ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବାବେଳେ ଚାରି ଜଣ ଦୁର୍ବୁତ୍ତଙ୍କୁ ବାନ୍ଧିଲା ବାଲୁଗାଁ ବନ ବିଭାଗ

Published: Apr 1, 2021, 2:24 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)।  ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ସନ୍ତୋଷ ପଟ୍ଟନାୟକ, ଇତିଶ୍ରୀ ଲେଙ୍କା, ସର୍ବେଶ୍ୱର ପ୍ରଧାନ, ସ୍ଥାନୀୟ ଗ୍ରାମବାସୀ ଏବଂ ଅର୍ଦ୍ଧ ସାମରିକ ଯବାନମାନେ ଆଦି ସାମିଲ ଥିଲେ।

ତେବେ ଏଭଳି ଘଟଣା ବାଲୁଗାଁ ବନଖଣ୍ଡ ଅଞ୍ଚଳରେ ବଢୁଥିବା ବେଳେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ପ୍ରମାଣିତ ହେଉଛି। ତେଣୁ ଏହାକୁ ଗୁରୁତର ସହ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

Related posts