Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଣ୍ଡାକୋଟ୍ ସଂରକ୍ଷିତ ଜଙ୍ଗଲରୁ ଶୁଆ ଚାଲାଣ: ୮ ଶୁଆ ଜବତ, ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଂଚଳରେ ଦିନକୁ ଦିନ ଅବାଧରେ ଜନ୍ତୁ ଶିକାର ସହ ବାହାର ରାଜ୍ୟକୁ ପକ୍ଷୀ ଚାଲାଣ ଚାଲିଥିବା ବେଳେ ବନବିଭାଗ ଶିକାରୀ ତଥା ଚାଲାଣ କାରୀକୁ ସଫଳତାର ସହ ଧରିବାରେ ସକ୍ଷମ ହୋଇଥିବା ଜଣା ପଡିଛି। ଗତକାଲି ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ସଂରକ୍ଷିତ ଜଙ୍ଗଲରେ ଜନୈକ ବ୍ୟକ୍ତି ବାହାର ରାଜ୍ୟକୁ ଶୁଆ ଚାଲାଣ କରୁଥିବା ସଂପର୍କରେ ବନବିଭାଗ ଖବରପାଇ ସେଇ ଜଙ୍ଗଲ ପାଖରେ ଚଢଉ କରି ୮ ଟି ଜୀବନ୍ତ ଶୁଆ ଉଦ୍ଧାର କରିବା ସହ ଜଣେ ଶୁଆ ଚାଲାଣ କାରୀ ବ୍ୟକ୍ତିକୁ ଧରିଥିବା ଜଣା ପଡିଛି । ବନବିଭାଗ ଗିରଫ କରିଥିବା ବ୍ୟକ୍ତିଜଣଙ୍କ କିସିଣ୍ଡା ଥାନା ଅନ୍ତର୍ଗତ ଗରିଆଖମଣ ଗ୍ରାମର ପ୍ରଦୀପ କୁମାର କୁଜୁର ବୋଲି ବନବିଭାଗ ପ୍ରକାଶ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ନିକଟସ୍ଥ ଲଣ୍ଡାକୋଟ୍ ସଂରକ୍ଷିତ ଜଙ୍ଗଲରୁ ଶୁଆ ଆଣି ବାହରା ରାଜ୍ୟକୁ ଚାଲାଣ କରାଯାଉଥିବା ଖବର ପାଇଥିଲା। ରେଞ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ବନକର୍ମଚାରୀମାନେ ସେଇ ଜଙ୍ଗଲକୁ ସକାଳେ ଯାଇଥିଲେ।

ଜଙ୍ଗଲରେ ଚଢଉ ସମୟରେ ଗରିଆଖମଣ ଗ୍ରାମର ପ୍ରଦୀପ କୁଜୁରଙ୍କ ପାଖରୁ ୮ ଟି ଜୀବନ୍ତ ଶୁଆୁ ଜବତ କରିଥିଲା ବନବିଭାଗ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଧାରାରେ ଚାଲାଣ କାରୀ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରେ କାମ କରୁଥିବା ଗଣମାଧ୍ୟର ସମସ୍ତ ପ୍ରତିନିଧିମାନଙ୍କୁ ବନବିଭାଗ ସୂଚନା ନ ଦେଇ କେବଳ କିଛି ନିର୍ଦ୍ଦିଷ୍ଟ ଗଣ ମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଉଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୬ /୧/୨୦୨୨ରେ ଗିରଶ୍ଚନ୍ଦ୍ରପୁର ରେଞର ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗିରିଶ୍ଚନ୍ଦ୍ରପୁର ବନାଂଚଳ ଅଧିନସ୍ଥ ବଡବାହାଳ ଗ୍ରାମ ନିକଟରେ ଅବାଧରେ ଜନ୍ତୁ ଶିକାର କରି ଫେରୁଥିବା ୨ ଜଣ ବେପାରୀ ସହ ୩ ଜଣ ଜନ୍ତୁ ଶିକାରୀକୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ କୁଟୁରାମାଂସ ୫ କେଜି, ଜୀବନ୍ତ ଶୁଆ ୧୪ ଟି, ସମ୍ବର ମୁଣ୍ଡ ସହ ସିଙ୍ଗ, ଦେଶୀ ବନ୍ଧୁକ ୧ ଟି, ଅଫୁଟା ଗୁଳି ୩ ଟା, ଧନୁତୀର ୨ ଟା, ଶିକାର ପାଇଁ ବ୍ୟବହୃତ ଫାଶ ୧ ସେଟ୍, ଏବଂ ସେମାନେ ବ୍ୟବହାର କରୁଥିବା ଏକ ହୋଣ୍ଡା ଲିଭୋ ମୋଟର ସାଇକେଲ କୁ ଜବତ କରିଥିଲା ବନବିଭାଗ।

