସଲା ଓ ପୁରୁଷୋତ୍ତମ ଖୋସଲା। ଏମାନଙ୍କ ମଧ୍ୟରୁ ନିଳାମ୍ବର ଓ ପୁରୁଷୋତ୍ତମଙ୍କ ଘର ସଦର ବ୍ଲକ କୁମ୍ବିକୋଟା ହୋଇଥିବା ବେଳେ ଜଗନର ଘର ପଣସପୁଟ ଗ୍ରାମ।
ରେଞ୍ଜର ଅନୀଲ ପାଣିଗ୍ରାହୀ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ନିକଟରୁ ୪ କେଜି ୫୬୦ ଗ୍ରାମ ଓଜନର ୧୧୩୦ଟି ବଜ୍ରକାପ୍ତା କାତି ଜବତ କରାଯାଇଛି। ଏଥିସହ ସେମାନେ ବ୍ୟବହାର କରୁଥିବା ୨ଟି ମଟରସାଇକେଲ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ ପରେ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ ଏହି ବଜ୍ରକାପ୍ତାଗୁଡ଼ିକୁ ରାୟଗଡ଼ା ବନାଞ୍ଚଳରେ ଶିକାର କରାଯାଇଥିଲା। ତେବେ ଏହି କାରବାରର ମୁଖ୍ୟ ଅଭିଯୁକ୍ତ ଖସି ପଳାଇଥିବା ବେଳେ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ରେଞ୍ଜର ଶ୍ରୀ ପାଣିଗ୍ରାହୀ କହିଛନ୍ତି।