ଏହି କାରବାରରେ ସଂପୃକ୍ତି ଥିବା ବେପାରୀ କିସିଣ୍ଡା ଥାନା ପାରଧିଆମୁଣ୍ଡା ଗ୍ରାମର ଇନ୍ଦ୍ର ବେହେରା (୨୯) ଏବଂ ସୁରେନ୍ଦ୍ର ବେହେରା (୩୦) ଏବଂ ଶିକାରୀ ଧର୍ମୁ ଶବର (୫୩), କାର୍ତ୍ତିକ ଶବର (୫୮), ଏବଂ ରମାକାନ୍ତ ଶବର (୨୫) ଙ୍କୁ ବନବିଭାଗ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଅନୁଯାୟୀ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଥିଲା ବନବିଭାଗ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଲାଶୁଣି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ସହ ୨ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଖଲାଶୁଣି ଅଭୟାରଣ୍ୟର କେନ୍ଦୁମୁଣ୍ଡା ଅଂଚଳରୁ ବାରହା ମାଂସ ସହ ୨ ଜଣଙ୍କୁ ବନବିଭାଗ ଗିରଫ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଖଲାଶୁଣି ଅଭୟାରଣ୍ୟର ହିକପାଲି ବିଟ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳା ପକାଇ ବାରହା ମାରି ତାର ମାଂସକୁ କାଟୁ ଥିବା ସମୟରେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଚଢଉ କରିଥିଲା। ଚଢଉ କରି ସେମାନଙ୍କ ପାଖରୁ ୨୧ କେଜି ବାରହା ମାଂସ ସହ ଟାଙ୍ଗିଆ , କଟୁରୀ ଆଦି ଜବତ କରିଥିଲା ବନବିଭାଗ।

ଅଭିଯୁକ୍ତଦ୍ୱୟ ହେଲେ କିସିଣ୍ଡା ଥାନା ଜେମାଯୁରୀ ଗ୍ରାମର ସୁରେଶ ଖାଲକୋ(୪୨) ଏବଂ ଭଗବାନ କିସାନ (୨୬)। ଅଭିଯୁକ୍ତ ଦ୍ୱୟଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ଏହି ଚଢଉରେ ବନବିଭାଗର ଫରେଷ୍ଟର ଭୂବନେଶ୍ୱର ପାଣି , ଫରେଷ୍ଟ ଗାର୍ଡ ନିହାର ରଞନ ବଡପଣ୍ଡା ଏବଂ ବନବିଭାଗର ଅନ୍ୟକର୍ମଚାରି ଅଜିତ୍ କୁମାର ସାହୁ ଏବଂ କିଶୋର କବାଟ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବାବେଳେ ଚାରି ଜଣ ଦୁର୍ବୁତ୍ତଙ୍କୁ ବାନ୍ଧିଲା ବାଲୁଗାଁ ବନ ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)।  ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ସନ୍ତୋଷ ପଟ୍ଟନାୟକ, ଇତିଶ୍ରୀ ଲେଙ୍କା, ସର୍ବେଶ୍ୱର ପ୍ରଧାନ, ସ୍ଥାନୀୟ ଗ୍ରାମବାସୀ ଏବଂ ଅର୍ଦ୍ଧ ସାମରିକ ଯବାନମାନେ ଆଦି ସାମିଲ ଥିଲେ।

ତେବେ ଏଭଳି ଘଟଣା ବାଲୁଗାଁ ବନଖଣ୍ଡ ଅଞ୍ଚଳରେ ବଢୁଥିବା ବେଳେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ପ୍ରମାଣିତ ହେଉଛି। ତେଣୁ ଏହାକୁ ଗୁରୁତର ସହ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।